ଭୁବନେଶ୍ବର: ଏମ୍ସ ସିଜୁଆ ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଜେଲ୍ । ଅଭିଯୁକ୍ତ ଅଶୋକ ବେହେରାକୁ ୧୦ ବର୍ଷ ଜେଲଦଣ୍ଡ । ସଜ୍ଜା ଶୁଣାଇଲେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ସହାୟକ ଦୌରାଜଜ୍ । ୧୦ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଜରିମାନା ନିର୍ଦ୍ଦେଶ ଦେଲେ କୋର୍ଟ । କୁଖ୍ୟାତ ଅପରାଧି ତଥା ଲୁଟେରା ନଣ୍ଡା ଓରଫ ଅଶୋକ ବେହେରା ନିଜର ସହଯୋଗୀ ଭୀମସେନ ନାୟକ ସହ ମିଶି ୨୦ ଅଗଷ୍ଟ ୨୦୧୭ ମସିହାରେ ଘଟାଇଥିଲା ଗୁଳିକାଣ୍ଡ । ଆଜି ଏହି କେସର ଶୁଣାଣୀ କରି ଅଭିଯୁକ୍ତକୁ ୧୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି କୋର୍ଟ ।
୨୦୧୭, ଅଗଷ୍ଟ ୨୦ ତାରିଖ ଦିନ ପୂର୍ବତନ ପୋଲିସ ଅଧିକାରୀ ବିରୁପାକ୍ଷ ସ୍ବାଇଁଙ୍କ ପୁଅ ବିଶ୍ବରଞ୍ଜନ ସ୍ବାଇଁ ଓ ବୋହୂ ମୋନାଲିସା ରାଉତରାୟ ମାର୍କେଟିଂ ସାରି ଘରକୁ ଫେରୁଥିଲେ । ଲୁଟେରା ଅଶୋକ ଓ ଭୀମସେନ ଏକ ବାଇକ ଯୋଗେ ସେମାନଙ୍କୁ ଫଲୋ କରିଥିଲେ । ଏମ୍ସ ସିଜୁଆ ଠାରେ ଥିବା ଘର ବାହାରେ ବିଶ୍ବରଞ୍ଜନ ଗାଡିରୁ ଓହ୍ଲାଇବା ସମୟରେ ଅତର୍କିତ ଗୁଳିମାଡ କରିଥିଲା ଅଶୋକ । ବିଶ୍ବରଞ୍ଜନ ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିବାବେଳେ ତାଙ୍କ ପତ୍ନୀ ମୋନାଲିସାଙ୍କ ବେକରୁ ସୁନା ଚେନ ଓ କିଛି ଅଳଙ୍କାର ଝାମ୍ପି ନେଇ ଛୁ ମାରିଥିଲେ ଦୁର୍ବୃତ୍ତ । ଏହି ଘଟଣା ପରେ ଅଶୋକ ନାଁରେ ୩୫୭/୧୭ରେ ଆଇପିସି ଦଫା ୩୯୪, ୩୦୭, ୩୪, ଆର୍ମସ ଆକ୍ଟ ୨୫ ଓ ୨୭ ଆଧାରରେ ଗିରଫ କରିଥିଲା କମିଶନରେଟ ପୋଲିସ । ଗିରଫ ପରେ ଅଶୋକ ନାଁରେ ୧୨ରୁ ଊର୍ଦ୍ଧ୍ବ ଅପରାଧିକ ମାମଲା ଟ୍ୟାଗ କରିଥିଲା ପୋଲିସ ।
ପରେ ଏହି ଘଟଣାର ପୋଲିସ ଚାର୍ଜସିଟ୍ ଦାଖଲ ପରେ ଏନେଇ ଟ୍ରାୟଲ ହୋଇଥିଲା । ଘଟଣାରେ ବଳିଷ୍ଠ ସାକ୍ଷୀ ପ୍ରମାଣ ଓ ତଥ୍ୟ ଆଧାରରେ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଏହାର ବିଚାର କରାଯାଇଥିଲା । ଆଇପିସିର ଦଫା ୩୦୭ ମରଣାନ୍ତକ ଆକ୍ରମଣ ଉଦ୍ୟମ, ୩୯୪ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେବା, ଆର୍ମସ ଆକ୍ଟର ୨୫ ଓ ୨୭ ଆଧାରରେ ୧୦ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ କୋର୍ଟ । ଏନେଇ ଅଶୋକକୁ ଝାରପଡ଼ା ଜେଲ୍ ହାଜତକୁ ପଠାଯାଇଛି ।