ଭୁବନେଶ୍ବର:ରାଜ୍ୟ ସରକାରଙ୍କୁ ମହିଳା କଂଗ୍ରେସର ଟାର୍ଗେଟ । ବିଜେଡି ସରକାରଙ୍କ 'ସଶକ୍ତ ମହିଳା ସଶକ୍ତ ଓଡ଼ିଶା' ନାରାକୁ 'ପ୍ରତାରିତ ମହିଳା ଦିଶାହୀନ ଓଡ଼ିଶା' ବୋଲି କହିଲା କଂଗ୍ରେସ । ବୁଧବାର ମିଶନ ଶକ୍ତି ଅଧୀନରେ 'ସ୍କୁଟର ଯୋଜନା' ଶୁଭାରମ୍ଭ ହୋଇଥିବାବେଳେ ସ୍କୁଟି ବାଣ୍ଟିବାକୁ ନେଇ ସରକାରଙ୍କୁ କଂଗ୍ରେସ ଟାର୍ଗେଟ କରିଛି । "ପ୍ରଥମ ପର୍ଯ୍ୟାୟରେ 18 ହଜାର ଦେଲେ ମୋଟ 2 ଲକ୍ଷ ସ୍କୁଟି ଦିଆଯିବ । ହେଲେ ଯେଉଁ 70 ଲକ୍ଷ ମହିଳାଙ୍କ ସଶକ୍ତିକରଣ କଥା କୁହାଯାଉଥିବାବେଳେ ବାସ୍ତବରେ ମାତ୍ର 6 ଲକ୍ଷ ମହିଳା ଆର୍ଥିକ ଆୟ କରି ପାରୁଛନ୍ତି । ଗାଁକୁ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନାହିଁ । ସେମାନେ 3 ହଜାର ଟଙ୍କା ଦରମା ପାଉଛନ୍ତି ବୋଲି କହୁଛନ୍ତି । 3ହଜାର ଟଙ୍କା ଦରମାରେ କେମିତି ଋଣ ଶୁଝିବେ ?" ଏଭଳି ପ୍ରଶ୍ନ କରିଛନ୍ତି କଂଗ୍ରେସ ମୁଖପାତ୍ର ରଶ୍ମି ମହାପାତ୍ର ।
ନିର୍ଦ୍ଦିଷ୍ଟ କମ୍ପାନୀର ସ୍କୁଟି କାହିଁକି ଦିଆଗଲା ? ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲା କଂଗ୍ରେସ। ଲୋୟର ପିଏମଜିରେ ଆଶା ଏବଂ ଅଙ୍ଗନୱାଡ଼ି କର୍ମୀ ଦରମା ବଢିବା ନେଇ ଆନ୍ଦୋଳନ କରୁଛନ୍ତି, ହେଲେ ସରକାର ନିର୍ବାଚନକୁ ଆଖି ଆଗରେ ରଖି କେବଳ ସ୍କୁଟି ବଣ୍ଟନ କଲେ । ଆଶା ଏବଂ ଅଙ୍ଗନୱାଡ଼ି କର୍ମୀଙ୍କୁ ବି ଏହି ଯୋଜନାରେ ସାମିଲ କରିବାକୁ ଦାବି କରିଛି କଂଗ୍ରେସ ।
"ପୌରାଞ୍ଚଳଗୁଡ଼ିକରେ 'ମୁକ୍ତା ଯୋଜନା'ରେ SHG ନାଁରେ କାର୍ଯ୍ୟାଦେଶ ଦିଆଯାଇ ବି କାମ କରି ପାରୁନାହାନ୍ତି । ରାଜ୍ୟ ସରକାର ମହିଳାମାନଙ୍କ ବିକାଶ କଥା କହୁଥିବା ବେଳେ ରାଜ୍ୟରେ ମହିଳାମାନଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ । ୭୦ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ମଧ୍ୟରୁ ମାତ୍ର ୬ଲକ୍ଷ ମହିଳା ସଦସ୍ୟା ଛତୁଆ, ପାମ୍ପଡ଼, ବଡ଼ି, ଆଚାର, ସିଲେଇ, ଗୃହ ଉପକରଣ ଆଦି ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟରେ ସହଭାଗୀ ହୋଇଛନ୍ତି । ଆଉ ଅନ୍ୟ ୬୪ଲକ୍ଷ ମା’ମାନଙ୍କ ସ୍ଥିତି କ’ଣ ଏବଂ କେଉଁ କାର୍ଯ୍ୟରେ ନିଯୁକ୍ତ ଅଛନ୍ତି ତାହା ମହିଳା ସଶକ୍ତିକରଣର ମନ୍ତ୍ରୀ ଏବଂ ମିଶନଶକ୍ତିର ନିର୍ଦ୍ଦେଶିକା ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିକୋଣରୁ ଏହାର ତଥ୍ୟ ଜନସାଧାରଣଙ୍କ ନିକଟରେ ପ୍ରକାଶ କରନ୍ତୁ" ବୋଲି ଦାବି କରିଛି କଂଗ୍ରେସ ।