ଓଡିଶା

odisha

ETV Bharat / state

2023ରେ ଧାଇଁଲା ରୂପାନ୍ତରଣ ଏକ୍ସପ୍ରେସ; ଚର୍ଚ୍ଚାରେ ନବକଳେବର ସହ ବିକାଶମୂଳକ ଯୋଜନା

Development Programme: ଚଳିତ ବର୍ଷ ରାଜ୍ୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଛି । ଭିନ୍ନ ସ୍ଥାନର ନବକଳେବର ସହ ବିକାଶମୂଳକ ଯୋଜନା ଓ ଅନେକ ସ୍କିମ କରିଛନ୍ତି ସରକାର । ବର୍ଷତମାମ କରାଯାଇଥିବା ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ଜାଣନ୍ତୁ...

By ETV Bharat Odisha Team

Published : Dec 30, 2023, 9:06 PM IST

development programme in odisha
ରାଜ୍ୟରେ ରୂପାନ୍ତରଣ କାର୍ଯ୍ୟକ୍ରମ

ଭୁବନେଶ୍ବର: ଶେଷ ହେବାକୁ ଯାଉଛି ୨୦୨୩ ବର୍ଷ । ଚଳିତବର୍ଷ ଫୁଲ ଦମରେ ଗଡ଼ିଛି ରୂପାନ୍ତରଣ ଏକ୍ସପ୍ରେସ । ଯାହାର ବଡ଼ ଉଦାହରଣ ହେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ସମ୍ବଲପୁରରୁ ସୁନ୍ଦରଗଡ଼, ମାଲକାନଗିରିରୁ ମୟୂରଭଞ୍ଜ ସବୁଠି ବିକାଶର ପଦଚିହ୍ନ । ଗାଁରୁ ସହରକୁ ଯିବାକୁ ଗଡୁଛି 'ଲକ୍ଷ୍ମୀ' । ମିଶନ ଶକ୍ତି ମା' ଚଢୁଛି ସ୍କୁଟି । କାଦୁଅ ପଚପଚ ବାଦାମବାଡ଼ିରେ ହୋଇଛି ନେତାଜୀ ବସ୍ ଟର୍ମିନାଲ । ଏସସିବି ମେଡ଼ିକାଲ କଲେଜ ବି ଆଗେଇ ଚାଲିଛି ଏମସ ପ୍ଲସ ହେବା ରାସ୍ତାରେ । ସ୍କୁଲ, କଲେଜ ମଧ୍ୟ ରୂପାନ୍ତରିତ ହୋଇଛି । ସେହିପରି ଶିଳ୍ପ ବିହୀନ କେନ୍ଦ୍ରାପଡ଼ାରେ ବସୁଛି ଏସିଆର ବଡ଼ ଷ୍ଟିଲ ପ୍ଲାଣ୍ଟ। ରାଜ୍ୟରେ ପୁଞ୍ଜିନିବେଶ ଓ ବିକାଶ ପାଇଁ ବିଦେଶ ଯାଇଥିଲେ ମୁଖ୍ୟମନ୍ତ୍ରୀ ଓ ଟିମ୍ । ନବୀନଙ୍କ ପଞ୍ଚମ ପାଳିରେ ଆରମ୍ଭ ହୋଇଥିବା ରୂପାନ୍ତରିତ ମିଶନ ୨୦୨୩ ରେ ଧରିଥିଲା ସୁପର ସ୍ପିଡ୍ ।

୧- ୧ କୋଟି ୧୦ ଲକ୍ଷ ପରିବାରକୁ 'BSKY ନବୀନ କାର୍ଡ':

ସମ୍ପ୍ରସାରିତ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଯୋଜନାର ତୃତୀୟ ପର୍ଯ୍ୟାୟରେ BSKYରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ହସ୍ପିଟାଲରେ କ୍ୟାସଲେସ ସୁବିଧା ଯୋଗାଇ ଦିଆଯିବ । ସରକାରୀ କର୍ମଚାରୀ ଏବଂ ଆୟକରଦାତାଙ୍କୁ ବାଦ ଦେଇ ଗ୍ରାମାଞ୍ଚଳର BSKY ଯୋଜନା ଅଧୀନରେ ନଥିବା ଲୋକ ଏହି ନୂଆ ଯୋଜନାରେ ସାମିଲ ହେବେ । ସମସ୍ତେ ନୂଆ 'BSKY - ନବୀନ କାର୍ଡ' ପାଇବେ। ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର ଉପକୃତ ହେବେ । BSKY - ନବୀନ କାର୍ଡ ଦ୍ବାରା ଆର୍ଥିକ ଦୁରାବସ୍ଥା କାରଣରୁ ଜଟିଳ ରୋଗ ଗୁଡିକର ଚିକିତ୍ସା କ୍ଷେତ୍ରରେ କୋଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଏଥିପାଇଁ ଚିକିତ୍ସାର ସମସ୍ତ ଖର୍ଚ୍ଚ ଓଡିଶା ସରକାର ନିଜ ପାଣ୍ଠିରୁ ବହନ କରିବେ । BSKY ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି । ଏହାସହିତ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍ପିଟାଲ ଗୁଡିକରେ କ୍ୟାସଲେସ ଚିକିତ୍ସା ସୁବିଧା ମଧ୍ୟ ପାଉଛନ୍ତି । ଏଥିପାଇଁ ପଞ୍ଜିକୃତ ହୋଇଥିବା ଘରୋଇ ହସ୍ପିଟାଲ ଗୁଡିକରେ ରାଜ୍ୟ ସରକାର ମାସକୁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗତ ୫ ବର୍ଷରେ BSKY ଯୋଜନାରେ ରାଜ୍ୟ ସରକାର ୪,୫୦୦ କୋଟି ଟଙ୍କା ଖର୍ଚ୍ଚ କରି ୨୧ ଲକ୍ଷ ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍ପିଟାଲରେ କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି ।


୨- ଟ୍ଵିନସିଟିରେ ଗଡିବ ମେଟ୍ରୋ:

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ନିର୍ମାଣ ପାଇଁ ଅନୁମୋଦନ ମିଳିଥିଲା । ପରେ ଏହି ପ୍ରକଳ୍ପର ସମ୍ପ୍ରସାରଣ କରାଯାଇଛି । ଭୁବନେଶ୍ବର ଏୟାରପୋର୍ଟରୁ କଟକ ସହର ଦେଇ ନେତାଜୀ ବସ ଟର୍ମିନାଲ ପର୍ଯ୍ୟନ୍ତ ଗଡିବ । କ୍ୟାପିଟାଲ ହସ୍ପିଟାଲ, ରାଜମହଲ, ବାଣୀବିହାର, ଜୟଦେବ ବିହାର ଓ ପଟିଆ ଛକ ସମେତ ମୋଟ ୨୦ ଟି ମେଟ୍ରୋ ରେଳ ଷ୍ଟେସନ ନିର୍ମାଣ କରାଯିବ । Elevated Viaduct ଉପରେ ସମସ୍ତ ମେଟ୍ରୋ ଧାରଣା ଓ ଷ୍ଟେସନ ରହିବ । ଅତ୍ୟାଧୁନିକ ରେଳ କୋଚର ବ୍ୟବହାର କରାଯିବ । ଅତ୍ୟାଧୁନିକ ଟିକେଟ ବ୍ୟବସ୍ଥା ଏବଂ ସିଗ୍ନାଲ ବ୍ୟବହାର କରାଯିବ। ନୂଆବର୍ଷରେ ପ୍ରକଳ୍ପ କାର୍ଯ୍ୟର ଶୁଭଦେବେ ମୁଖ୍ୟମନ୍ତ୍ରୀ ।

୩-'ଆମ ଓଡିଶା ନବୀନ ଓଡ଼ିଶା'ରେ ଖର୍ଚ୍ଚ ହେବ ୩,୩୯୭ କୋଟି:

