ଓଡିଶା

odisha

ETV Bharat / state

୩୧ ସୁଦ୍ଧା ଫସଲ ବୀମା ପଞ୍ଜିକରଣ ସାରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଜୁଲାଇ ୩୧ ସୁଦ୍ଧା ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜିକରଣ ସାରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

ଫସଲ ବୀମା ପଞ୍ଜିକରଣ ସଂପର୍କିତ ବୈଠକ
ଫସଲ ବୀମା ପଞ୍ଜିକରଣ ସଂପର୍କିତ ବୈଠକ

By

Published : Jul 28, 2023, 7:14 AM IST

ଭୁବନେଶ୍ବର:ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(PMFBY) ଅଧିନରେ କୃଷକ ପଞ୍ଜିକରଣ ସଂପର୍କିତ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି । ଫସଲ ବୀମା ଯୋଜନା ଅଧିନରେ କୃଷକଙ୍କ ନାମ ବୀମା ପୋର୍ଟାଲରେ ପଞ୍ଜିକରଣ କରିବା କାର୍ଯ୍ୟକୁ ତ୍ବରାନ୍ବିତ କରିବା ନେଇ ଆଲୋଚନା କରାଯାଇଛି । ଆଗାମୀ ଜୁଲାଇ ୩୧ ସୁଦ୍ଧା ସମସ୍ତ ଚାଷୀମାନଙ୍କର ନାମ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ତଥା ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ, କୃଷି ବିଭାଗ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ଉଭୟ ବିଭାଗର ବରିଷ୍ଠ ପଦାଧୀକାରୀ ଉପସ୍ଥିତ ଥିଲେ । ସମସ୍ତ ଜିଲ୍ଲାପାଳ, ଜିଲ୍ଲା ସମବାୟ ନିବନ୍ଧକ, ବିଡିଓ, କୃଷି ଅଧିକାରୀ ଓ ସମବାୟ ସମିତିର କର୍ମକର୍ତ୍ତା ଭିସି ଜରିଆରେ ଯୋଗ ଦେଇଥିଲେ ।

ପୂର୍ବ ନିର୍ଦ୍ଧାରିତ ଅନୁସାରେ ଆଗାମୀ ଜୁଲାଇ ୩୧ ତାରିଖ ସୁଦ୍ଧା ସମସ୍ତ କୃଷକମାନେ ନିଜ ନିଜର ନାମ ବୀମା ପୋର୍ଟାଲରେ ପଞ୍ଜିକରଣ କରିବାକୁ ବୈଠକରେ ଆଲୋଚନା ହୋଇଛି । ଏ ବର୍ଷ ମୌସୁମୀ ବିଳମ୍ବିତ ହୋଇଥିବାରୁ ଓ ବୀମା ପୋର୍ଟାଲରେ ବିଭିନ୍ନ କାରଣରୁ ପଞ୍ଜିକରଣ ବିଳମ୍ବିତ ହେଉଛି । ଏଥିପାଇଁ ସମୟ ସୀମା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । କିନ୍ତୁ ଯେ ପର୍ଯ୍ୟନ୍ତ ସମୟ ବୃଦ୍ଧି ନ ଘଟିଛି ଆଗାମୀ ଜୁଲାଇ ୩୧ ସୁଦ୍ଧା ସମସ୍ତ ଚାଷୀମାନଙ୍କର ନାମ ପଞ୍ଜିକରଣ କରିବାକୁ ବୈଠକରେ ଜିଲ୍ଲାପାଳମାନଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: PMFBY: ୨୦୨୫-୨୬ ଯାଏଁ ଜାରି ରହିବ ନୂତନ ଫସଲ ବୀମା ଚକ୍ର

