ଭୁବନେଶ୍ବର:ଆଉ ନିର୍ବାଚନ ଲଢିବେନି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ନିର୍ବାଚନ ଲଢିବେ ନାହିଁ ବୋଲି କଂଗ୍ରେସ ବିଧାୟକ ସୁର ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ସେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେନି ହେଲେ ରାଜନୀତିରେ ରହିବେ । ଆଗକୁ ତାଙ୍କ ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢିବେ । ସେ ୫୦ ବର୍ଷରୁ ଅଧିକ ସମୟ ଧରି କଂଗ୍ରେସରେ ରହିଥିବାରୁ ତାଙ୍କ ପୁଅ ମଧ୍ୟ କଂଗ୍ରେସ ଟିକେଟରୁ ଲଢିବ ବୋଲି ସୁର ରାଉତରାୟ ସୂଚନା ଦେଇଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ସୁର ରାଉତରାୟ କହିଛନ୍ତି, ''ମୁଁ ରାଜନୀତିରେ ରହିବି ହେଲେ ଆଉ ନିର୍ବାଚନ ଲଢ଼ିବି ନାହିଁ । ମୋ ପୁଅ ମନ୍ମଥ ରାଉତରାୟ ଜଟଣୀରୁ କଂଗ୍ରେସ ଟିକେଟରୁ ଲଢିବ । ମୋତେ ୮୦ ହେଲାଣି ।'' ଏହାସହିତ ସୁର ଗତକାଲି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କରିଥିବା ନେଇ ଜଣାଇଛନ୍ତି ।
ଏହି ସାକ୍ଷାତକାର ସମ୍ପର୍କରେ ସେ କହିଛନ୍ତି ଯେ, ମୋ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ପର୍ବତ ଆରୋହଣ କରି ଯେଉଁ ରେକର୍ଡ କରିଛନ୍ତି ସେହି ସଫଳତା ବିଷୟରେ ଜଣାଇବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲି । ମୁଖ୍ୟମନ୍ତ୍ରୀଙ୍କ ସହ ଭଲ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀ ଏବଂ 5T ସଚିବ ମୋ ପୁଅର ସଫଳତା ବିଷୟରେ ଜାଣି ଖୁସି ଓ ଆଶ୍ଚର୍ଯ୍ୟ ହେଲେ । କେବଳ ମୋ ବଡ଼ ପୁଅ କଥା ଚର୍ଚ୍ଚା ହେଲା ଅନ୍ୟ କୌଣସି ରାଜନୈତିକ ଚର୍ଚ୍ଚା ହୋଇନଥିବା କହିଛନ୍ତି କଂଗ୍ରେସ ନେତା ।