ଭୁବନେଶ୍ବର:ଶାସକ ଦଳ ବିଜେଡି ଆଜି ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କୁ ଦଳରୁ ବହିଷ୍କୃତ କରିଛି । ଏହି ୨ ବିଧାୟକ ଦଳରୁ ବହିଷ୍କୃତ ହେବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଏହାକୁ ଦୃଢ ନିନ୍ଦା କରିଛି କଂଗ୍ରେସ । ଏନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ରାଜ୍ୟ ସରକାର ଏକଛତ୍ରବାଦ ଶାସନ ଚଳାଇଛନ୍ତି । ସେପଟେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କହିବା କଥା ସୌମ୍ୟବାବୁଙ୍କୁ ଦଳରୁ କାଢ଼ିବା ଠିକ କି ଭୁଲ ନିଷ୍ପତ୍ତି, ତାହାର ବିଚାର ସାଧାରଣ ଜନତା କରିବେ ।
ବରିଷ୍ଠ କଂଗ୍ରେସ ବିଧାୟକ ବିଜେଡିର ଏହି କାର୍ଯ୍ୟାନୁଷ୍ଠାନ ଦୃଢ ନିନ୍ଦା କରିଛନ୍ତି । ଆଗକୁ ନିର୍ବାଚନ ଆସୁଥିବାରୁ ବିଜେଡି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ସେ କହିଛନ୍ତି । ସୁର କହିଛନ୍ତି, "ନବୀନ ବାବୁ କଣ ଆଗରୁ ଜାଣିନଥିଲେ । ରେମୁଣା ବିଧାୟକ ଆର୍ଥିକ ଅନିୟମିତତା କଥା କଣ ଏବେ ଜାଣିଲେ ସରକାର ? କେତେ ଜଣଙ୍କୁ ସରକାର କାଢ଼ିବେ ? ଜଗଦେବ, ପ୍ରଦୀପ ପାଣିଗ୍ରାହୀ, ସୌମ୍ୟଙ୍କୁ ଦଳରୁ କାଢ଼ିବା କେତେ ଯଥାର୍ଥ ? ସୌମ୍ୟ ଜଣେ ମାଧ୍ୟମର ସମ୍ପାଦକ ଭାବେ ପ୍ରଶ୍ନ ଉଠାଇବା ଠିକ ନୁହେଁ ଗଣତନ୍ତ୍ରର ହତ୍ୟା । ଏହା ଏକଛତ୍ରବାଦ ଶାସନ । ଏତେ ଦିନ କଣ ପାଇଁ ଚୁପ ଥିଲେ ? ସରକାର କଣ କାହାକୁ ଠକି ନାହାନ୍ତି, ଖାଲି ସୌମ୍ୟ ଠକିଲେ ?"
ଏହା ବି ପଢନ୍ତୁ- ବିଜେଡିରୁ ସୌମ୍ୟ-ସୁଧାଂଶୁ ବହିଷ୍କୃତ; ସୂଚନା ଦେଲେ ନବୀନ
ସେପଟେ ପୂର୍ବତନ ପିସିସି ସଭାପତି ତଥା ସୌମ୍ୟଙ୍କ ବଡ଼ ଭାଇ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, "ବିଜେଡି ଏକ ପ୍ରାଇଭେଟ ଆଞ୍ଚଳିକ ଦଳ । କାହାକୁ ଦଳରେ ରଖିବେ କାହାକୁ ଦଳରୁ କାଢିବେ ସେଇଟା ତାଙ୍କର ଆଭ୍ୟନ୍ତରୀଣ ବ୍ୟାପାର । ମୁଁ ଅନ୍ୟ ଏକ ଦଳରେ ରହି ବିଜେଡି ଦଳ ସମ୍ପର୍କରେ କହିବା ଠିକ ନୁହେଁ । ସୌମ୍ୟବାବୁଙ୍କୁ ଦଳରୁ କାଢ଼ିବା ଠିକ କି ଭୁଲ ନିଷ୍ପତ୍ତି, ତାହାର ବିଚାର ସାଧାରଣ ଜନତା କରିବେ । ମୁଁ ସୌମ୍ୟ ପଟ୍ଟନାୟକଙ୍କ ବଡ ଭାଇ ହୋଇଥାଇପାରେ କିନ୍ତୁ ମୁଁ ଗୋଟିଏ ଦଳର ନୀତିନିୟମରେ ବନ୍ଧା । ଏମିତି ବି ରାଜନୀତି କ୍ଷେତ୍ରରେ ମୁଁ ତାଙ୍କ ସହ କି ସିଏ ମୋ ସହ ଆଲୋଚନା କରନ୍ତି ନାହିଁ । ବ୍ୟକ୍ତିଗତ ଭାବରେ ସୌମ୍ୟବାବୁଙ୍କ ବିପଦ ସମୟରେ ତାଙ୍କୁ ସମର୍ଥନ ହେବା ମୋର କର୍ତ୍ତବ୍ୟ । କିନ୍ତୁ ରାଜନୀତିରେ ନୁହେଁ ।"