ସମୀକ୍ଷା ବୈଠକରେ ଖରିଫ-୨୦୨୩ ବର୍ଷର ଫସଲ ବୀମା ସ୍ଥିତି ଉପସ୍ଥାପନ କରାଯାଇଛି । ଧାନ, ହରଡ, ମକା, ଚିନାବାଦାମ, ମାଣ୍ଡିଆ, କପା, ଅଦା, ହଳଦି ଆଦି ୮ ଟି ଫସଲକୁ ବୀମାଭୁକ୍ତ କରିବା ପାଇଁ ଏ ବର୍ଷ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏ ସଂପର୍କରେ ପୂର୍ବରୁ ଜିଲ୍ଲାପାଳମାନଙ୍କୁ ଜିଲ୍ଲାରେ କେତେ ସଂଖ୍ୟକ ଚାଷୀମାନଙ୍କର ପଞ୍ଜିକରଣ କରାଯିବ ଏକ ସମ୍ଭାବ୍ୟ ସଂଖ୍ୟା କୃଷି ବିଭାଗ ପକ୍ଷରୁ ପଠାଯାଇଛି । ଅନୁଷ୍ଠିତ ବୈଠକରେ ଧାର୍ଯ୍ୟ ଲକ୍ଷ୍ୟ ସଂପୂର୍ଣ୍ଣ କରି ଚାଷୀମାନଙ୍କର ଯେତେ ଅଧିକ ସଂଖ୍ୟକ ନାମ ପଞ୍ଜିକରଣ ହେବ, ତାହା ସଂପୂର୍ଣ୍ଣ କରିବାକୁ କୁହାଯାଇଛି । ଆଗାମୀ ୨୯ ଓ ୩୦ ତାରିଖ ୨ ଦିନ ଛୁଟି ଥିବା ସତ୍ତ୍ବେ ଜିଲ୍ଲା ପ୍ରଶାସନ, କୃଷି ବିଭାଗ ସମସ୍ତେ ସହଯୋଗ କରି କାର୍ଯ୍ୟ ତ୍ବରାନ୍ବିତ କରି ଚାଷୀମାନଙ୍କର ବୀମା କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଧାନ ପାଇଁ ଗ୍ରାମ ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ବା ମ୍ୟୁନିସିପାଲଟିରେ ଏବଂ ଅଣ ଧାନ ପାଇଁ ବ୍ଳକ ସ୍ତରରେ କୃଷକମାନଙ୍କର ନାମ ପଞ୍ଜିକୃତ ହେଉଛି । ପୂର୍ବରୁ ଋଣ ନେଇଥିବା କୃଷକମାନେ ସଂପୃକ୍ତ ବ୍ୟାଙ୍କ ଶାଖା ବା ପ୍ରାଥମିକ କୃଷି ସମବାୟ ସମିତିର ପଞ୍ଜିକରଣ କରିପାରିବେ । ଋଣ ନେଇଥିବା ଚାଷୀମାନେ ବ୍ୟାଙ୍କ ଶାଖା, ଜନସେବା କେନ୍ଦ୍ର, ବୀମା କମ୍ପାନି ମଧ୍ୟସ୍ଥି ସଂସ୍ଥା, ବୀମା କମ୍ପାନିଗୁଡିକରେ କାର୍ଯ୍ୟକ୍ଷମ କାର୍ଯ୍ୟାଳୟ କିମ୍ବା ବୀମା ଆପ୍ଲିକେସନ ବ୍ୟବହାର କରି ନାମ ପଞ୍ଜିକରଣ କରିପାରିବେ । ବୈଠକରେ ସବୁ ଜିଲ୍ଲାରେ ଧାନ, ୧୬ଟି ଜିଲ୍ଲାର ୭୫ ବ୍ଲକରେ ଚିନାବାଦାମ, ୯ ଟି ଜିଲ୍ଲାର ୪୪ ବ୍ଲକରେ କପା, ୧୪ ଜିଲ୍ଲାର ୧୨୧ ବ୍ଲକରେ ହରଡ ଓ ୧୮ ଜିଲ୍ଲାର ୧୮୦ ବ୍ଲକରେ ମକା, ୭ ଜିଲ୍ଲାର ୨୫ ବ୍ଲକରେ ଅଦା, ୬ ଜିଲ୍ଲାର ୬୬ ବ୍ଲକରେ ମାଣ୍ଡିଆ ଆଦି ଫସଲକୁ ଚାଷୀମାନେ ବୀମାକରଣ କରିପାରିବେ ।