'ନୂଆ ଓଡି଼ଶା ସଶକ୍ତ ଓଡିଶା' ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଏହି ଯୋଜନା। ଏହି କାର୍ଯ୍ୟକ୍ରମର ଫୋକସ ହେବ ପ୍ରତି ପଞ୍ଚାୟତ ଓ ପ୍ରତି ଗାଁ । ରାଜ୍ୟରେ 'ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ' ପାଇଁ ୩,୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ। କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ୬,୭୯୪ଟି ପଞ୍ଚାୟତ । ରାଜ୍ୟରେ କାର୍ଯ୍ୟକାରୀ ହେବ ୯୦,୭୨୩ଟି ପ୍ରକଳ୍ପ । ପ୍ରତି ଗାଁ ପାଇବେ ୧୦ ଲକ୍ଷ ଟଙ୍କା । ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତି, ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବ । ଏହା ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ କରାଯିବ ।


୪ - ରାଜ୍ୟବାସୀଙ୍କ ପାଇଁ ନିଜସ୍ୱ ଯୋଜନା 'ମୋ ଘର' :

ରାଜ୍ୟର ନିଜସ୍ୱ ଯୋଜନା 'ମୋ ଘର' ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରୁ ବାଦ ପଡୁଥିବା ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ଏହି ଯୋଜନାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ନୂଆ ଘର ନିର୍ମାଣ, ଘର ସମ୍ପ୍ରସାରଣ, ପୁନଃ ନିର୍ମାଣ ଓ ଅଧା କାମ ସମ୍ପୂର୍ଣ୍ଣ କରିବା ଆଦି ଯୋଜନାରେ ଅନ୍ତର୍ଭୁକ୍ତ ରହିଛି । ହିତାଧିକାରୀଙ୍କ ପାଇଁ ସୁଲଭ ମୂଲ୍ୟରେ ସବସିଡି ଯୁକ୍ତ ଲୋନ ଯୋଗାଇ ଦେଉଛନ୍ତି ସରକାର । ୪ଟି ସ୍ଲାବରେ ଲୋନ ପ୍ରଦାନ କରାଯାଉଛି । ୧ ଲକ୍ଷ, ୧.୫୦ ଲକ୍ଷ, ୨ ଲକ୍ଷ ଓ ୩ ଲକ୍ଷ । ୧୦ ବର୍ଷରେ ଏହି ଲୋନ ସୁଝିବାକୁ ପଡିବ । ଏହାସହ ୧ ବର୍ଷ ମୋରାଟୋରିୟମ ପିରିୟଡ଼ ରହିବ । ଉଭୟ ସାଧାରଣ ଓ SC, STଙ୍କ ଲାଗି ସବସିଡି ବ୍ୟବସ୍ଥା ରହିଛି । ୧ ଲକ୍ଷରେ ସାଧାରଣ ବର୍ଗ ପାଇଁ ୩୦ ହଜାର ଓ SC, ST/ଭିନ୍ନକ୍ଷମଙ୍କ ପାଇଁ ୪୦ ହଜାର, ୧.୫୦ ଲକ୍ଷରେ ସାଧାରଣ ୪୫ ହାଜର ଓ SC, ST/ଭିନ୍ନକ୍ଷମଙ୍କ ପାଇଁ ୫୫ ହଜାର, ୨ ଲକ୍ଷରେ ସାଧାରଣଙ୍କ ପାଇଁ ୬୦ ହଜାର ଓ SC, ST/ଭିନ୍ନକ୍ଷମଙ୍କ ପାଇଁ ୭୦ ହଜାର, ୩ ଲକ୍ଷରେ ମଧ୍ୟ ୬୦ ହଜାର ଓ SC, ST/ଭିନ୍ନକ୍ଷମଙ୍କ ପାଇଁ ୭୦ ହଜାର ଟଙ୍କା ସବସିଡି ବ୍ୟବସ୍ଥା ରହିଛି ।


୫ - ଗାଁରୁ ସହର ଗଡ଼ିଲା 'ଲକ୍ଷ୍ମୀ', ୫ ଟଙ୍କାରେ ବସ ସେବା :

