ଓଡିଶା

odisha

ETV Bharat / state

ସସପେନ୍ସରେ ନବୀନ-ନୀତିଶ ରାଜନୈତିକ ଆଲୋଚନା, କୌଣସି ସୁଫଳ ମିଳିବନି କହିଲା କଂଗ୍ରେସ - କଂଗ୍ରେସ ବିଧାୟକ ସୁର ରାଉତରାୟ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଗସ୍ତରେ ଆସି ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ କୌଣସି ରାଜନୈତିକ ଆଲୋଚନା ହୋଇନଥିବା କହିଥିଲେ । ଏହାକୁ ନେଇ ରାଜନୀତି ତୀବ୍ର ହୋଇଥିବା ବେଳେ ମୋଦି ଆଉ ନବୀନ ଏକ ହୋଇଥିବାରୁ ନୀତିଶଙ୍କୁ କୌଣସି ସଫଳତା ମିଳିବ ନାହିଁ ବୋଲି କହିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ନବୀନ-ନୀତିଶ ଆଲୋଚନାର କୌଣସି ସୁଫଳ ମିଳିବନି କହିଲା କଂଗ୍ରେସ
ନବୀନ-ନୀତିଶ ଆଲୋଚନାର କୌଣସି ସୁଫଳ ମିଳିବନି କହିଲା କଂଗ୍ରେସ

By

Published : May 11, 2023, 7:34 AM IST

ନବୀନ-ନୀତିଶ ଆଲୋଚନାର କୌଣସି ସୁଫଳ ମିଳିବନି କହିଲା କଂଗ୍ରେସ

ଭୁବନେଶ୍ବର: ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ବରରେ ଭେଟି ଦୀର୍ଘ ଦେଢ଼ ଘଣ୍ଟା ଆଲୋଚନା କରି ଫେରିଯାଇଛନ୍ତି । ବୈଠକ ପରେ ଉଭୟ ଗଣମାଧ୍ୟମକୁ ବିବୃତି ଦେଇ ରାଜନୈତିକ ଆଲୋଚନା ହୋଇନାହିଁ ବୋଲି କହିଥିଲେ । ଉଭୟ ଏହି ସାକ୍ଷାତକୁ ସୌଜନ୍ୟମୂଳକ ବୋଲି କହିଥିଲେ । ହେଲେ ରାଜନୈତିକ ଚର୍ଚ୍ଚାକୁ ନେଇ ସସପେନ୍ସ ରଖିଲେ ଉଭୟ ନବୀନ ଓ ନୀତିଶ । କିନ୍ତୁ ଅନ୍ୟପଟେ ନୀତିଶଙ୍କ ଜେଡି(ୟୁ) ପକ୍ଷରୁ ନୀତିଶ ନବୀନଙ୍କୁ ଭେଟି ବିଜେପି ବିରୋଧୀ ମେଣ୍ଟକୁ ସୁଦୃଢ଼ କରିଛନ୍ତି ବୋଲି ଟ୍ବିଟ କରାଯାଇଥିଲା । ଯାହାକୁ ନେଇ ତେଜୁଛି ରାଜନୀତି ।

ତେବେ ଏହି ପ୍ରସଙ୍ଗରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଉଭୟ ନୀତିଶ ଆଉ ନବୀନଙ୍କ ମଧ୍ୟରେ ଦେଢ଼ ଘଣ୍ଟା ଆଲୋଚନା ହୋଇଛି । ରାଜନୈତିକ ଆଲୋଚନା ନହେବା ଅସମ୍ଭବ । ଥାର୍ଡ ଫ୍ରଣ୍ଟକୁ ଯଦି ଯିବାର ଅଛି, ଏହାକୁ ଘୋଷଣା କରିବାର ସତ ସାହସ ରଖନ୍ତୁ ନବୀନ ବାବୁ ।" ସେପଟେ କଂଗ୍ରେସ ମଧ୍ୟ ଏହାକୁ ସହଜରେ ଗ୍ରହଣ କରିପାରିନାହିଁ । ତେବେ ମୋଦି ଆଉ ନବୀନ ଏକ ହୋଇଥିବାରୁ ନୀତିଶଙ୍କୁ କୌଣସି ସଫଳତା ମିଳିବ ନାହିଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଓ କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଜୟଦେବ ଜେନା କହିଛନ୍ତି, "ନୀତିଶ କୁମାର ହେଉଛନ୍ତି ଜଣେ ଚତୁର ନେତା । ଠିକ ସମୟ ଦେଖି ନିଷ୍ପତ୍ତି ନିଅନ୍ତି । ଭାରତବର୍ଷରେ ଅଣବିଜେପି ସରକାର ଗଠନ କରିବାକୁ ପ୍ରୟାସ ରଖିଛନ୍ତି ନୀତିଶ । ସବୁ ଅଣବିଜେପି ମୁଖ୍ୟମନ୍ତ୍ରୀ ମାନଙ୍କୁ ସେ ଭେଟିଛନ୍ତି । ଯେଉଁ ପର୍ଯ୍ୟନ୍ତ କୌଣସି ନିର୍ଯାସ ନବାହାରିଛି ସେପର୍ଯ୍ୟନ୍ତ ସେ କିଛି କହିବେ ନାହିଁ । ନବୀନ ସବୁବେଳେ କୁହନ୍ତି ସମଦୂରତା ରଖନ୍ତି । ହେଲେ ବିଗତ ଦିନରେ ବିଜେପିକୁ ସଂସଦରେ ପୂର୍ଣ୍ଣ ସମର୍ଥନ ଦେଇ ଆସିଛନ୍ତି । ଯାହା ପ୍ରମାଣିତ କରିଛି ସେ ବିଜେପି ସହ ଅଛନ୍ତି । ତେବେ ବିଜେଡିର ଜଣେ ଟାଣୁଆ ନେତା ଏକ ସଭାରେ କହିଛନ୍ତି ଓଡ଼ିଶାରେ ବିଜେପିର କିଛି ନାହିଁ । ବିଜେପି ନବୀନଙ୍କ ବିନା ନିଷ୍ପତ୍ତିରେ ବିଜେପି କିଛି କରିପାରିବ ନାହିଁ । ତେଣୁ ବିଜେପି ଓ ବିଜେଡି ଏକ । ତେଣୁ ନୀତିଶଙ୍କୁ କୌଣସି ସଫଳତା ମିଳିବ ନାହିଁ ।"

ସେପଟେ ସୁର କହିଛନ୍ତି, "ନବୀନ ଓ ମୋଦିଙ୍କର ଭଲ ସଂପର୍କ ରହିଛି । ମୋଦିଙ୍କ ବିରୋଧରେ ନବୀନ ଯିବେନି । ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଭଲ ସଂପର୍କ ରହିଛି । ମୋଦିଙ୍କୁ ସବୁଥିରେ ସାହାଯ୍ୟ କରୁଛନ୍ତି ନବୀନ । ତେଣୁ ନୀତିଶଙ୍କ ଆଲୋଚନା ଫଳପ୍ରଦ ହେବନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details