ଭୁବନେଶ୍ବର:ଖୋର୍ଦ୍ଧା ଏବଂ ଜଗତସିଂହପୁର ