ଭୁବନେଶ୍ବର:ସୌଦାମିନୀଙ୍କୁ ନ୍ୟାୟ ପାଇଁ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ । ପାରଳାଖେମୁଣ୍ଡିର ମେଧାବୀ ଆଦିବାସୀ ଛାତ୍ରୀ ସୌଦାମିନୀ ରଇତା ଓ ତାଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ଓଡିଶା ମାନବ ଅଧିକାର କମିଶନ (OHRC)ର ଦ୍ୱାରସ୍ଥ ହେଲା କଂଗ୍ରେସ । ଆଜି ସୌଦାମିନୀଙ୍କ ପରିବାର ସହ ଭୁବନେଶ୍ୱର OHRC କାର୍ଯ୍ୟାଳୟରେ କମିଶନଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ସୌଦାମିନୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ସୌଦାମିନୀ ରଇତାଙ୍କ ମୃତ୍ୟୁ ଘଟଣାରେ ନ୍ୟାୟ ଦାବି କରି ତାଙ୍କ ମାଆ ସୁଜ୍ଞାନୀ ଗମାଙ୍ଗୋ ୪୬ ଦିନ ଧରି ଧାରଣାରେ ମଧ୍ୟ ବସିଥିଲେ । ଝିଅ ମୃତ୍ୟୁ ଘଟଣା ଅପମୃତ୍ୟୁ ନୁହେଁ ଏହା ଏକ ଦୁଷ୍କର୍ମ ଓ ହତ୍ୟା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ଏହାପରେ ଏହି ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ତଦନ୍ତକୁ 5 ମାସ ବିତିଗଲା ପରେ ବି ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବା ଦୂରର କଥା ଏପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ପ୍ରକାଶ ପାଇନାହିଁ ।
ତେଣୁ ଆଜି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ସୌଦାମିନୀ ଓ ତାଙ୍କ ପରିବାରଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟ ମାନବ ଅଧିକାର କମିଶନରଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି । OHRC ସଦସ୍ୟ ଅସୀମ ଅମିତାଭ ଦାସଙ୍କୁ ଭେଟି ଏହି ଘଟଣା ବିଷୟରେ ଆଲୋଚନା କରିଛନ୍ତି ବିଜୟ । ସେ କହିଛନ୍ତି, "ଆଦିବାସୀ ଝିଅକୁ ନ୍ୟାୟ ଦେବାକୁ ଏକ ନିର୍ଣ୍ଣାୟକ ଲଢେଇ ଲଢ଼ିବ କଂଗ୍ରେସ । ନିକଟରେ ଗଜପତି ଜିଲ୍ଲା ଗସ୍ତ ସମୟରେ ଏହି ମେଧାବୀ ଆଦିବାସୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ଖବର ସାମ୍ନାକୁ ଆସିଥିଲା । ପୀଡିତାଙ୍କ ମା' ବିଭିନ୍ନ ସ୍ଥାନରେ ନ୍ୟାୟ ପାଇଁ ଦାବି କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିପାରିନାହିଁ ।"
ଏହା ବି ପଢନ୍ତୁ...ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ଓ ASI ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ଏକାଠି ହେଲେ ଶହ ଶହ ଆଦିବାସୀ