ରାଜଧାନୀ ସହ ଯୋଡ଼ି ହେବ ପଞ୍ଚାୟତ । 'ଲକ୍ଷ୍ମୀ' ଯୋଜନା ମାଧ୍ୟମରେ ସରକାର ପରିବହନ ବ୍ୟବସ୍ଥାରେ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି । ଲକ୍ଷ୍ମୀ ଯୋଜନା ପାଇଁ ୩,୧୭୮କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ୨୦୨୩-୨୪ରୁ ୨୦୨୫-୨୬ ପର୍ଯ୍ୟନ୍ତ ଏହି ପାଣ୍ଠି ମଞ୍ଜୁର ହୋଇଛି । ମାଲକାନଗିରି ଜିଲ୍ଲାରୁ ଯୋଜନାର ଶୁଭାରମ୍ଭ ହୋଇଛି । ଏଥିରେ ୧ ହଜାରରୁ ଅଧିକ ବସ୍ ବ୍ୟବସ୍ଥା ହୋଇଛି । ଯୋଜନା ଅଧୀନରେ ବ୍ଲକ ଓ ଜିଲ୍ଲା ସ୍ତରରେ ବସଷ୍ଟାଣ୍ଡ ନିର୍ମାଣ କରାଯିବ । ବସଷ୍ଟାଣ୍ଡର ରକ୍ଷଣାବେକ୍ଷଣ ଦାୟିତ୍ୱ ମିଶନ ଶକ୍ତି ଗୋଷ୍ଠୀଙ୍କ ହାତରେ ନ୍ୟସ୍ତ ହୋଇଛି । ଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟକୁ ଭୁବନେଶ୍ୱର କିମ୍ବା ଭୁବନେଶ୍ୱର ଭାୟା ପୁରୀକୁ ଯୋଗାଯୋଗ ସୁବିଧା ସୁନିଶ୍ଚିତ କରାଯିବ ।


୬ - ୨୦୨୪ ମାର୍ଚ୍ଚ ସୁଦ୍ଧା ୪,୩୭୩ ପଞ୍ଚାୟତରେ 'ଆମ ବ୍ୟାଙ୍କ' :

ରାଜ୍ୟରେ ବ୍ୟାଙ୍କ ସୁବିଧା ନଥିବା ଅଞ୍ଚଳ ପାଇଁ 'ଆମ ବ୍ୟାଙ୍କ ଯୋଜନା' ଆରମ୍ଭ ହୋଇଛି । ଏହା ଦ୍ବାରା ବ୍ୟାଙ୍କ ସୁବିଧା ନଥିବା ୪,୩୭୩ ପଞ୍ଚାୟତରେ ଲୋକମାନେ ବ୍ୟାଙ୍କିଙ୍ଗ ସୁବିଧା ପାଇବେ । ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ସମସ୍ତ ପଞ୍ଚାୟତକୁ ବ୍ୟାଙ୍କ ସୁବିଧା ପହଞ୍ଚିବ । ପ୍ରଥମ ପର୍ଯ୍ୟାୟରେ ୭୫୪ଟି ପଞ୍ଚାୟତରେ ଏହି ସୁବିଧା ଆରମ୍ଭ ହୋଇଛି । ଓଡିଶାର 'ଆମ ବ୍ୟାଙ୍କ ମଡେଲ' ସାରା ଦେଶରେ ପ୍ରଥମ । ଏହି ବ୍ୟାଙ୍କିଙ୍ଗ ମଡେଲ ସାରା ଦେଶ ପାଇଁ ଏକ ରୋଲ ମଡେଲ ହେବ । ଏହି କାର୍ଯ୍ୟକ୍ରମରେ ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ ଯୋଡି ହୋଇଛନ୍ତି । ଆମ ବ୍ୟାଙ୍କ ଗୁଡିକ ଲୋକଙ୍କୁ ୧୫ ପ୍ରକାର ବ୍ୟାଙ୍କ ସେବା ଯୋଗାଇ ଦେବେ । ରାଜ୍ୟର ସମୁଦାୟ ୬,୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ବା ୪,୩୭୩ଟି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ନାହିଁ । ଆମ ବ୍ୟାଙ୍କ ପାଇଁ ରାଜ୍ୟ ସରକାର ପଞ୍ଚାୟତରେ ବ୍ୟାଙ୍କମାନଙ୍କୁ ଆସନ୍ତା ୫ ବର୍ଷ ପାଇଁ ଘର, ବିଦ୍ୟୁତ ବ୍ୟବସ୍ଥା, ଇଣ୍ଟରନେଟ ଯୋଗାଯୋଗ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବେ ।


୭ - ଗତି ହିଁ ଶକ୍ତି, ସ୍କୁଟର ପାଇଁ ୨ ଲକ୍ଷ ମହିଳାଙ୍କୁ ଋଣ:

'ମିଶନ ଶକ୍ତି ସ୍କୁଟର ଯୋଜନା'ର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସ୍କୁଟର ପାଇଛନ୍ତି ୧୫ ହଜାର ମହିଳା । ୨ ଲକ୍ଷ ମିଶନ ଶକ୍ତି ମହିଳା ଓ ତୃଣମୂଳ ଷ୍ଟାଫଙ୍କୁ ସ୍କୁଟର ଋଣ ଦିଆଯିବ । ଆଉ ଏହି ସୁଧ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ମିଶନ ଶକ୍ତି ମା’ ମାନଙ୍କୁ ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି । ଏହି ଋଣ ବାବଦକୁ ୫୨୮ କୋଟି ଟଙ୍କାର ସୁଧ ରାଜ୍ୟ ସରକାର ଦେବେ । ମା’ଙ୍କ ଗତିଶୀଳତା ଓଡିଶାର ପ୍ରଗତିକୁ ନୂଆ ବେଗ ଦେବ । ମିଶନ ଶକ୍ତି ମହିଳାମାନଙ୍କୁ ସରକାରୀ କାମ ଦେବାରେ ଦେଶରେ ଓଡିଶା ଏକମାତ୍ର ରାଜ୍ୟ ।


୮ -ମିଶନ ଶକ୍ତିକୁ ସୁଧ ରିହାତି, ୨.୫ ଲକ୍ଷ ଗ୍ରୁପ ଖାତାକୁ ଗଲା ୧୨୫ କୋଟି:

ମିଶନ ଶକ୍ତି ଗ୍ରୁପମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ରାଜ୍ୟର ୩୦ଟି ଜିଲ୍ଲାର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପଙ୍କ ବ୍ୟାଙ୍କ ଖାତାକୁ ଏହି ସୁଧ ରିହାତି ମିଳିଛି । ୨୦୨୨ ଏପ୍ରିଲରୁ ଓ ସେପ୍ଟେମ୍ବର ମଧ୍ୟରେ ମହିଳାମାନେ ଯେଉଁ ଋଣ ନେଇଥିଲେ, ସେହି ଋଣର ସୁଧ ପରିମାଣ ପ୍ରଦାନ କରାଯାଇଛି । ମାତ୍ର ୬ ମାସରେ ରାଜ୍ୟ ସରକାର ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି । ବିନା ସୁଧରେ ୫ ଲକ୍ଷ ଋଣ, ଜିଲ୍ଲାସ୍ତରୀୟ ଫେଡେରେସନକୁ ୧ କୋଟି ଓ ବ୍ଲକ ଫେଡେରେସନକୁ ୫୦ ଲକ୍ଷ ଟଙ୍କାର ରିଭଲଭିଂ ଫଣ୍ଡ ଆଦି ଦିଆଯାଇଛି । କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ‘ମା ମାନଙ୍କୁ ଉଦ୍ୟୋଗୀ କରିବା । ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ଋଣ ଓ ୧,୨୦୦ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା ହୋଇଛି ।

- ଓଡିଶା ଗ୍ରାମ୍ୟ ବ୍ୟାଙ୍କର ମେଗା ଋଣ ପ୍ରଦାନ କାର୍ଯ୍ୟକ୍ରମ :

ମିଶନ ଶକ୍ତିର ମହିଳାଙ୍କ ପାଇଁ ମେଗା ଋଣ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ୨୬ ହଜାର ୭୨୨ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧,୦୦୧ କୋଟି ଟଙ୍କାର ଋଣ ପ୍ରଦାନ କରାଯିବ । ଏହାଦ୍ବାରା ରାଜ୍ୟର ୨.୬୮ ଲକ୍ଷ ମା’ ଉପକୃତ ହେବେ । ମିଶନ ଶକ୍ତି ଗୋଷ୍ଠୀଙ୍କୁ ୧୦ ଲକ୍ଷ ଲେଖାଏଁ ଋଣ ପ୍ରଦାନ କରାଯାଇଛି । ପ୍ରତ୍ୟେକ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୧୦ ଲକ୍ଷ ଟଙ୍କାର ଋଣ ମିଳିଛି । ଜିଲ୍ଲାସ୍ତରୀୟ ଫେଡେରେସନ ପାଇଁ ୧ କୋଟି ଏବଂ ବ୍ଲକ ସ୍ତରୀୟ ଫେଡେରେସନ ପାଇଁ ୫୦ ଲକ୍ଷ ଟଙ୍କାର ରିଭଲଭିଂ ଫଣ୍ଡ କରିବା ପାଇଁ ନିଷ୍ପତ୍ତି କରାଯାଇଛି । ଏହାସହିତ ମା'ମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।


୧୦ - ଜାପାନରେ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା:

ରାଜ୍ୟର ବିକାଶ ଓ ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ବିଦେଶ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଟୋକିଓ, କିୟୋଟୋ ଓ ଓସାକ୍କାରେ ନିବେଶକଙ୍କୁ ଭେଟିଥିଲେ ନବୀନ । ୨୫ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳରେ ନବୀନ ତୃତୀୟ ଥର ଲାଗି ବିଦେଶ ଗସ୍ତରେ ଯାଇଥିଲେ । ସପ୍ତାହେ ବ୍ୟାପୀ ଜାପାନରେ ନିବେଶକଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ ନେଇ ଆଲୋଚନା କରିଥିଲେ ନବୀନ ।

୧୧-ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟିତ :

ସୁନ୍ଦରଗଡ ମେଡିକାଲ କଲେଜ ଓ ହସ୍ପିଟାଲର ଆନୁଷ୍ଠାନିକ ଉଦଘାଟିତ ହୋଇଛି । NTPC ltd ସହିତ ମିଳିତ ଉଦ୍ୟମରେ ଏକ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରତିଷ୍ଠା କରାଯାଇଛି । ପଶ୍ଚିମ ଓଡିଶାର ଲୋକମାନଙ୍କ Specialised ସ୍ୱାସ୍ଥ୍ୟ ସେବାକୁ ଅଧିକ କ୍ରିୟାଶୀଳ କରିବା ସହିତ ରାଜ୍ୟରେ ମେଡିକାଲ ଶିକ୍ଷାର ଅଧିକ ବିକାଶରେ ସହାୟକ ହେବ । ଏହି ମେଡିକାଲ କଲେଜ ଓ ହସ୍ପିଟାଲ NTPC ଦ୍ଵାରା Resettlement and Rehabilitation Community ଉନ୍ନୟନ ପାଣ୍ଠିରୁ ୪୧୭.୭୭ କୋଟି ଟଙ୍କାରେ ନିର୍ମାଣ କରାଯାଇଛି । ମେଡିକାଲ କଲେଜଟି NMCଙ୍କଠାରୁ ବର୍ଷ ୨୦୨୨-୨୩ ରେ ୧୦୦ ସିଟରେ ଏମବିବିଏସ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ Letter of Permission ପାଇଛି । ଏହି ମେଡିକାଲ କଲେଜରେ ହରିୟାଣା, ଉତ୍ତରପ୍ରଦେଶ, ବିହାର, ଦିଲ୍ଲୀ ଓ ରାଜସ୍ଥାନର ପିଲାମାନେ ନାମ ଲେଖାଇଛନ୍ତି । ରାଜ୍ୟ ସରକାରଙ୍କ ସରକାରୀ ସ୍କୁଲରେ ପାଠ ପଢିଥିବା ୧୨ ଜଣ ଛାତ୍ର ଏହି ମେଡିକାଲ କଲେଜରେ State Quotaରେ ନାମ ଲେଖାଇଛନ୍ତି ।


୧୨ - ଖୋଲିଲା ଆଇଟି କମ୍ପାନୀ ଡିଲଏଟ ଶାଖା :

