ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭିକେ ପାଣ୍ଡିଆନ୍ଙ୍କ ଉପରକୁ କାଳିମାଡ଼ ପରେ ଜୋର ଧରିଛି ରାଜନୀତି । ଏହି ଘଟଣାରେ ବିଜେଡି ସିଧାସଳଖ ବିଜେପିକୁ ଦାୟୀ କରିଛି । ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ପାଇଁ ଏହା ବିଜେପିର ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ସେପଟେ କିନ୍ତୁ କଂଗ୍ରେସ ଏହାକୁ ଶାସକ ଦଳର ପ୍ରାୟୋଜିତ ଘଟଣା ବୋଲି କହିଛି । କାରଣ ପୋଲିସ ଉପସ୍ଥିତିରେ 5T ସଚିବଙ୍କୁ କାଳି ମାଡ଼ ହୋଇଛି । ପାଖରେ ଏତେ ପୋଲିସ ଥିବା ସତ୍ତ୍ବେ ଏହା କେମିତି ସମ୍ଭବ । ନବ ଦାସ ହତ୍ୟା ଘଟଣା ପରେ ସିକ୍ୟୁରିଟି ପୁରା ଦିଆଯାଇଛି 5T ସଚିବଙ୍କୁ । ଆଗକୁ ନିର୍ବାଚନ ଆସୁଥିବାରୁ କ୍ରେଡିଟ୍ ନେବା ପାଇଁ ଶାସକ ଦଳର ଏହା ଏକ ଚାଲ୍ ବୋଲି କହିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।
ତେବେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ପୂର୍ବରୁ ବିରୋଧୀ ମାନେ ଭିନ୍ନ ଭିନ୍ନ ଉପାୟରେ ବିରୋଧ କରୁଥିଲେ । କେତେବେଳେ କଳା ପୋଷାକ ପିନ୍ଧି କଳା ବେଲୁନ ଉଡ଼ାଇ ବିରୋଧ କରାଯାଉଥିଲା ତ କେତେବେଳେ ଅଣ୍ଡାମାଡ଼ କରୁଥିଲେ ବିରୋଧୀ । ହେଲେ ପ୍ରଥମ ଥର ପାଇଁ ତାଙ୍କ ସଭାରେ କଡା ସୁରକ୍ଷାବଳୟ ମଧ୍ୟରେ ମଧ୍ୟ 5T ସଚିବଙ୍କ ଉପରକୁ କାଳିମାଡ଼ ହୋଇଛି । ତେବେ ସମ୍ପୃକ୍ତ ବ୍ୟକ୍ତି କାହିଁକି କାଳିମାଡ଼ କଲେ ଓ ସେ କେଉଁ ଦଳର ପ୍ରଶ୍ନ ଉଠିଥିବା ବେଳେ ବିଜେଡି ଏହି ଘଟଣାରେ ବିଜେପିକୁ କାଠଗଡ଼ାକୁ ଆଣିଛି । ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ପାଇଁ ଏହା ବିଜେପିର ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ବିଧାୟକଙ୍କର ଏପରି ଅଭିଯୋଗକୁ ବିଜେପି ଖଣ୍ଡନ କରିଥିବା ବେଳେ କଂଗ୍ରେସ କହିଛି ସେ ବିଜେଡିର ଲୋକ । ପଞ୍ଚାନନ କହିଛନ୍ତି, "ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରସଙ୍ଗକୁ ଏଡ଼ାଇବା ପାଇଁ ଏପରି କରିଛି ବିଜେଡି । କାରଣ ସୌମ୍ୟ ପଟ୍ଟନାୟକ ନିଜ ଦଳକୁ ସମାଲୋଚନା କରିଥିଲେ । ଏହି ଘଟଣା ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଏହାକୁ ଏଡ଼ାଇବା ପାଇଁ, ଲୋକଙ୍କ ମନରୁ ଦୂର କରିବା ପାଇଁ ଏପରି କାଣ୍ଡ ଖୋଦ ବିଜେଡି ଭିଆଇଛି ।"