ଭୁବନେଶ୍ବର:ମୋଦିଙ୍କୁ ସାଧୁ ଓ ଶାହଙ୍କୁ ସନ୍ଥ କହି କଟାକ୍ଷ କରିଛି କଂଗ୍ରେସ । ଏହାସହ ମହାଦେବ ବେଟିଂ ଆପ୍ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଏନେଇ କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ କହିଛନ୍ତି, "ଛତିଶଗଡ଼ରେ ହାରିବା ଭୟରେ ଇଡିକୁ ବ୍ୟବହାର କରି ମିଛ ନାଟକ କରୁଛନ୍ତି । 2014 ମସିହା ପରେ ଭାରତର ଅବସ୍ଥା ସଙ୍ଗୀନ । ଏଯାଏଁ ସେମାନେ ମିଛ କଥା କହି ଲୋକଙ୍କୁ ଠକୁଥିଲେ । ଏବେ କର୍ଣ୍ଣାଟକ ନିର୍ବାଚନ ପରେ ଓ ଆଗକୁ ହେବାକୁ ଥିବା ନିର୍ବାଚନ ପୂର୍ବରୁ ମୋଦି- ଶାହା ଏକ ନୂଆ ଫର୍ମୁଲା ଆପଣାଇଛନ୍ତି । ଇଡି ଓ ସିବିଆଇ ଆତଙ୍କବାଦୀ ସଂଗଠନ ଭଳି କାମ କରୁଛନ୍ତି ।"
"ଛତିଗଡ଼ରେ ବିଜେପି ହାରୁଥିବା ଦେଖି ଇଡି ରେଡ଼ ଆରମ୍ଭ କରି ଟଙ୍କା ଜବତ ନେଇ ଘୋଷଣା କଲେ । ମହାଦେବ ବେଟିଂ ଆପକୁ ମୋଦି ସରକାର ସ୍ୱୀକୃତି ଦେଲେ କେମିତି ? ଏଥିରେ ଜିଏସଟି ଲାଗିଲା କେମିତି ? ଏ ବେଟିଂକୁ ବନ୍ଦ କରିବାକୁ 22 ମସିହାରେ ଦାବି ହୋଇଥିଲା । ଛତିଶଗଡ଼ ସରକାର 450ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହାର 2 ମୁଖ୍ୟ ଅଭିଯୁକ୍ତ ଦେଶର ଟଙ୍କା ନେଇ ୨୦୧୪ ମସିହା ପରେ ବିଜେପି ନେତାଙ୍କ ସହଯୋଗରେ ଯାଇଛନ୍ତି । ଦେଶରେ ଚାଲିଥିବା ମୋଦି ସରକାର ଅର୍ଥନୀତିକୁ ଖରାପ ଆଡ଼କୁ ନେଉଛନ୍ତି । ଯାହା କି ଏବେ ସାଧାରଣ ଲୋକ ଜାଣି ସାରିଲେଣି" ବୋଲି କହିଛନ୍ତି ପଞ୍ଚାନନ କାନୁନଗୋ ।