ଓଡିଶା

odisha

ETV Bharat / state

ଉପ ବାଚସ୍ପତି ପ୍ରାର୍ଥୀ ସାଲୁଗାଙ୍କ ବୟାନ, ମାନିବି ମୁଖ୍ୟମନ୍ତ୍ରୀ ନବୀନଙ୍କ ନିର୍ଦ୍ଦେଶ - ଓଡ଼ିଶା ବିଧାନସଭା

Odisha Assembly: ଉପ ବାଚସ୍ପତି ପଦ ପାଇଁ ନାମାଙ୍କନ ପରେ ସାଲୁଗା ପ୍ରଧାନଙ୍କ ମନ୍ତବ୍ୟ "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ କାମ କରିବି "। ଅଧିକ ପଢ଼ନ୍ତୁ ।

ଉପ ବାଚସ୍ପତି ପ୍ରାର୍ଥୀ ସାଲୁଗାଙ୍କ ବୟାନ "ମାନିବି ମୁଖ୍ୟମନ୍ତ୍ରୀ ନବୀନଙ୍କ ନିର୍ଦ୍ଦେଶ"
ଉପ ବାଚସ୍ପତି ପ୍ରାର୍ଥୀ ସାଲୁଗାଙ୍କ ବୟାନ "ମାନିବି ମୁଖ୍ୟମନ୍ତ୍ରୀ ନବୀନଙ୍କ ନିର୍ଦ୍ଦେଶ"

By ETV Bharat Odisha Team

Published : Nov 20, 2023, 3:24 PM IST

ଉପ ବାଚସ୍ପତି ପ୍ରାର୍ଥୀ ସାଲୁଗାଙ୍କ ବୟାନ "ମାନିବି ମୁଖ୍ୟମନ୍ତ୍ରୀ ନବୀନଙ୍କ ନିର୍ଦ୍ଦେଶ"

ଭୁବନେଶ୍ବର: ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେବେ ଓଡିଶା ବିଧାନସଭାର ପରବର୍ତ୍ତୀ ଉପବାଚସ୍ପତି । ସାଲୁଗା ଉପବାଚସ୍ପତି ପଦ ପାଇଁ ଆଜି(ସୋମବାର) ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତାକାଲି(ମଙ୍ଗଳବାର) ଉପବାଚସ୍ପତି ପଦବୀ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ, ସାଲୁଗା ନିର୍ବାଚିତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ନାମାଙ୍କନ ପରେ ଗଣମାଧ୍ୟମକୁ ସାଲୁଗା କହିଛନ୍ତି ଯେ "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ହିଁ ମୁଁ କାମ କରିବି" ।

ଏହା ମଧ୍ଯ ପଢ଼ନ୍ତୁ: ସାଲୁଗା ପ୍ରଧାନ ହେବେ ବିଧାନସଭାର ପରବର୍ତ୍ତୀ ଉପ ବାଚସ୍ପତି

ଓଡ଼ିଶା ବିଧାନସଭାର ପରବର୍ତ୍ତୀ ଉପବାଚସ୍ପତି ହେବାକୁ ଯାଉଛନ୍ତି ଆଦିବାସୀ ନେତା ସାଲୁଗା ପ୍ରଧାନ । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ ଭାବେ ଆଜି (ସୋମବାର) ନାମାଙ୍କନ ଭରିଛନ୍ତି । ସାଲୁଗା ନାମାଙ୍କନ ଦାଖଲ ପରେ ଗଣମାଧ୍ୟମ ଆଗରେ ରଖିଛନ୍ତି ବଡ଼ ବୟାନ । ସାଲୁଗା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଯେଉଁ ନିର୍ଦ୍ଦେଶ ଦେବେ, ସେ ସେହି ଅନୁସାରେ କାର୍ଯ୍ୟ କରିବେ ।

ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ନାମାଙ୍କନ ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ଆଶୀର୍ବାଦ ନେଇଥିଲେ । ନାମାଙ୍କନ ଦାଖଲ ପରେ ପ୍ରତିକ୍ରିୟା ରଖିଛନ୍ତି ସାଲୁଗା । ସାଲୁଗା କହିଛନ୍ତି ଯେ,"ବିଧାନସଭାର ଉପବାଚସ୍ପତି ପ୍ରାର୍ଥୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ମୋତେ ଚୟନ କରିଛନ୍ତି । ସେଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ବରିଷ୍ଠ ସଦସ୍ୟଙ୍କ ସହଯୋଗ ଓ ପରାମର୍ଶ ନେଇ କାର୍ଯ୍ୟ କରିବି । ଗୃହକାର୍ଯ୍ୟ କିପରି ସୁପରିଚାଳନା ହେବ ସେ ନେଇ ବ୍ୟବସ୍ଥା କରିବି । ଶାସକ ଏବଂ ବିରୋଧୀ ଦଳର ସହଯୋଗରେ ଗୃହ କାର୍ଯ୍ୟ ସ୍ବାଭାବିକ ଭାବେ ପରିଚାଳନା ଲାଗି ପଦକ୍ଷେପ ନେବି" । ସାମ୍ବିଧାନିକ ପଦରେ ଅଧିଷ୍ଠିତ ହେଲେ ମଧ୍ୟ ସଂଗଠନ କାର୍ଯ୍ୟ ପ୍ରଭାବିତ ହେବନାହିଁ ବୋଲି କହିଛନ୍ତି ସାଲୁଗା ପ୍ରଧାନ ।

ସାଲୁଗା ପ୍ରଧାନ ଦୁଇଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ୨୦୦୦ରୁ ୨୦୦୪ ଏବଂ ୨୦୧୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଧାୟକ ଅଛନ୍ତି ସାଲୁଗା । ବିଧାନସଭାର ନିର୍ବାଚନ ଅଧିକାରୀ ତଥା ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ନିକଟରେ ସାଲୁଗା ଆଜି (ସୋମବାର) ନାମାଙ୍କନ ଭରିଥିଲେ । ନାମାଙ୍କନ ଦାଖଲ ସମୟରେ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ପରିବହନ ମନ୍ତ୍ରୀ ଟୁକୁନି ସାହୁ, ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତୀ ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ପଦ୍ମନାଭ ବେହେରା, ଶଶୀଭୂଷଣ ବେହେରା, ସମ୍ବିତ ରାଉତରାୟ, ପ୍ରଣବ ବଳବନ୍ତରାୟ, ସମୀର ଦାସ ଉପସ୍ଥିତ ଥିଲେ ।

ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଉପ ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଏବେ ଖାଲି ପଡ଼ିଛି ଏହି ପଦ । ତେଣୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଉପବାଚସ୍ପତି ପଦ ପାଇଁ ନିର୍ବାଚନ ହେବ । ସାଲୁଗା ପ୍ରଧାନ ହେଉଛନ୍ତି ଓଡିଶା ବିଧାନସଭାର ଦୁଇ ଦୁଇ ଥରର ବିଧାୟକ । ସାଲୁଗା, ବିଜୁ ଜନତା ଦଳ ଟିକେଟରୁ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ସେ ଜି. ଉଦୟଗିରି ବିଧାନସଭା ଆସନରୁ ପ୍ରଥମେ ୨୦୦୦ ନିର୍ବାଚନ ଏବଂ ପରେ ୨୦୧୯ ନିର୍ବାଚନରେ ବିଧାୟକ ନିର୍ବାଚିତ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details