ଝାରସୁଗୁଡ଼ାରେ ଉଭୟ ବିଜେଡି ଏବଂ ବିଜେପି ହିଂସା ଘଟାଉଛନ୍ତି: କଂଗ୍ରେସ ଭୁବନେଶ୍ବର: ରାଜନୈତିକ ହିଂସାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ହିଂସା ଏକ ବିକୃତ ମାନସିକତା । ହିଂସା ମାନବିକତାର ବ୍ୟତିକ୍ରମ । ବର୍ତ୍ତମାନ ସମୟରେ ରାଜନୀତିରେ, ବିଶେଷ କରି ନିର୍ବାଚନ ସମୟରେ ହିଂସା ଏକ ଟ୍ରେଣ୍ଡରେ ପରିଣତ ହୋଇଛି । ଅନେକ ସମୟରେ ରାଜନୈତିକ ଦଳ ଗୁଡ଼ିକ ଭୋଟ ହାତେଇବା ପାଇଁ ହିଂସାତ୍ମକ ପନ୍ଥା ଆପଣାଉଥିବା ଦେଖିବାକୁ ମିଳିଛି । ନିର୍ବାଚନ ହେଉ ବା ଉପନିର୍ବାଚନ, ସବୁଥିରେ ହିଂସା ଏବେ ଦେଖିବାକୁ ମିଳୁଛି । ଝାରସୁଗୁଡ଼ା ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ସେଠାରେ ମଧ୍ୟ ପ୍ରାକ ନିର୍ବାଚନୀ ହିଂସା ଦେଖାଦେଇଛି । ଏହାକୁ ନେଇ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ ।
ଝାରସୁଗୁଡ଼ା ଉପନିର୍ବାଚନରେ ଶାସକ ବିଜେଡି ଏବଂ ବିରୋଧୀ ବିଜେପି ମଧ୍ୟରେ ହିଂସାକୁ ନେଇ ଏକ କସରତ ଚାଲିଛି । ଉଭୟ ଅଭିଯୋଗ ଆଣୁଛନ୍ତି ଉଭୟଙ୍କ ନାଁରେ । କେତେବେଳେ ଶାସକ ବିଜେଡି ଦଳ ସାମ୍ବାଦିକ ସମ୍ମିଳନୀରେ ବିଜେପି ହିଂସା ଆଚରଣ କରୁଛି ବୋଲି ଅଭିଯୋଗ ଆଣୁଛି ତ ଆଉ କେତେବେଳେ ବିଜେପି ଶାସକ ଦଳ ନେତାମାନେ ହିଂସା ଘଟାଉଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହେଉଛି ।
ତେବେ ଗତକାଲି(ଶୁକ୍ରବାର) ସକାଳେ ବିଜେପି ସାଂସଦ ସୁରେଶ ପୂଜାରୀ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ପୀଡ଼ିତଙ୍କୁ ଭେଟିବାକୁ ଯିବାବେଳେ ଅଟକ ରଖିବା ଘଟଣାରେ ଲୋକସଭା ସ୍ବାଧିକାର ଭଙ୍ଗ ନୋଟିସକୁ ନେଇ ରିପୋର୍ଟ ତଲବ ହୋଇଛି ବୋଲି ସୂଚନା ଦେଇଥିଲେ । ସେପଟେ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପି ହିଂସା ଘଟାଉଛି ବୋଲି ଅଭିଯୋଗ ଆଣିଥିଲା ।
ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ବିଜେଡି କହିଲା, "ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ । ଝାରସୁଗୁଡା ଉପନିର୍ବାଚନ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ନାଁରେ ୧୨ଟି ମାମଲା ସମେତ ହତ୍ୟା ଉଦ୍ୟମ ମାମଲା ଅଛି । ପଦ୍ମପୁର ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ନାଁରେ ୭ ମାମଲା ରହିଥିଲା । ଇରାଶିଷ ଆଚାର୍ଯ୍ୟଙ୍କ ନାଁ ରେ ୧୪ ଓ ଜୟନାରାୟଣ ମିଶ୍ରଙ୍କ ନାଁରେ ୧୬ ମାମଲା ଅଛି । ହାରିବା ଭୟରେ ରକ୍ତମୁଖା ହେଲାଣି ବିଜେପି ।" ଫଳରେ ବିଧାୟିକା କୁସୁମ ଟେଟେ ଓ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଲୋକଙ୍କୁ ଆକ୍ରମଣ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଥିଲା ।
ସେପଟେ କଂଗ୍ରେସ ହିଂସା ପାଇଁ ଉଭୟ ବିଜେଡି ଓ ବିଜେପିକୁ ଦାୟୀ କରିଛି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଝାରସୁଗୁଡା ଏକ ଶାନ୍ତିପୂର୍ଣ୍ଣ ଜିଲ୍ଲା । ବିଜେପି ସାରା ଦେଶରେ ହିଂସା ଘଟାଉଛି । ଉଭୟ ବିଜେଡି ଏବଂ ବିଜେପି ଭୋଟ ହାତେଇବା ପାଇଁ ହିଂସା ଘଟାଉଛନ୍ତି । ହିଂସା ଆଚରଣ ଠିକ ନୁହେଁ । ଜବରଦସ୍ତ ଭୋଟ ନେବା ପାଇଁ ଉଭୟ ଦଳ ହିଂସା କରିବାରେ ବ୍ୟସ୍ତ । ଭୋଟର ମାନଙ୍କୁ ସ୍ଵାଧୀନତା ଦିଅ, ସେମାନେ ତାଙ୍କ ପ୍ରତିନିଧି ବାଛନ୍ତୁ । ଯିଏ ତାଙ୍କ ମତରେ ଠିକ ସେମାନେ ତାକୁ ଚୟନ କରନ୍ତୁ । ଅର୍ଥ ଲୋଭ, ବାହୁବଳ ଦେଖାଇବା ବନ୍ଦ କର ।" ତେବେ ଆଗାମୀ ଦିନରେ ହିଂସାରେ ପୂର୍ଣ୍ଣଚ୍ଛେଦ ପକାଇବାର ଆବଶ୍ୟକତା ରହିଛି । ନଚେତ ନିଜର ମୌଳିକ ଏବଂ ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିବାକୁ ଜନସାଧାରଣ ବା ଭୋଟର ଡରିବେ ।
ଇଟିଭି ଭାରତ, ଭୁବନେଶ୍ବର