ଭୁବନେଶ୍ବର: ନବୀନ ସରକାରର “ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ”କୁ ନେଇ ବର୍ଷିଲା କଂଗ୍ରେସ । ଏହାକୁ ନିର୍ବାଚନୀ ଥୋପ କହିବା ସହ କେବଳ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଛାତ୍ର ଛାତ୍ରୀଙ୍କୁ ପ୍ରଭାବିତ କରିବାକୁ ଉଦ୍ଦିଷ୍ଟ ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ତେଜିଲାଣି ଆରୋପ ପ୍ରତ୍ୟାରୋପ ରାଜନୀତି । ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ ସଭାପତି ୟାଶୀର ନବାଜ ଆଜି ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି ।
ସେ କହିଛନ୍ତି,"ସରକାରୀ କଲେଜ ଓ ବିଶ୍ବବିଦ୍ୟାଳୟମାନଙ୍କରେ ଉପଯୁକ୍ତ ଭିତ୍ତିଭୂମି ନାହିଁ, ଅଧ୍ୟାପକଙ୍କର ଘୋର ଅଭାବ ରହିଛି । ନବୀନ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ “ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ” ନାମରେ ଯେଉଁ ଯୋଜନା ପ୍ରଣିତ ହୋଇଛି ଏହା କେବଳ ଆଗାମୀ ସାଧାରଣ ନିର୍ବାଚନରେ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବାକୁ ଉଦ୍ଦିଷ୍ଟ ଛଡା ଆଉ କିଛି ନୁହେଁ ।"
ସେ ଆଉ ମଧ୍ୟ କହିଛନ୍ତି,"୨୦୧୮ ମସିହାରୁ ଛାତ୍ର ସଂସଦ ନିର୍ବାଚନକୁ ବିଜେଡି ବନ୍ଦ କରିଦେଇଛି । ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଛାତ୍ର କଂଗ୍ରେସ ଏବଂ ଅନ୍ୟାନ୍ୟ ଅଣବିଜେଡ଼ି ଛାତ୍ର ସଂଗଠନ ଏବଂ ଓଡ଼ିଶାର ଛାତ୍ର ସମାଜ ବାରମ୍ବାର ଦାବି କରିବା ସତ୍ତ୍ବେ ସରକାର ତାଙ୍କ ଜିଦିରେ ଅଟଳ ରହିବା ଦୁର୍ଭାଗ୍ୟଜନକ । ଏଭଳି ପରିସ୍ଥିତିରେ ଛାତ୍ର ସମାଜକୁ ଆକର୍ଷିତ କରିବା ପାଇଁ ଏବଂ ଆଗାମୀ ନିର୍ବାଚନରେ ସମର୍ଥନ ହାସଲ କରିବା ପାଇଁ ଏହି ‘‘ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ” କରାଯାଇଛି । ଶିକ୍ଷାନୁଷ୍ଠାନରେ କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାମାଜିକ କାର୍ଯ୍ୟକ୍ରମର ଉନ୍ନତି ପାଇଁ ଏହି ଯୋଜନା ଅଭିପ୍ରେତ ବୋଲି କୁହାଯାଇଛି । ନେତୃତ୍ୱ, ବ୍ୟକ୍ତିଗତ ପ୍ରତିଭା ଏବଂ ଟିମ୍ ସ୍ପିରିଟ୍ ବିକାଶ ପାଇଁ ଏହି ଯୋଜନାର କାର୍ଯ୍ୟକ୍ରମ ଏକ ପ୍ଲାଟଫର୍ମ ବୋଲି କୁହାଯାଇଛି । ଏଥିରେ ସମସ୍ତେ ଏକ ପରିବର୍ଦ୍ଧିତ ଗୋଷ୍ଠୀରେ ନିଜକୁ ଯୋଡ଼ି ପାରିବେ ବୋଲି କୁହାଯାଇଛି । ବାସ୍ତବ କ୍ଷେତ୍ରରେ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ କରାଯାଇ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ କରିବା ଏହି ଯୋଜନାର ଭିତିରି ଉଦ୍ଦେଶ୍ୟ ।"
ଏହାମଧ୍ୟ ପଢନ୍ତୁ..ଡିସେମ୍ବର 1ରେ କଂଗ୍ରେସ ତୁଳସୀ ଯାତ୍ରା, ସାରା ରାଜ୍ୟରୁ ସଂଗୃହୀତ ହେବ ତୁଳସୀ