ଭୁବନେଶ୍ବର:ରାଜ୍ୟର ଐତିହାସିକ ସ୍ଥାନ ଧଉଳି ଶାନ୍ତିସ୍ତୁପ (Dhauli Santi Stupa) ଚଳିତ ବର୍ଷ ୫୦ବର୍ଷରେ ପଦାର୍ପଣ କରିବାକୁ ଯାଉଥିବାରୁ ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ (Dhauli beautification work) ସରକାର ହାତକୁ ନେଇଛନ୍ତି । ଏହି ବିକାଶମୂଳକ କାର୍ଯ୍ୟରେ ଧଉଳି ପରିସରରୁ ଅନେକ ଗଛ କଟାଯାଉଛି ବୋଲି ଅଭିଯୋଗ ହେଉଛି । ଧଉଳି ସୌନ୍ଦର୍ଯ୍ୟକରଣ ନାଁରେ ସରକାର ପରିବେଶ ନଷ୍ଟ କରୁଛନ୍ତି ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ ଅଭିଯୋଗ ଆଣିଛନ୍ତି । ଗଛ ନ କାଟିବାକୁ ସେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ସୁର ସାମ୍ବାଦିକ ସମ୍ମିଳନୀରେ ଗଛକଟାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି । ଏ ନେଇ ସେ କହିଛନ୍ତି, "ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ସମୟରେ ଆମେ ଏହି ଗଛ ଲଗାଇଥିଲୁ । ସୌନ୍ଦରଯ୍ୟକରଣ ନାଁରେ ଏହି ଗଛ କାଟିବା ଆଦୌ ଯୁକ୍ତିଯୁକ୍ତ ନୁହେଁ । ଧଉଳିର ୫୦ବର୍ଷ ପୂର୍ତ୍ତି ପାଇଁ ସୌନ୍ଦର୍ଯ୍ୟକରଣ କରାଯାଉଛି, ହେଲେ ଗଛ କାହିଁକି କଟାଯାଉଛି ? ଆଗରୁ ରୋମ ଯାଇ ପୋପଙ୍କୁ ଦେଖା କରିଥିଲେ । ଏବେ ବୌଦ୍ଧ ଧର୍ମକୁ ନେଇ ରାଜନୀତି କରି ଗଛ କାଟୁଛନ୍ତି । ଅନ୍ତର୍ଜାତୀୟ ବୌଦ୍ଧ ଧର୍ମୀ ଆସୁଛନ୍ତି ବୋଲି ଆମେ ନୀରବ ଅଛୁ । ଆଗକୁ ଗୋଟିଏ ବି ଗଛ କାଟିଲେ ସରକାରଙ୍କ ବିରୋଧରେ ତୀବ୍ର ବିରୋଧ କରିବ କଂଗ୍ରେସ ।"
ସେପଟେ ବିଜେପି ନେତା ବାବୁ ସିଂହ ମଧ୍ୟ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଗତ ୨୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ କେତେ ଗଛ ଲଗାଇଛନ୍ତି ତାହାର ଆଗ ସ୍ପଷ୍ଟୀକରଣ ରଖନ୍ତୁ । ଯଦି ଗଛକୁ ସଫା କରିବାର ଥିଲା ତାହେଲେ ବର୍ଷା ଦିନେ କରିପାରିଥାନ୍ତେ ହେଲେ ଏବେ ଗଛ ଗୁଡାକୁ ହାଣିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଯେଉଁଠି ଗଛ ଲଗାଇବା କଥା ସରକାର ସେଠାରେ ବୃକ୍ଷରୋପଣ କରୁନାହାନ୍ତି, ମାତ୍ର ଯେଉଁଠି ପୂର୍ବରୁ ଗଛ ଅଛି ତାହାକୁ କାଟିବାରେ ଲାଗିଛନ୍ତି ।"