ଖୋର୍ଦ୍ଧା: ଆଜି ପବିତ୍ର ମକର ସଂକ୍ରାନ୍ତି । ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର । ମକର ସଂକ୍ରାନ୍ତି ଅବସରରେ ଚଳଚଞ୍ଚଳ ହୋଇଉଠିଛି ଜିଲ୍ଲାର ବାଘମାରି ଅଞ୍ଚଳରେ ଥିବା ବାବା ହଟକେଶ୍ୱରଙ୍କ ପୀଠ ଓ ଅଟ୍ରି ଉଷ୍ମପ୍ରସବଣ । ଏଠାରେ ଆରମ୍ଭ ହୋଇଛି ପ୍ରସିଦ୍ଧ ମକର ମେଳା । ଅଟ୍ରି ଉଷ୍ମପ୍ରସବଣର ମାନସିକ କୁଣ୍ଡରେ ଅପୁତ୍ରିକ ନାରୀ ମାନେ ମାନସିକ କରି ଗୁଆ ଖୋଜିଥାନ୍ତି । ଆଉ ଗୁଆ ମିଳିଲେ ସନ୍ତାନ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଏପରି ବିଶ୍ବାସ ରଖି ଓଡ଼ିଶାର କୋଣ ଅନୁକୋଣରୁ ଅପୁତ୍ରିକ ନାରୀ ମାନେ ଧାଇଁ ଆସିଛନ୍ତି ଏହି ପୀଠକୁ । ସକାଳୁ ବହୁ ଭକ୍ତଙ୍କ ଏଟାକୁ ସମାଗମ ହୋଇଛି ।
ଏକାଦଶ ରୁଦ୍ର ବାବା ହଟକେଶ୍ୱରଙ୍କ ପୀଠରେ ମାନସିକ କରି ଗୁଆ ଖୋଜିଥାନ୍ତି ଅପୁତ୍ରିକ ନାରୀ ମାନେ ଓ ଗୁଆ ଖାଇବାର ଏକ ବର୍ଷ ମଧ୍ୟରେ ସନ୍ତାନ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି । ଯେଉଁଠି ଚିକିତ୍ସା ବିଜ୍ଞାନ ହାର ମାନେ ସେଠି ହଟକେଶ୍ୱରଙ୍କ ଅଲୌକିକତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସଂକ୍ରାନ୍ତି ରାତିରୁ ଶ୍ରଦ୍ଧାଳୁ ମାନେ ଏଠାକୁ ଆସି ବୁଡ଼ ପକାଇଛନ୍ତି । ଆଜି ଠାରୁ ହଟକେଶ୍ୱରଙ୍କ ପୀଠରେ ଦୀର୍ଘ 7ଦିନ ଧରି ଚାଲିବ ମକର ମେଳା ଓ ଅଟ୍ରି ଉଷ୍ମପ୍ରସବଣ ପରିସରରେ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ପକ୍ଷରୁ ମହୋତ୍ସବ ଅନୁଷ୍ଠିତ ହେବ । ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ଉଭୟ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।