ଓଡିଶା

odisha

ETV Bharat / state

ଭୁବନେଶ୍ବରରୁ ଦୁବାଇକୁ ଉଡିବ ବିମାନ, ଉତ୍କଳ ଦିବସରୁ ଆରମ୍ଭ ହେବ ଟିକେଟ ବୁକିଂ

ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ଅନ୍ତର୍ଜାତୀୟ ବିମାନ ସେବା ଭେଟି ଦେବେ ରାଜ୍ୟ ସରକାର। ଭୁବନେଶ୍ଵରରୁ ଦୁବାଇକୁ ସିଧାସଳଖ ଉଡିବ ବିମାନ। ଅଧିକ ପଢ଼ନ୍ତୁ

By

Published : Mar 31, 2023, 9:44 PM IST

ticket booking start on 1st april
ticket booking start on 1st april

ଭୁବନେଶ୍ଵର: ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ଅନ୍ତର୍ଜାତୀୟ ବିମାନ ସେବା ଭେଟି ଦେବେ ରାଜ୍ୟ ସରକାର । ବିମାନ ସେବା କ୍ଷେତ୍ରରେ ଯୋଡା ହେବ ନୂଆ ଫର୍ଦ୍ଦ। ଭୁବନେଶ୍ଵରରୁ ଦୁବାଇକୁ ସିଧାସଳଖ ଉଡିବ ବିମାନ । ବହୁ ପ୍ରତୀକ୍ଷିତ ସିଧାସଳଖ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଉତ୍କଳ ଦିବସ ଅବସରରେ ବହୁ ପ୍ରତୀକ୍ଷିତ ସିଧାସଳଖ ବିମାନ ସେବା ପାଇଁ ଟିକେଟ ବିକ୍ରି ଆରମ୍ଭ ହେବ । ଯାହାର ଫାଇଦା ନେଇ ପାରିବେ ଗ୍ରାହକ । ପ୍ରଥମ ବିମାନ ମେ 15 ତାରିଖରେ ଭୁବନେଶ୍ୱରରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଉଡାଣ ଭରିବ। ତେବେ ଏହା କେବଳ ଏକ ଅନ୍ତର୍ଜାତୀୟ ଗନ୍ତବ୍ୟ ସ୍ଥଳକୁ ଉଡ଼ାଣ ନୁହେଁ, ଏହା ଓଡିଶା ପାଇଁ ଏକ ବୃହତ୍ ଉପଲବ୍ଧି । ଓଡିଶାର ସଂସ୍କୃତି ପରମ୍ପରାକୁ ବିଶ୍ବ ଦରବାରରେ ପରିଚିତ କରିବା ପାଇଁ ଅନ୍ୟ ଏକ ସୋପାନ । ଲୋକ ଏବଂ ସଂସ୍କୃତିକୁ ଏକାଠି କରିବା, ବଜାର ଏବଂ ନିବେଶକୁ ନିକଟତର କରିବା ପାଇଁ ଏହା ଏକ ପ୍ରୟାସ ।

ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ ପ୍ରଥମ ଥର ପାଇଁ ସିଧାସଳଖ ଭୁବନେଶ୍ଵରରୁ ଦୁବାଇକୁ ବିମାନ ସେବା ଯୋଗାଇ ଦେବ । ବିଦେଶ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ଥିବା ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ତେବେ ଆସନ୍ତାକାଲି ବିମାନ ପାଇଁ ଟିକେଟ ବୁକିଂ ଆରମ୍ଭ ହେବ । ଅନଲାଇନ ମଧ୍ୟମରେ ଟିକେଟ ବୁକିଂର ବ୍ୟବସ୍ଥା କରାଯାଇଛି । ଦୁବାଇ ଯାତ୍ରା ପରେ ସିଙ୍ଗାପୁର ଓ ବ୍ୟାଙ୍ଗ୍‌କକ୍‌କୁ ମଧ୍ୟ ଇଣ୍ଡିଗୋ ବିମାନ ଉଡ଼ାଣ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଗତ ବର୍ଷ ଡିସେମ୍ବରରେ ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଓଡିଶା କ୍ୟାବିନେଟ ଅନୁମୋଦନ ଦେଇଥିଲା । 186ଟି ସିଟ୍ ବିଶିଷ୍ଟ ବିମାନ ଚଳାଚଳ କରିବ ଏବଂ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ରାଜ୍ୟ ସରକାର ଭୁବନେଶ୍ବରରୁ ବିଦେଶକୁ ଅଧିକ ବିମାନ ଉଡ଼ାଣ ପାଇଁ ଦୀର୍ଘ ବର୍ଷ ହେଲା ଉଦ୍ୟମ କରୁଥିଲେ ହେଁ ଏବେ ବିଦେଶ ଯାତ୍ରାକୁ ଗ୍ରୀନ ସିଗନାଲ ମିଳିଛି । ରାଜ୍ୟ ସରକାରଙ୍କ ଉଦ୍ୟମରେ ଦୁଇ ବର୍ଷରେ ତିନିଟି ବିମାନ ବିଦେଶକୁ ଉଡ଼ାଣ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ବନ୍ଦ କରି ଦିଆଯାଇଥିଲା। ଏବେବି ବିଦେଶକୁ ଯାଉଥିବା 95%ରୁ ଅଧିକ ଯାତ୍ରୀ ଦିଲ୍ଲୀ, କୋଲକତା, ମୁମ୍ବାଇ, ବେଙ୍ଗାଲୁର ହୋଇ ବିଦେଶକୁ ଯାଉଛନ୍ତି । ଭୁବନେଶ୍ୱରରୁ ବ୍ୟାଙ୍ଗ୍‌କକ୍‌କୁ ଏୟାର ଇଣ୍ଡିଆ ଓ ଏୟାର ଏସିଆ ବିମାନ ଉଡ଼ାଣ କରିଥିଲେ ହେଁ କିଛି ମାସ ଚଳାଇ ବନ୍ଦ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ଵର

ABOUT THE AUTHOR

...view details