ରାଜ୍ୟରେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବ ଡିଲଏଟ କମ୍ପାନୀ । ଆଇସିଓଏମସିରେ ଡିଲଏଟ କମ୍ପାନୀର ଶୁଭାରମ୍ଭ ହୋଇଛି । ୧୨ ମହଲା ବିଶିଷ୍ଟ ଏହି କୋଠାର ୬ ତାଲାରୁ ୧୦ ତାଲା ପର୍ଯ୍ୟନ୍ତ ୫ଟି ଫ୍ଲୋରକୁ ଡିଲଏଟ ବ୍ୟବହାର କରିବ । ପ୍ରତି ସିଫ୍ଟରେ ୫ ଶହ ଲେଖାଏଁ ୩ଟି ସିଫ୍ଟରେ ୧୫ ଶହ କର୍ମଚାରୀ କାର୍ଯ୍ୟ କରିବେ । ରାଜ୍ୟର ଯୁବକ ଯୁବତୀଙ୍କ ଲାଗି ଏହା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ସେହିପରି ରାଜ୍ୟରେ ଆଇବିଏମ, ହାପିଏଷ୍ଟ ମାଇଣ୍ଡ୍‌‌ସ, ଇନଞ୍ଚର ଟେକ, ଇନୋଭେୟାର ଟେକ, ପର୍ଫମ୍ଲିଟିକ୍ସ, ଓପେକ୍ସ ଆମେରିକା, ବର୍ଣ୍ଣଟେକ, ଏଲଫୋଞ୍ଜ, ପିଡବ୍ଲ୍ୟୁସି, ୟୋଭାଣ୍ଟ ଆଣ୍ଡ ଚବ୍ ପରି ବିଶ୍ୱର ପ୍ରମୁଖ ଆଇଟି କମ୍ପାନୀ ଓଡ଼ିଶାରେ ନିଜର କାର୍ଯ୍ୟାଳୟ ଖୋଲିବାକୁ ଯାଉଛନ୍ତି ।


13 -ନୂଆ ରୂପ ପାଇବ ଏକାମ୍ର କ୍ଷେତ୍ର :

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି 'ଏକାମ୍ର ଉନ୍ନୟନ ପ୍ରକଳ୍ପ' । ଏକାମ୍ର ପ୍ରକଳ୍ପ-୨୦୧୯ରେ ରୂପରେଖ ନେଇଥିଲା । ଗତ ଜୁନ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏକାମ୍ର ପ୍ରକଳ୍ପରେ ପାର୍କିଂସ୍ଥଳୀ ସାଙ୍ଗକୁ ମନ୍ଦିରକୁ ଯାଇଥିବା ପ୍ରମୁଖ ରାସ୍ତାର ଚିତ୍ର ବଦଳିବ । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ସବୁ ଭିତ୍ତିଭୂମିର ବିକାଶ ହେବ । ତାଳେଶ୍ୱରରୁ କୋଟିତିର୍ଥେଶ୍ୱର ରାସ୍ତା, ସାନାଟାରିୟମ ଛକରୁ ତାଳେଶ୍ୱର ପର୍ଯ୍ୟନ୍ତ ବକ୍ସ ଡ୍ରେନ କାର୍ଯ୍ୟ ହେବ । ଉତ୍ତର ପାର୍କିଂ ଏବଂ ବାହ୍ୟ ପ୍ରବେଶ ରାସ୍ତାରେ କାର୍ଯ୍ୟ ସହ ପୂର୍ବ ଦ୍ୱାର ଛକ ରାସ୍ତାର ଉଭୟ ପାର୍ଶ୍ଵରେ ଲୋକଙ୍କ ବ୍ୟବହାର୍ଯ୍ୟ ପାଇଁ ଭିତ୍ତିଭୂମୀ ସହ ଲିଙ୍ଗରାଜ ପଛ ଓ ଦକ୍ଷିଣ ପଶ୍ଚିମ ପାର୍କିଂ କାର୍ଯ୍ୟ ହେବ । ପୁରୁଣା ଭୁବନେଶ୍ୱରର ମୂଳ ଐତିହ୍ୟ ମୂଲ୍ୟକୁ ଗୁରୁତ୍ୱ ଦେଇ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।



