ଭୁବନେଶ୍ବର:ବର୍ଷା ଦିନ ଆରମ୍ଭରୁ ସ୍ବାସ୍ଥ୍ୟ ବିଭାଗକୁ ଘାରିଲାଣି ଜଳବାହିତ ରୋଗ ଚିନ୍ତା । ଡେଙ୍ଗୁ ପରେ ଏବେ ଡାଇରିଆ ଓ କାମଳ (ହେପାଟାଇଟିସ ଏ-ଇ) ରୋଗ ରୋକିବାକୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ସମୀକ୍ଷା ଚାଲିଛି । ବର୍ଷା ପୂର୍ବରୁ ରାଜ୍ୟର ସମସ୍ତ ଅଞ୍ଚଳରେ ଜଳ ଉତ୍ସଗୁଡିକ ବିଶୋଧନ କରିବା ଲାଗି ନିର୍ଦ୍ଦେଶ ଜାରି କରାଯାଇଛି । ଲୋକଙ୍କୁ ସଚେତନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତରେ ଇଣ୍ଡିଗ୍ରେଟେଡ କ୍ୟାମ୍ପେନ ଆରମ୍ଭ ହେବାକୁ ଯାଉଛି । ଜଳବାହିତ ରୋଗର ସମ୍ଭାବନାକୁ ନେଇ ଏବେ ସ୍ବାସ୍ଥ୍ୟ ବିଭାଗର ଘନଘନ ବୈଠକ ସହ ସ୍ଥିତି ସମୀକ୍ଷା କରାଯାଉଛି । ଉଭୟ ସ୍ବାସ୍ଥ୍ୟ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ ହେଉଛି । ତେବେ ବିଗତ ୨ ବର୍ଷରେ ୩୫ ଜଣ ଡାଇରିଆ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ।
ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୦ରୁ ୨୦୨୧ ବର୍ଷରେ ୨୦୯ଟି ନମୂନା ପରୀକ୍ଷା ହୋଇଥିବା ବେଳେ ସେଥିମଧ୍ୟରୁ ୧୧ଟି ଡାଇରିଆ ରୋଗୀ ଚିହ୍ନଟ ହୋଇଥିଲେ । ତା' ଭିତରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୨୦୨୧ରୁ ୨୦୨୨ ବର୍ଷରେ ୨,୦୦୭ଟି ନମୂନାରୁ ୬୯ ଜଣ ଡାଇରିଆ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ସେହି ବର୍ଷ ମୃତ୍ୟୁସଂଖ୍ୟା ୩୦କୁ ବୃଦ୍ଧି ପାଇଥିଲା । ତେବେ ଚଳିତ ବର୍ଷ ୩୧୪ଟି ନମୂନା ଟେଷ୍ଟ ହୋଇଥିବା ବେଳେ ୧୦ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ବିଶେଷ କରି ପଶ୍ଚିମ ଓଡ଼ିଶାର ଅନୁଗୋଳ, ବରଗଡ଼, କନ୍ଧମାଳ, କୋରାପୁଟ ସୁନ୍ଦରଗଡ଼ରେ ଅଧିକ ଡାଇରିଆ ରୋଗୀ ଚିହ୍ନଟ ହେଉଛନ୍ତି । ସର୍ବାଧିକ ଡାଇରିଆ ରୋଗୀ କୋରାପୁଟ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ।