ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ବରରେ ବ୍ୟାପିବାରେ ଲାଗିଛି ଡେଙ୍ଗୁ । ଗୋଟିଏ ପଟେ ବର୍ଷା ଦିନେ ଜଳବନ୍ଦୀ ସମସ୍ୟା ଉପୁଜି ସ୍ମାର୍ଟସିଟିକୁ ବେହାଲ କରୁଥିବା ବେଳେ ଅନ୍ୟପଟେ ନାଳ ନର୍ଦ୍ଦମାରେ ପାଣି ଜମି ରହୁଥିବାରୁ ମଶା ବଂଶ ବୃଦ୍ଧି ପାଉଛି । ଯାହା ଫଳରେ ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ନେଇ ଅଭିଯୋଗ ଆଣିବା ସହ ଏହାର ସମାଧାନ ଦିଗରେ ବିଏମ୍ସିକୁ ଟାର୍ଗେଟ କରିଛି କଂଗ୍ରେସ । ଡେଙ୍ଗୁ ନିୟନ୍ତ୍ରଣ କରିବାରେ ବିଏମ୍ସି ସମ୍ପୂର୍ଣ୍ଣ ବିଫଳ ହୋଇଛି । ଡେଙ୍ଗୁ ସ୍ଥିତି ଭୟଙ୍କର ହେଉଥିବା ଦେଖି ବିଏମ୍ସି ଆଖି ବୁଜିଦେଇଛି ବୋଲି କହିଛନ୍ତି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ ।
କଂଗ୍ରେସ ମୁଖପାତ୍ର ରଶ୍ମି ମହାପାତ୍ର କହିଛନ୍ତି, "ଡେଙ୍ଗୁ ସ୍ଥିତିରେ ରୋକ୍ ଲଗାଇବା ପାଇଁ ସବୁ ଅଳିଆ ଉଠାଇବା, ମଶାରୀ ବଣ୍ଟନ ଇତ୍ୟାଦି ପାଇଁ କମିଶନରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବାକୁ ଯାଇଥିଲୁ । ହେଲେ ଗ୍ରୀଭାନ୍ସ ଡେ'ରେ ତାଙ୍କର ଦେଖା ମିଳିଲାନି । ଭୁବନେଶ୍ବର ମହାନଗର ନିଗମର ଏଭଳି ଉଦାସୀନତାରୁ ସ୍ପଷ୍ଟ ହେଉଛି, ଡେଙ୍ଗୁ ନିୟନ୍ତ୍ରଣ କରିବାରେ ସେମାନେ କେତେ ତତ୍ପର । ରାଜଧାନୀ ଭୁବନେଶ୍ବରର ୧୩ଟି ପ୍ରାକୃତିକ ନାଳ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି, ପାଣି ଯାଉନି । ଡ୍ରେନ୍ଗୁଡ଼ିକ ପୋତି ହୋଇ ଯାଉଛି । ଡ୍ରେନ୍ରେ ଅଳିଆ ମିଶ୍ରିତ ପାଣି ଜମୁଥିବାରୁ ମଶା ସୃଷ୍ଟି ହେଉଛି । ସ୍ମାର୍ଟସିଟିରେ ଅଳିଆ ନୀତିଦିନ ଉଠା ଯାଉନି । ଫଳରେ ମଶାମାନଙ୍କ ବଂଶ ବୃଦ୍ଧି ପାଉଛି । ସଫେଇ କର୍ମଚାରୀଙ୍କ ଘୋର ଅଭାବ ପରିଲକ୍ଷିତ ହେଉଛି । ସଫେଇକୁ ଘରୋଇକରଣ କରିଛନ୍ତି ବିଏମ୍ସି କର୍ତ୍ତୃପକ୍ଷ । ବସ୍ତି ଅଞ୍ଚଳରେ ଖୋଲା ଡ୍ରେନ୍ ରହିଛି ।" ପୂର୍ବରୁ ମଶାଙ୍କ ପାଇଁ ସବୁ ଜାଗାରେ ମଶା ତେଲ ପଡ଼ୁଥିଲା, ସ୍ପ୍ରେ' ହେଉଥିଲା । ଏବେ ଏସବୁ ଆଉ ହେଉନି କି ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଉନି ବୋଲି କଂଗ୍ରେସ ଅଭିଯୋଗ କରିଛି ।