ଭୁବନେଶ୍ବର:ଉଦ୍ଯାପିତ ହୋଇଛି ଧଉଳି-କଳିଙ୍ଗ ମହୋତ୍ସବ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ତଥା ଆର୍ଟଭିଜନ ମିଳିତ ଆନୁକୂଲ୍ୟରେ ଧଉଳି ପାଦଦେଶରେ ଗତ ୩ ଦିନ ଧରି ଚାଲିଥିବା ଧଉଳି-କଳିଙ୍ଗ ମହୋତ୍ସବ ରବିବାର ଉଦ୍ଯାପିତ ହୋଇଛି । ଉଦ୍ଯାପନୀ ସନ୍ଧ୍ୟାରେ ଜୀବନବ୍ୟାପୀ ସଙ୍ଗୀତ ସାଧନା ପାଇଁ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀଙ୍କୁ ଚଳିତ ବର୍ଷର ‘ରୁଚିବୁଦ୍ଧ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ସେହିପରି କଣ୍ଠଶିଳ୍ପୀ ତଥା ସଙ୍ଗୀତ ସଂଯୋଜକ ବଙ୍କିମ ସେଠୀ, ସଙ୍ଗୀତ ନୃତ୍ୟଗୁରୁ ନିରଞ୍ଜନ ରାଉତ, ମର୍ଦ୍ଦଳ ବାଦକ ସଚ୍ଚିଦାନନ୍ଦ ଦାସ, ମୟୂରଭଞ୍ଜ ଛଉ ନୃତ୍ୟଗୁରୁ ସଦାଶିବ ପ୍ରଧାନଙ୍କୁ ଗୁରୁ ‘ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା ।
ମହୋତ୍ସବର ଶୋଭା ବର୍ଦ୍ଧନ କରିଥିଲା ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମର ପ୍ରଥମ ପ୍ରସ୍ତୁତିରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀ, ସୁରମନ୍ଦିର, ନୁପୂର, ରୁଦ୍ରାକ୍ଷ, ନୃତ୍ୟ ନୈବେଦ୍ୟ ଏବଂ ଓଡ଼ିଶା ଡ୍ୟାନ୍ସ କ୍ରିଏସନର ଶିଳ୍ପୀମାନେ ଦଳଗତ ଓଡ଼ିଶୀ ନୃତ୍ୟରେ ଦର୍ଶକଙ୍କୁ ଭେଟି ଦେଇଥିବା ‘ଜଗନ୍ନାଥାଷ୍ଟକମ୍’ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ପଦ୍ମଶ୍ରୀ ଅରୁଣା ମହାନ୍ତି ନୃତ୍ୟ ସଂଯୋଜନା କରିଥିବା ବେଳେ ଅଗ୍ନିମିତ୍ର ବେହେରା ସଙ୍ଗୀତ ଏବଂ ଧନେଶ୍ବର ସ୍ବାଇଁ ବାଦ୍ୟଯନ୍ତ୍ର ସଂଯୋଜନା କରିଥିଲେ ।
ଦ୍ବିତୀୟ ପ୍ରସ୍ତୁତିରେ କୋଲକାତା ସ୍ଥିତ ସାଂସ୍କୃତିକ ଶ୍ରେୟସ୍କର ଅନୁଷ୍ଠାନର ଗୁରୁ ଦେବଶ୍ରୀ ଭଟ୍ଟାଚାର୍ଯ୍ୟ ଏବଂ ସୋହିନୀ ଦେବନାଥଙ୍କ କଥକ ନୃତ୍ୟ ଦର୍ଶକଙ୍କୁ ଆନମନା କରିଥିଲା । ଏହାର ରାଗ ଦରବାରି ଚତୁସ୍ପଦି ଚକ୍ରଧରଣ ଥିଲା । ଅନ୍ତିମ ପ୍ରସ୍ତୁତିରେ ଗୁରୁ ଶୁଭଶ୍ରୀ ମୁଖାର୍ଜୀଙ୍କ ଦେଶାତ୍ମବୋଧ ସମରକଳା ନୃତ୍ୟ ଶିହରଣ ସୃଷ୍ଟି କରିଥିଲା । ଏହାର ନୃତ୍ୟ ସଂଯୋଜନା କରିଥିଲେ ଇଲିଆନା ସୀତାରିଷ୍ଟ ଓ ସଙ୍ଗୀତ ସଂଯୋଜନା କରିଥିଲେ ଶାନ୍ତନୁ ମହାପାତ୍ର । ଉଦ୍ଯାପନୀ ସନ୍ଧ୍ୟାରେ ବିଏମ୍ସି ମେୟର ସୁଲୋଚନା ଦାସ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ଶିତିକାନ୍ତ ଦାଶ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ କୁମାର ରଥ ଅତିଥି ଭାବେ ଉପସ୍ଥିତ ଥିଲେ ।