ଭୁବନେଶ୍ବର: ରାଜଧାନୀ ଉପକଣ୍ଠ କଲ୍ୟାଣପୁର ପଞ୍ଚାୟତରେ 5T ଅଧୀନରେ ଥିବା ନୃସିଂହନାଥ ଉଚ୍ଚ ବିଦ୍ୟାଳୟକୁ ଗ୍ରାମବାସୀମାନେ ଦୀର୍ଘ ଦିନ ଧରି ତାଲା ପକାଇଛନ୍ତି । ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢୁଛନ୍ତି । ପାଖାପାଖି ୨୦୦ ଛାତ୍ରଛାତ୍ରୀ ଏଠାରେ ପଢୁଛନ୍ତି । ତେବେ ୨୦୦ ଛାତ୍ରଛାତ୍ରୀଙ୍କୁ ୫ ଜଣ ଶିକ୍ଷକ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ କିରାଣୀ କାମ (ଅଫିସ କାର୍ଯ୍ୟ) କରୁଛନ୍ତି ଓ ବଳକା ୪ ଜଣ ପାଠ ପଢ଼ାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍କୁଲରେ ଦୀର୍ଘ ଦିନ ଧରି ତାଲା ପକାଇଛନ୍ତି ଗ୍ରାମବାସୀ । ତେବେ ଏଠାରେ ଆଜି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାସଙ୍କ ନେତୃତ୍ବରେ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ପହଞ୍ଚି ଲୋକମାନଙ୍କ ସହ ଆଲୋଚନା କରିବା ସହ ତୁରନ୍ତ ଗ୍ରାମବାସୀଙ୍କ ଦାବି ପୂରଣ ନହେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ।
କିଛିଦିନ ତଳେ 5T ଅଧୀନରେ ସ୍କୁଲ କାମ କରାଯାଇଥିଲେ ବି ଦୀର୍ଘ ଦିନ ଧରି ଆବଶ୍ୟକୀୟ ଶିକ୍ଷକ ଓ କର୍ମଚାରୀ ନଥିବାରୁ ପିଲାମାନଙ୍କ ପଢ଼ିବାରେ ବହୁ ଅସୁବିଧା ହେଉଛି । ଗ୍ରାମବାସୀମାନେ ସ୍କୁଲରେ ତାଲା ପକାଇବା ପରେ କିଛି ପିଲା (୫୦ ଜଣ) ସ୍କୁଲ ପାଖ ମନ୍ଦିର ବାରଣ୍ଡାରେ ବସି ପାଠ ପଢୁଥିବାବେଳେ ଆଉକିଛି ପିଲା ସ୍କୁଲକୁ ଆସୁନାହାନ୍ତି । ସଂସ୍କୃତ ଶିକ୍ଷକ ପାଳି ଅନୁସାରେ ୩ଟି ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ଏନେଇ ଗ୍ରାମବାସୀମାନେ ଶିକ୍ଷାମନ୍ତ୍ରୀଙ୍କୁ ଅଭିଯୋଗ କରିବା ପରେ ଆପଣଙ୍କ ଅଞ୍ଚଳର ବିଧାୟକଙ୍କୁ ଜଣାନ୍ତୁ ବୋଲି ମନ୍ତ୍ରୀ କହିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗ୍ରାମବାସୀମାନେ ସ୍କୁଲର ଅଭିଯୋଗ ନେଇ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଗଲେ ବି କେହି କର୍ଣ୍ଣପାତ କରୁନାହାନ୍ତି । ଏପରିକି ସରକାରୀ ଅଧିକାରୀ ସ୍କୁଲ ବନ୍ଦ କରିଦେବା ଧମକ ଗ୍ରାମବାସୀଙ୍କୁ ଦେଇଥିବା ଅବିଯୋଗ ହୋଇଛି । ତେଣୁ ଅନ୍ୟ ଉପାୟ ନପାଇ ଗ୍ରାମବାସୀମାନେ ସ୍କୁଲ୍ରେ ନୋଟିସ ମାରିବା ସହ ତାଲା ପକାଇଛନ୍ତି ।