ଭୁବନେଶ୍ବର:ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତ ରାୟଙ୍କୁ ଭେଟିଲେ ନୂଆ କରି କଂଗ୍ରେସରେ ଯୋଗଦେଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ସୋମବାର ସେ ହଠାତ ସୁରଙ୍କ ଘରେ ପହଞ୍ଚିଥିବା ବେଳେ ଏ ନେଇ ଅନେକ ପ୍ରଶ୍ନ ଉଠିଛି । ସେପଟେ ବିଜୟ କଂଗ୍ରେସରେ ଯୋଗଦେବା ପରେ ସୁରଙ୍କୁ ବିମାନ ବନ୍ଦର କିମ୍ବା କଂଗ୍ରେସ ଭବନରେ ଦେଖିବାକୁ ମିଳିନଥିଲା । ଏନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ପ୍ରାୟ ସପ୍ତାହ ପରେ ଆଜି ବିଜୟ ସୁରଙ୍କ ଭେଟଘାଟ ହୋଇଛି । ଯାହାକୁ ନେଇ ବେଶ ଚର୍ଚ୍ଚା ହେଉଛି । ସେପଟେ ବିଜୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଘରକୁ ଯାଇ ତାଙ୍କ ସୁପୁତ୍ର ପୃଥିବୀ ବଲ୍ଲଭ ପଟ୍ଟନାୟକଙ୍କୁ ମଧ୍ୟ ଭେଟିଛନ୍ତି ।
ଆଜି ବିଜୟ ସୁରଙ୍କୁ ଭେଟିବା ପରେ ବିଭିନ୍ନ ମହଲରେ ଅନେକ ପ୍ରଶ୍ନ ଉଠିଛି । ବିଜୟ ସୁରଙ୍କ ସହ ନିଜ ଆଡୁ ଭେଟିବା ପରେ ଭୁବନେଶ୍ବର କଂଗ୍ରେସ ରାଜନୀତି ଏବେ ସରଗରମ । ବିଜୟ ହଠାତ ସୁରଙ୍କ ଘରକୁ ଯିବା ଭୁବନେଶ୍ବରର କଂଗ୍ରେସ କର୍ମୀ, ନେତା ଓ ଭୁବନେଶ୍ବର ଜନସାଧାରଣଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଯେତେବେଳେ ବିଜୟ ପଟ୍ଟନାୟକ ଚଳିତ ମାସ ୧୩ ତାରିଖରେ ଦିଲ୍ଲୀରୁ ଫେରି ଭୁବନେଶ୍ବର ପହଞ୍ଚିଥିଲେ ତାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ କଂଗ୍ରେସ ଭବନକୁ ନିଆଯାଇଥିଲା । କଂଗ୍ରେସ ଭବନରେ ବରିଷ୍ଠ ନେତାମାନେ ତାଙ୍କୁ ସ୍ବାଗତ କରିଥିଲେ ।
ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିଥିଲେ। କିନ୍ତୁ ସେଠାରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । କଂଗ୍ରେସର ପୋଷ୍ଟର ବୟ ସୁର ରାଉତରାୟଙ୍କୁ ନା ବିମାନ ବନ୍ଦରରେ ନା କଂଗ୍ରେସ ଭବନରେ ଦେଖିବାକୁ ମିଳିନଥିଲା । ସୁରଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା । ସବୁ କାର୍ଯ୍ୟକ୍ରମରେ କଂଗ୍ରେସ ଭବନରେ ଉପସ୍ଥିତ ଥିବା ସୁର କାହିଁକି ବିଜୟଙ୍କ ସମ୍ବର୍ଦ୍ଧନା ସଭାକୁ ଆସିନଥିଲେ ତାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା ।