ଭୁବନେଶ୍ବର: ଗାଁ ଠାରୁ ସହର ସବୁଠି ଗୋଟିଏ ସମସ୍ୟା, ପାୱାର କଟ୍ । ତାତି ବଢ଼ି ବଢ଼ି ଚାଲିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ଏହାରି ଭିତରେ ପାୱାର କଟ୍କୁ ନେଇ ବିଭିନ୍ନ ସ୍ଥାନରେ ଜନ ଆକ୍ରୋଶ । ଆଜି ୯ଟି ବିରୋଧୀ ରାଜନୈତିକ ଦଳ ସମେତ ବିଦ୍ୟୁତ ଉପଭୋକ୍ତା ମହାସଂଘ ତରଫରୁ ରାଜ୍ୟ ସରକାରଙ୍କୁ ପାୱାର କଟ୍ ପାଇଁ କଡା ଭାଷାରେ ନିନ୍ଦା କରାଯାଇଛି । ନିକଟରେ ରାଜଧାନୀ ଭୁବନେଶ୍ବରରେ ହୋଇଥିବା ଘୂର୍ଣ୍ଣିଝଡ଼ରେ ପ୍ରାୟ ୬ରୁ ୧୦ ଘଣ୍ଟା ବିଦ୍ୟୁତ କାଟ୍ ହୋଇଥିଲା । ଯାହାକୁ ବିରୋଧ କରିଛି ସଂଘ ।
କେବେ କାର୍ଯ୍ୟକ୍ଷମ ହେବ ଅଣ୍ଡରଗ୍ରାଉଣ୍ଡ୍ କେବଲିଂ ?: ବିରୋଧୀ ରାଜନୈତିକ ଦଳ ଗୁଡିକର ପ୍ରଶ୍ନ ହେଲା, ମାଟି ତଳେ କେବୁଲ ବିଛାଇବାରେ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏସବୁ କାମରେ କେବେ ଲାଗିବ, ତାହାର ଜବାବ ଦିଅନ୍ତୁ ସରକାର । ଏଗ୍ରିମେଣ୍ଟ ଅନୁସାରେ ଓପିଜିସି କୋଇଲା ଉଠାଉଛି । ଯାହାର ଲାଭାଂଶ 'ଏଣ୍ଡ୍ ୟୁଜର୍ସ' ପାଖରେ ପହଞ୍ଚିବା କଥା । ତାହା କିନ୍ତୁ ପହଞ୍ଚୁନାହିଁ । ଯଦି ପହଞ୍ଚନ୍ତା, ତେବେ ୟୁନିଟ ପିଛା ୮୭ ପଇସାରୁ ୧୧୨ ପଇସା ଦର କମ ହୋଇପାରନ୍ତା । ସୋମବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଦ୍ୟୁତ ବିତରକ ସଂସ୍ଥାମାନଙ୍କର ବୈଠକ ଡାକିଛନ୍ତି ରାଜ୍ୟ ସରକାର । ଏହି ବୈଠକରେ ଓଡିଶା ବିଦ୍ୟୁତ ଉପଭୋକ୍ତା ମହାସଂଘକୁ ସାମିଲ କରାଯାଉ ବୋଲି ସେମାନେ ଦାବି ରଖିଛନ୍ତି । ବିଦ୍ୟୁତ ଚୋରି ପାଇଁ ଦାୟୀ କିଏ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । କେବଳ ଭୁବନେଶ୍ବରରେ ୨ ହଜାର କୋଟି ଟଙ୍କା କେବୁଲିଂରେ ଖର୍ଚ୍ଚ ହୋଇଥିବା ବେଳେ ସାରା ଓଡିଶାରେ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା କେବେ କାର୍ଯ୍ୟକ୍ଷମ ହେବ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ । ଗଲା ୨୦ ବର୍ଷରେ ୪୨ ହଜାର କୋଟି ଟଙ୍କା ଭିତ୍ତିଭୂମି ସଜାଡ଼ିବାରେ ଖର୍ଚ୍ଚ ହୋଇଥିବା ବେଳେ ଏହାର ଲାଭ ଉପଭୋକ୍ତାମାନଙ୍କୁ କାହିଁକି ମିଳୁନାହିଁ ବୋଲି ପଚାରିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।