ଓଡିଶା

odisha

ETV Bharat / state

ସତ୍ତା ହରାଇବାକୁ ବସିଲାଣି ଖୋର୍ଦ୍ଧାର ଲୁଙ୍ଗି ଓ ଗାମୁଛା

ବିବାହ ହେଉ ଅବା ବ୍ରତଘର, ଖୋଜା ପଡେ ଖୋର୍ଦ୍ଧାର ନାଲି ଗାମୁଛା । ହେଲେ ଧୀରେଧୀରେ ନାଲି ଗାମୁଛା ତାର ସତ୍ତା ହରାଇବାକୁ ବସିଲାଣି । ବୁଣାକାରଙ୍କ ଦୁଃଖ, ବ୍ୟବସାୟୀଙ୍କ କ୍ଷତି ଓ ଭଙ୍ଗା ଦଦରା ଘର ପାଇଁ ଏହାର ମୁଖ୍ୟ କାରଣ ଭାବେ ଉଭା ହୋଇଛି ।

By

Published : Jun 21, 2019, 2:31 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଖୋର୍ଦ୍ଧା

ଖୋର୍ଦ୍ଧା: ରଙ୍ଗ, ରୂପ, ଜାତି, ଧର୍ମ ଓ ଭାଷାର ଭିନ୍ନତାକୁ ନେଇ ଥାଏ ମଣିଷର ଭିନ୍ନ ଭିନ୍ନ ପରିଚୟ। ତେବେ ଏ ପରିଚୟରେ ବସ୍ତ୍ରର ମଧ୍ୟ ଏକ ଭିନ୍ନ ଭୂମିକା ରହିଛି। ସେହିଭଳି ଖୋର୍ଦ୍ଧାର ନୀଳ ଲୁଙ୍ଗି ଓ ନାଲି ଗାମୁଛା ସବୁ ବସ୍ତ୍ର ଠାରୁ ଭିନ୍ନ। କେବଳ ଓଡ଼ିଶା ନୁହେଁ ସାରା ଦେଶରେ ନିଜ ପରିଚୟ ସୃଷ୍ଟି କରିଛି ଖୋର୍ଦ୍ଧା ଗାମୁଛା ଓ ଲୁଙ୍ଗି। ମାତ୍ର ଏହା ଏବେ ସତ୍ତା ହରାଇବାକୁ ବସିଲାଣି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଖୋର୍ଦ୍ଧା

ଖୋର୍ଦ୍ଧା ବୀର ମାଟିର ପ୍ରତୀକ। ଅନେକ ଚର୍ଚ୍ଚା ଏହାର ଇତିହାସକୁ ନେଇ। ହେଲେ ଏଠାକାର ପ୍ରସିଦ୍ଧ ନାଲି ଗାମୁଛା ଓ ଲୁଙ୍ଗିକୁ ନେଇ କିଛି ସ୍ୱତନ୍ତ୍ର ପରିଚୟ ରହିଛି ଖୋର୍ଦ୍ଧାରେ। ଏହାର ଗୁଣବତ୍ତାକୁ ନେଇ ଏହି ସାମଗ୍ରୀ ସାରା ଓଡ଼ିଶାରେ ପରିଚିତ। କିନ୍ତୁ ଏବେ ସେ ଗୌରବମୟ ଗାଥା ଧୀରେ ଧୀରେ ଅତୀତ ହେବାକୁ ବସିଲାଣି। ବୁଣାକାରଙ୍କ ଦୁଃଖ, ବ୍ୟବସାୟୀଙ୍କ କ୍ଷତି ଓ ଭଙ୍ଗା ଦଦରା ଘର ପାଇଁ ଖୋର୍ଦ୍ଧାର ଲୁଙ୍ଗି ଓ ଗାମୁଛା ବିଲୀନ ହେବାକୁ ବସିଛି।

ଆଜକୁ ପାଖାପାଖି 65 ବର୍ଷ ପୂର୍ବେ ଖୋର୍ଦ୍ଧାରେ ଗାମୁଛା ତିଆରି ଆରମ୍ଭ ହୋଇଥିଲା। ଏହାପରେ ପ୍ରତିଟି ଘର ଘର ଏହି ବୁଣା କାର୍ଯ୍ୟରେ ନିୟୋଜିତ ହେଉଥିଲେ। କିନ୍ତୁ ଏବେ କମିଛି ବିକ୍ରି, ତିଆରି ମୂଲ୍ୟ ଏବଂ ବିକ୍ରିର ମୂଲ୍ୟ। ଫିକା ପଡିଛି ବ୍ୟବସାୟ। ଲୁଙ୍ଗି ଗାମୁଛା ବୁଣିବାରେ ନିର୍ଭର କଲେ ପେଟ ପୁରୁନି କି, ପରିବାରର ଆବଶ୍ୟକତାକୁ ପୂରଣ କରିବାର ସାମର୍ଥ୍ୟ ରହୁନି ବୋଲି ମତ ପ୍ରକାଶ ପାଇଛି। ସବୁଠୁ ଏବେ ବଡ଼ ସମସ୍ୟା ପାଲଟିଛି ବୁଣାକାରଙ୍କ ଅଭାବ।

ବୁଣାକାରଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି ସତ, କିନ୍ତୁ ଏହାର ସୁବିଧା ସୁଯୋଗ ବୁଣାକାର ପାଉଥିବା କହିଛନ୍ତି ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ। ଅନ୍ୟପଟେ ବୁଣାକାର କହିଛନ୍ତି ସରକାରୀ ଯୋଜନା ଓ ସହାୟତାରୁ ସେମାନେ ବଞ୍ଚିତ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details