14 -ସୁଆଣ୍ଡୋରୁ ଆରମ୍ଭ ମହାପୁରୁଷଙ୍କ ଜନ୍ମପୀଠର ବିକାଶ କାର୍ଯ୍ୟକ୍ରମ :

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋର ହୋଇଛି କାୟାକଳ୍ପ । ଗୋପବନ୍ଧୁଙ୍କ ୧୫ ଫୁଟ ଉଚ୍ଚ ପ୍ରତିମୂର୍ତ୍ତୀ ଉନ୍ମୋଚନ ହୋଇଛି । 5T ଅଧୀନରେ ଓଡିଶାର ବରପୁତ୍ର ମାନଙ୍କ ଜନ୍ମପୀଠର ବିକାଶ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଉତ୍କଳ ଗୌରବ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ଶହୀଦ ଲକ୍ଷ୍ମଣ ନାୟକ ଏବଂ ଆହୁରି ଅନେକ ମହାପୁରୁଷଙ୍କ ଜନ୍ମପୀଠର ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି ।



15 - ଖୋର୍ଦ୍ଧାରେ 'ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର':

ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ 'ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର' । ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୂହିକ ବିକାଶ ପାଇଁ ଏହି କେନ୍ଦ୍ର ପ୍ରତିଷ୍ଠା ହେବ । ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଢାଞ୍ଚାରେ ଏହା ପ୍ରତିଷ୍ଠା ହେବ । 'ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର' ଦେଶ ବିଦେଶରେ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ବେଶ ସହାୟକ ହେବ । ପାଇକଙ୍କ ସାମୂହିକ ବିକାଶ ପାଇଁ ସ୍ବତନ୍ତ୍ର ପାଠ୍ୟକ୍ରମ ଜରିଆରେ ଶିକ୍ଷା ପ୍ରଦାନ ସହିତ ପ୍ରଶିକ୍ଷଣ ଓ ଗବେଷଣାର ବ୍ୟବସ୍ଥା ରହିବ ।


16 -ମନ୍ଦିରର ରୂପାନ୍ତରୀକରଣ:

ପୁରୀ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ ଏହାର ଏକ ବଡ଼ ଉଦାହରଣ । ଯାହାକି ଆସନ୍ତା ୧୭ରେ ଲୋକାର୍ପଣ ହେବାକୁ ଯାଉଛି । ସେହିପରି ଚଣ୍ଡୀ ମନ୍ଦିରର ମଧ୍ୟ ଉନ୍ନତିକରଣ କାର୍ଯ୍ୟ ହେବ । ଏହାସହ ନୂଆ ରୂପ ନେବ ବ୍ରହ୍ମପୁରର ବୁଢୀ ଠାକୁରାଣୀ ମନ୍ଦିର । ୨ ଟି ପର୍ଯ୍ୟାୟରେ ଏହି କାମ କରାଯିବ । ଏଥିପାଇଁ ୧୮ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଭକ୍ତଙ୍କ ସୁବିଧା ତଥା ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ମୁଖ୍ୟ ମନ୍ଦିରର ବିକାଶ ସହ ମନ୍ଦିର କାନ୍ଥ ତଥା ଚଟାଣରେ ପଥର ବିଛାଯିବ । ଯଜ୍ଞ କୁଣ୍ଡ, ମନ୍ଦିର କାର୍ଯ୍ୟାଳୟର ପୁନଃନିର୍ମାଣ, ପାଚେରୀ, ଉଦ୍ୟାନ, ସୁସଜ୍ଜିତ ପ୍ରବେଶ ଚିତ୍ର ସହିତ ମନ୍ଦିରକୁ କଳିଙ୍ଗ ସ୍ଥାପତ୍ୟରେ ସୁଶୋଭିତ କରାଯିବ ।

17 -ମେଡିକାଲ କଲେଜ, ତାଳଦଣ୍ଡା କେନାଲର ନବକଳେବର :

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, ତାଳଦଣ୍ଡା କେନାଲ ଓ ରେଭେନ୍ସା ବାଳିକା ବିଦ୍ୟାଳୟର ନବକଳେବର କାର୍ଯ୍ୟ ଜାରି ରହିଛି । ତାଳଦଣ୍ଡାର ନବକଳେବର ପରେ ବୋଟିଂ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details