୨୦୧୬ ମସିହାରୁ ଓଡ଼ିଶା ସରକାର ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ କ୍ଷତି ହେଲେ କ୍ଷତିଗ୍ରସ୍ତ କୃଷକମାନଙ୍କୁ ବୀମା କମ୍ପାନି ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଉଛି । ଏହି ପଞ୍ଜିକରଣ ପାଇଁ ରାଜ୍ୟ ସରକାର ନିଜ ଭାଗରେ ପ୍ରିମିୟମ ବହନ କରିବା ସହ କୃଷକମାନଙ୍କୁ ୨ ହେକ୍ଟର ପର୍ଯ୍ୟନ୍ତ ପ୍ରିମିୟମ ଅଂଶ ମଧ୍ୟ ପ୍ରଦାନ କରୁଛନ୍ତି । ବ୍ୟାଙ୍କ ଆକାଉଣ୍ଟ ସଠିକତା ଯାଞ୍ଚ ପାଇଁ ଟୋକନ ଭାବେ ଚାଷୀଙ୍କୁ ଆବେଦନ ପିଛା ମାତ୍ର ୧ ଟଙ୍କା ଦେବାକୁ ପଡ଼ିବ । ରାଜ୍ୟରେ ପ୍ରାୟ ୨୫ ଲକ୍ଷ କୃଷକ ପଞ୍ଜିକରଣ କରାଯାଇ ପ୍ରାୟ ୨୧ ଲକ୍ଷ ହେକ୍ଟର ଜମି ବୀମାଭୁକ୍ତ ହେବାର ଆଶା କରାଯାଇଛି । ପଞ୍ଜିକରଣ ଅଗ୍ରଗତି ସଂପର୍କରେ ଜିଲ୍ଲାପାଳମାନଙ୍କ ସହ ସ୍ଥିତି ଆଲୋଚନା କରାଯାଇଛି ।

ତ୍ବରିତ ପଦକ୍ଷେପ ନିଆଯାଇ ଆଗାମୀ ୪ ଦିନ ମଧ୍ୟରେ ପଞ୍ଜିକରଣ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳମାନେ ନିଜ ନିଜର ପ୍ରସ୍ତୁତି ସଂପର୍କରେ ମତବ୍ୟକ୍ତ କରିଛନ୍ତି । କୃଷକମାନଙ୍କୁ ବୀମୀ ପଞ୍ଜିକରଣ ନିମ​‌ନ୍ତେ ବିଭିନ୍ନ ସ୍ତରରେ ସଚେତନ କରାଯାଉଛି । ଋଣ ନେଇଥିବା କୃଷକମାନଙ୍କମାନଙ୍କ ପାଇଁ ଅଗଷ୍ଟ ୧୬ ତାରିଖ ସୁଦ୍ଧା ତଥ୍ୟ ଅପଲୋଡ କରିବାର ବ୍ୟବସ୍ଥା ରହିଛି । ଏଣୁ ବିଶେଷ କରି ଋଣ ନ ନେଇଥିବା କୃଷକମାନଙ୍କୁ ଅଧିକ ଗୁରୁତ୍ବ ଦିଆଯାଇ ନାମ ପଞ୍ଜିକରଣ କରିବାକୁ କୁହାଯାଇଛି । ସରକାରୀ ଅଧିକାରୀ, ଜନସେବା କେନ୍ଦ୍ରରେ ଏବଂ ବୀମା କମ୍ପାନି ପ୍ରତିନିଧିଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଏହି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମ ପଞ୍ଚାୟତ ସ୍ତରରେ ପ୍ରଚାର ପ୍ରସାର ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details