ଓଡିଶା

odisha

ETV Bharat / state

ରାଜ୍ୟରେ ବଢ଼ୁଛି ନକଲି ଔଷଧ କାରବାର, କମ୍ପାନୀ ଲାଭ ପାଇବା ଆଶାରେ ସମସ୍ତଙ୍କର କ୍ଷତି ନହେଉ କହିଲେ ଡିସି - ଡ୍ରଗ୍ କଣ୍ଟ୍ରୋଲର ସୁବୋଧ ନାୟକ

ରାଜ୍ୟରେ ବଢ଼ୁଛି ନକଲି ଔଷଧ କାରବାର । ବାହାର ରାଜ୍ୟରୁ ଆସି କାରବାର ହେଉଥିବା ବିଭିନ୍ନ ସ୍ଥାନରୁ ନକଲି ଔଷଧ ଜବତ କରାଯାଇ ଆଇନଗତ ମାମଲା ରୁଜୁ କରାଯାଇଛି । ଏନେଇ ସୂଚନା ଦେଇଛି ଡ୍ରଗ୍ କଣ୍ଟ୍ରୋଲ ବିଭାଗ । ଅଧିକ ପଢ଼ନ୍ତୁ

Drug Controller reaction over Counterfeit Medicine Case
ନକଲି ଔଷଧ କାରବାର ନେଇ କହିଲେ ଡ୍ରଗ୍ କଣ୍ଟ୍ରୋଲର ସୁବୋଧ ନାୟକ

By

Published : Dec 16, 2022, 9:20 PM IST

ନକଲି ଔଷଧ କାରବାର ନେଇ କହିଲେ ଡ୍ରଗ୍ କଣ୍ଟ୍ରୋଲର ସୁବୋଧ ନାୟକ

ଭୁବନେଶ୍ବର: ରାଜ୍ୟରେ ବଢ଼ୁଛି ନକଲି ଔଷଧ କାରବାର । ବାହାର ରାଜ୍ୟରୁ ଆସୁଛି ନକଲି ଔଷଧ । ଏହା ଭିତରେ କଟକରେ ୬ଟି, ଝାରସୁଗୁଡାରେ ୨ଟି ଏବଂ କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ବରଗଡ ଓ ସମ୍ବଲପୁରରେ ଗୋଟିଏ ଲେଖାଏଁ ସ୍ଥାନରୁ ନକଲି ଔଷଧ ଜବତ କରାଯାଇ ଆଇନଗତ ମାମଲା ରୁଜୁ କରାଯାଇଛି । ଏନେଇ ସୂଚନା ଦେଇଛି ଡ୍ରଗ୍ କଣ୍ଟ୍ରୋଲ ବିଭାଗ ।

କ୍ଲାଭାମ ୬୨୫ ନକଲି ଔଷଧ ପଛରେ ହିମାଚଳ ପ୍ରଦେଶ ଓ ଉତ୍ତର ପ୍ରଦେଶ ଲିଙ୍କ ରହିଥିବା ସନ୍ଦେହ କରାଯାଉଛି । ଓଡିଶାରେ ଏହି ମେଡିସିନ ସପ୍ଲାଏ କରି ନଥିବା କମ୍ପାନୀ ସ୍ପଷ୍ଟ କରିବା ପରେ ଡ୍ରଗ୍ କଣ୍ଟ୍ରୋଲର ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପୂର୍ବରୁ ଜବତ ହୋଇଥିବା ନକଲି ଟେଲମା ୪୫ ଔଷଧ ମାମଲା ସହ ଏହାର ମଧ୍ୟ ଲିଙ୍କ ଥିବା ସନ୍ଦେହ କରାଯାଉଛି । ଘଟଣାରେ ଡ୍ରଗ୍ କଣ୍ଟ୍ରୋଲର ସୁବୋଧ ନାୟକ କହିଛନ୍ତି, "ରିଟେଲ୍ ଓ ହୋଲସେଲର ପଏଣ୍ଟ ଉପରେ ନଜର ରଖାଯାଇଛି । ସେପ୍ଟେମ୍ବର ମାସଠାରୁ ଡିସେମ୍ବର ମଧ୍ୟରେ ପାଖାପାଖି ୭୫୦ ଔଷଧର ନମୁନା ସଂଗ୍ରହ କରାଯାଇଛି । ଯଦି କୌଣସି ଲୋଭର ବଶବର୍ତ୍ତୀ ହୋଇ ହୋଲସେଲରମାନେ ଏଭଳି କରୁଥାନ୍ତି, ତେବେ ଏହାକୁ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଧିକ ଲାଭ ପାଇଁ କମ୍ପାନୀର ମାର୍ଜିନ ଫିକ୍ସ ହୋଇଥାଏ । ସେ ହୋଲସେଲର ହୁଅନ୍ତୁ ବା ଷ୍ଟକିଷ୍ଟ ହୁଅନ୍ତୁ । ସମସ୍ତଙ୍କର ମାର୍ଜିନ ଫିକ୍ସ କରିଥାନ୍ତି କମ୍ପାନୀ । ଯଦି ଅଧିକ ଲାଭ ଆଶାରେ କୌଣସି ନକଲି ଔଷଧ କାରବାର କରିବେ ଏହା ସମସ୍ତଙ୍କ ପାଇଁ କ୍ଷତିକାରକ ଅଟେ ।"

ସୂଚନା ଅନୁଯାୟୀ, ଗତ କିଛିମାସ ହେବ ରାଜ୍ୟରେ ନକଲି ଔଷଧର ଭୟ ଜାରି ରହିଛି । ପ୍ରଥମେ ରାଜଧାନୀ ଓ ପରେ କଟକ ଜିଲ୍ଲାରେ ନକଲି ଉଚ୍ଚ ରକ୍ତଚାପ ଔଷଧ ଟେଲ୍‌ମା ଏମ୍‌ ଓ ଟେଲ୍‌ମା ୪୦ ଜବତ ହୋଇଥିଲା । ଏହି ନକଲି ଔଷଧର ଚେର ବିହାରକୁ ଲମ୍ବିଥିବା ଜଣାପଡ଼ିଥିଲା । କଟକର କିଛି ହୋଲସେଲର ଓ ସପ୍ଲାୟରଙ୍କ ଜରିଆରେ ଏହା ବିଭିନ୍ନ ସ୍ଥାନକୁ ଯାଇଥିଲା । ଯଦିଓ ଓଡ଼ିଶା ପୋଲିସ ବିହାରରୁ ସଂପୃକ୍ତ ସପ୍ଲାୟରକୁ ଗିରଫ କରିବାରେ ସକ୍ଷମ ହୋଇଛି, ଏହି ନକଲି ଔଷଧର ଉତ୍ପାଦକ କିଏ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ଏହା ଭିତରେ ୩ ମାସ ବିତି ଯାଇଥିବାରୁ ଉତ୍ପାଦକଙ୍କ ନିକଟରେ ପହଞ୍ଚିବା ଆଶା ଧୀରେ ଧୀରେ ମଉଳିବାରେ ଲାଗିଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ, ନକଲି ଉଚ୍ଚ ରକ୍ତଚାପ ମାମଲାରେ କଟକସ୍ଥିତ ଭିଆର ଏଜେନ୍ସି, ପୂଜା ଏଣ୍ଟରପ୍ରାଇଜେସ, କ୍ୟାଏଲ ଏଜେନ୍ସି, ମହାବୀର ପ୍ରସାଦ ରାଧେଶ୍ୟାମ, ଶ୍ରୀ ଡିଷ୍ଟ୍ରିବ୍ୟୁଟର ଓ ଶ୍ରୀ ଏମ୍‌ଏଚ୍‌ ବିରୋଧରେ ମାମଲା ଦାଖଲ ହୋଇଛି । ଏହାସହ ଝାରସୁଗୁଡ଼ାରରେ ଶ୍ୟାମ ମେଡିକାଲ, ଅମିତ ଏଜେନ୍ସି, ସୁନ୍ଦରଗଡ଼ର ପ୍ରକାଶ ମେଡିକାଲ, ବରଗଡ଼ର ଅଶୋକ ମେଡିକାଲ ହଲ, ସମ୍ବଲପୁରର ଦୁର୍ଗା ଏଜେନ୍ସି ଓ କେନ୍ଦ୍ରାପଡ଼ାର ସାଇ ଟ୍ରେଡର୍ସ ମଧ୍ୟ ନକଲି ଔଷଧ ମାମଲାରେ ଛନ୍ଦି ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details