ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହେବ ଡ୍ରୋନ ପାଟ୍ରୋଲିଂ । ଅର୍ଥାତ୍ ଆକାଶ ମାର୍ଗରୁ ସହର ଉପରେ ନଜର ରଖିବ ଡ୍ରୋନ। ସହରର ପ୍ରତିଟି ଘଟଣା ଓ ଦୁର୍ଘଟଣା ଉପରେ ସିଧାସଳଖ ନଜର ରଖିବ ପୋଲିସ । ଏନେଇ ରାଜଧାନୀରେ ଡ୍ରୋନ ପାଟ୍ରୋଲିଂ ବ୍ୟବସ୍ଥା ଲାଗୁ କରିବାକୁ ଅଣ୍ଟା ଭିଡିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଡିସିପିଙ୍କ ଦ୍ବାରା ଏହି ଡ୍ରୋନ ପାଟ୍ରୋଲିଂର ପରୀକ୍ଷଣ କରାଯାଇଛି ।
ଏକ ଟେକ୍ନିକାଲ ଟିମ ଡିସିପିଙ୍କୁ ଏହାର ବ୍ୟବହାର ଓ ଏହାଦ୍ବାରା କିପରି ପରିଚାଳନା କରାଯିବ ସେନେଇ ପରୀକ୍ଷା କରି ଏହା ସମ୍ପର୍କରେ ବୁଝାଛନ୍ତି । ଭୁବନେଶ୍ୱର ଡିସିପି ସୂଚନା ଦେଇ କହିଛନ୍ତି, "ଟେକ୍ନିକାଲ ଟିମ୍ ଏବେ ଏହାର ବ୍ୟବହାର ଓ ପରିଚାଳନା ସମ୍ପର୍କରେ ଅବଗତ ହେଉଛନ୍ତି । ବିଶେଷ କରି ଏହାକୁ ଆଇନଶୃଙ୍ଖଳା ଭଳି ପରିସ୍ଥିତି ଉପୁଜିଲେ ବା କୌଣସି ରାଲି, ଧାରଣା ଅବା ବିକ୍ଷୋଭ ପ୍ରଦର୍ଶନ ସମୟରେ ସାମୂହିକ ଭାବେ ଏକତ୍ର ହେଉଥିବା ଲୋକଙ୍କ ଉପରେ ନଜର ରଖିବ । ନଚେତ କୌଣସି ବଡବଡ କାର୍ଯକ୍ରମ କିମ୍ବା ରାଜନୈତିକ କାର୍ଯକ୍ରମ, ନଚେତ କୌଣସି ଭିଭିଆଇପି ଗସ୍ତ ବେଳେ ପରିଚାଳନା କରିବା ପାଇଁ ସହାୟକ ହେବ। ଏହା ଦ୍ବାରା ଆକାଶମାର୍ଗରୁ ନଜର ରଖାଯାଇପାରିବ।" ଏହି ଡ୍ରୋନ ୫କିମି ରାଡିୟସ ପର୍ଯ୍ୟନ୍ତ କ୍ୟାମେରା ସର୍ଭିଲାନସ ସହ ୫୦୦ ମିଟର ଉଚ୍ଚରେ ଉଡି ଏକ ସମୟରେ ସହରର ବିଭିନ୍ନ ଗତିବିଧି ଉପରେ ନଜର ରଖିପାରିବ । ଏହାର କ୍ୟାମେରା ନାଇଟ ଭିଜନ ସହ ହାଇଡେଫିନେସନ କ୍ୟାମେରା କ୍ଲାରିଟି ରହିଛି । ଯାଦ୍ବାରା କିଛି ସନ୍ଦେହଜନକ ବ୍ୟକ୍ତି କୌଣସି ଜିନିଷ ବ୍ୟବହାର କରୁଥିଲେ ତାହା ସ୍ବଚ୍ଛ ଭାବେ ଦେଖି ଜାଣିହେବ। ଯାହା ପୋଲିସକୁ ଧରିବାରେ ସହାୟକ ହେବ ।