ଭୁବନେଶ୍ବର: ନବୀନ ପଟ୍ଟନାୟକ । ସାଢେ 4 କୋଟି ଓଡିଶାବାସୀଙ୍କ ମୁଖ୍ୟମନ୍ତ୍ରୀ । ନୂଆ ଓଡିଶା ନିର୍ମାଣର ସ୍ବପ୍ନ ଦେଖିଥିବା ମହାନ ଜନନାୟକ, ବିଚକ୍ଷଣ, ଅପ୍ରତିଦ୍ବନ୍ଦୀ ଅପରାଜେୟ ଲଗାତାର 5 ଥର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ଥିବା ନବୀନ ପଟ୍ଟନାୟକ ଆଜି 78 ବର୍ଷରେ ପାଦ ଥାପିଛନ୍ତି । ରାଜନୀତିର 'ର' ଅକ୍ଷର ସହ ସମ୍ପର୍କ ନଥିଲା । ହେଲେ ଆଜି ସେ ମୁଖ୍ୟମନ୍ତ୍ରୀ ଭାବେ ସର୍ବାଧିକ ଲୋକପ୍ରିୟ । ଲଗାତାର 23 ବର୍ଷ ଧରି ରାଜ୍ୟ ମୁଖିଆ ହୋଇଛନ୍ତି । ବିଜୁ ପଟ୍ଟନାୟକଙ୍କ ଦାୟାଦ ଭାବେ ରାଜ୍ୟ ବିଜେତା ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ହୃଦୟରେ ଘର କରିଛନ୍ତି । ଲୋକପ୍ରିୟତା ବଢ଼ିଛି ନମ୍ବର ୱାନ୍ ସିଏମ ହୋଇଛନ୍ତି । ଘାତ ପ୍ରତିଘାତ ଭିତରେ ନିଜ ରାଜନୈତିକ ଶତ୍ରୁଙ୍କ ମୂଳୋତ୍ପାଟନ କରି ଅପରାଜେୟ ଭାବେ ନିଜକୁ ଉଭା କରିଛନ୍ତି ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀଙ୍କ ପିଲାଦିନ:1946 ମସିହା ଅକ୍ଟୋବର 16 ତାରିଖରେ ନବୀନ ପଟ୍ଟନାୟକ ଜନ୍ମଗ୍ରହଣ କରିଥିଲେ । ସ୍ବର୍ଗତଃ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କ ତୃତୀୟ ସନ୍ତାନ ଭାବେ କଟକରେ ଜନ୍ମ ନେଇଥିଲେ ନବୀନ । ଡେରାଡୁନରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ସହ ପ୍ରତିଷ୍ଠିତ ଡୁନ ସ୍କୁଲରେ ପାଠ ପଢିଛିଲେ । ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ କଳାରେ ଡିଗ୍ରୀ ହାସଲ କରି ବିଦେଶ ଯାଇଥିଲେ ନବୀନ । ଲେଖା ଲେଖିରେ ତାଙ୍କର ଅଧିକ ରୁଚି ଥିଲା ।
ନବୀନଙ୍କ ରାଜନୀତି କ୍ୟାରିୟର: 1997 ମସିହା ପରେ ରାଜନୀତିରେ ପାଦ ଥାପିଥିଲେ ସେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସେ ଓଡିଶା ଆସିବା ସହ ସକ୍ରିୟ ରାଜନୀତିରେ ନିଜକୁ ସାମିଲ କରଥିଲେ । 1997 ମସିହା ଅପ୍ରେଲ 12 ତାରିଖରେ ସେ ଜନତା ଦଳ ଟିକେଟରେ ଆସ୍କା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ପରେ ବିଜୁ ଜନତା ଦଳ ଗଠନ କରି ପୁଣି ଲୋକସଭାକୁ ନିର୍ବାଚିତ ହୋଇ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଖଣି ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ପରେ 2000 ମସିହାରେ ବିଜେପି ସହ ମେଣ୍ଟ କରି ଓଡିଶା ବିଧାନସଭା ନିର୍ବାଚନୀ ବୈତରଣୀ ପାର ହୋଇଥିଲେ । 2000 ମସିହାରେ କଂଗ୍ରେସକୁ ମାତ ଦେଇ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ । ସେବେଠୁ ନନଷ୍ଟପ୍ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ।
2000, 2004, 2009, 2014 ଓ 2019 ମସିହାରେ ଲଗାତାର ଭାବେ ପଞ୍ଚମ ପାଳି ଖେଳିଛନ୍ତି ନବୀନ । ପ୍ରାଞ୍ଜଳ ଓଡ଼ିଆ ନଜାଣି ମଧ୍ୟ ଓଡିଆଙ୍କ ନେତା ଭାବେ ରାଜ୍ୟ ମୁ୍ଖିଆ ହୋଇ ରାଜ୍ୟ ରାଜନୀତିରେ ରାଜ୍ କରୁଛନ୍ତି । 2000ରୁ 2009 ମସିହା ପର୍ଯ୍ୟନ୍ତ ବିଜେପି ସହ ମେଣ୍ଟ କରି ସରକାର ଗଠନ କରିଥିବାବେଳେ 2009 ମସିହାରେ ବାମ ଦଳ ସହିତ ମେଣ୍ଟ କରି ନିର୍ବାଚନ ନଦୀ ପାର ହୋଇଥିଲେ ନବୀନ । 2014 ଓ 2019 ମସିହାରେ ବିଜେଡି ଏକାକୀ ଲଢି ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ଅପରାଜେୟ ଓ ଅପ୍ରତିଦ୍ବନ୍ଦ୍ବୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ ।