ଭୁବନେଶ୍ବର: ଯଦି ରାଜ୍ୟ ସରକାର ସବସିଡି ଦେବେ, ତେବେ ରାଜ୍ୟବାସୀଙ୍କୁ ମାଗଣାରେ ମିଳିପାରିବ ୨୦୦ ୟୁନିଟ ମାଗଣା ବିଜୁଳି । ଏହା କହିଛନ୍ତି ବିଦ୍ୟୁତ ଉପଭୋକ୍ତା ମହାସଂଘର ଆବାହକ ରମେଶ ଶତପଥୀ । ରାଜ୍ୟରେ ସରପ୍ଲସ ବିଜୁଳି ରହିଛି ବୋଲି ରାଜ୍ୟ ସରକାର ବାରମ୍ବାର ଦାବି କରୁଛନ୍ତି । ଯଦି ସର୍ପ୍ଲସ୍ ବିଜୁଳି ଅଛି, ତେବେ ସବ୍ସିଡି ଦେଇ ରାଜ୍ୟ ସରକାର ମାଗଣାରେ ୨୦୦ ୟୁନିଟ ବିଜୁଳି କାହିଁକି ପ୍ରଦାନ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଦ୍ୟୁତ ଉପଭୋକ୍ତା ମହାସଂଘର ଆବାହକ ରମେଶ ଶତପଥୀ ।
'ରାଜ୍ୟ ସରକାର ସବ୍ସିଡି ଦେଲେ ଲୋକଙ୍କୁ ମିଳିବ ମାଗଣା ବିଜୁଳି': ରମେଶ ଶତପଥୀ କହିଛନ୍ତି, "୨୦ ବର୍ଷ ଧରି ବିଜୁଳି ରିଫର୍ମେସନ ହୋଇସାରିଛି । ବର୍ଷକୁ ୪ ହଜାର କୋଟି ଟଙ୍କା ରାଜ୍ୟ ସରକାର ଆଦାୟ କରୁଛନ୍ତି । କିନ୍ତୁ ଉପଭୋକ୍ତା ଯେପରି ବିଜୁଳି ପାଇବା କଥା, ପାଉନାହାନ୍ତି । ଏହା ପଛର କାରଣ ହେଲା ଦୁର୍ବଳ ଭିତ୍ତିଭୂମି । ଟାଟା ପାୱାର ଯେବେଠାରୁ ଦାୟିତ୍ବ ନେଇଛି, ତା ପୂର୍ବରୁ ହୋଇଥିବା କାମ ନିମ୍ନ ମାନର ହୋଇଛି । ଏପରିକି ବାତ୍ୟା ପରେ ଯେଉଁସବୁ କାମ ହୋଇଥିଲା, ତାହା ଅସ୍ଥାୟୀ ଥିଲା । ତେଣୁ ଏବେ ବାରମ୍ବାର ପାୱାର କଟ୍ ହେଉଛି ।" ଭିତ୍ତିଭୂମିକୁ ସଜାଡି, ସବ୍ସିଡି ଦେଇ ରାଜ୍ୟ ସରକାର ଯଦି ଚାହିଁବେ, ତେବେ ୨୦୦ ୟୁନିଟ ମାଗଣା ବିଜୁଳି ଦେଇପାରିବେ ବୋଲି ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି ବିଦ୍ୟୁତ ଉପଭୋକ୍ତା ମହାସଂଘର ଆବାହକ ରମେଶ ଶତପଥୀ ।
'ମନ୍ତ୍ରୀଙ୍କୁ ସ୍ବୀକାର କରିବାକୁ ପଡିବ ପାୱାର କଟ୍ ହେଉଛି': ଗୋଟିଏ ପଟେ ଚାଲିଛି ଘନଘନ ପାୱାର କଟ୍ । ରାଜ୍ୟ ସରକାରଙ୍କ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କୁ ଏ ସମ୍ପର୍କରେ ପଚାରିବାରୁ ତାଙ୍କର ଉତ୍ତର ହେଲା ଏହା ପାୱାର କଟ୍ ନୁହେଁ ବରଂ ଯାନ୍ତ୍ରୀକ ତ୍ରୁଟି । ଏପରି ବୟାନକୁ କଡ଼ା ନିନ୍ଦା କରିଛି ବିଦ୍ୟୁତ ଉପଭୋକ୍ତା ମହାସଂଘ । ସଂଘର ଆବାହକ କହିଛନ୍ତି, "ଭାଷା ବଦଳାଇ କହିଲେ ହେବ ନାହିଁ, ସ୍ବୀକାର କରିବାକୁ ପଡ଼ିବ ଯେ ପାୱାର କଟ୍ ହେଉଛି । ଉପଭୋକ୍ତା ପଇସା ଦେଇଛନ୍ତି । କ୍ବାଲିଟି ବିଜୁଳି ପାଇବା ଲୋକଙ୍କ ଅଧିକାର । ତେଣୁ କେମିତି ପାଇବେ ଏକଥା ରାଜ୍ୟ ସରକାର ଚିନ୍ତା କରିବା ଦରକାର ।"