ଭୁବନେଶ୍ବର: 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ପ୍ରତ୍ୟେକ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ହେଲେ ଏହି ଯୋଜନାର ଅର୍ଥରାଶି ପଞ୍ଚାୟତ ସଂଗଠନ ମାଧ୍ୟମରେ ବିନିଯୋଗ କରାନଯାଇ ପ୍ରଶାସନିକ ସ୍ତରରେ କରାଯିବା ନିଷ୍ପତ୍ତିକୁ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଆରମ୍ଭରୁ ବିରୋଧ କରିଆସୁଛି । ଏପରିକି ଜଳେଶ୍ବର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଲକରେ ନାବରା ପଞ୍ଚାୟତ ସରପଞ୍ଚ ନଗେନ୍ଦ୍ର କୁମାର ସିଂ ସମେତ ୯ ଜଣ ସରପଞ୍ଚ ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଯାହାର ଶୁଣାଣି କରି ହାଇକୋର୍ଟ ପଞ୍ଚାୟତ ପ୍ରତିନିଧି ଓ ଗ୍ରାମସଭାକୁ ଏଥିରେ ସାମିଲ ପାଇଁ ଆନ୍ତରୀଣ ରାୟ ଦେଇଛନ୍ତି ।
ସେପଟେ ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ହାଇକୋର୍ଟଙ୍କ ଝଟକାକୁ ଲାଗିବା ପରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ତଥା ପିସିସି ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, "ଆମ ଓଡି଼ଶା ନବୀନ ଓଡିଶା ଯୋଜନା ସାମ୍ବିଧାନିକ ବିରୋଧୀ ବୋଲି ଆମେ କହିଥିଲୁ । ସରକାର ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିବା କଥା କହୁଛନ୍ତି । ହେଲେ ସରପଞ୍ଚଙ୍କୁ ବାସି ପଖାଳରେ ପଚାରୁ ନାହାନ୍ତି । ହୀନ ନିର୍ବାଚନ ସ୍ବାର୍ଥ ପାଇଁ ଏହି ଯୋଜନା କରାଯାଇଛି । ନିର୍ବାଚନ ପୂର୍ବରୁ କର୍ମୀଙ୍କୁ ମାଲାମାଲ କରିବା ପାଇଁ ଏହି ଯୋଜନା କରାଯାଇଛି ।" ତେଣୁ ଏହା ବିରୋଧରେ ପଞ୍ଚାୟତ ପ୍ରତିନିଧି ଏବଂ ସମସ୍ତ ଜନସାଧରଣଙ୍କୁ ଏକ ହେବାକୁ ଆହ୍ଵାନ ଦେଇଛି କଂଗ୍ରେସ । ହାଇକୋର୍ଟଙ୍କ ରାୟକୁ ସ୍ବାଗତ କରିବା ସହ ବିଜେଡି ସରକାରଙ୍କ 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନା ଯେ ସମ୍ବିଧାନ ବିରୋଧି ଓ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତି ଉପହାସ, ତାହା ଗତ ଅଗଷ୍ଟ ୨୯ ତାରିଖରେ ହାଇକୋର୍ଟଙ୍କ ରାୟ ପ୍ରମାଣିତ କରିଛି ବୋଲି ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସ ପ୍ରକାଶ କରିଛନ୍ତି ।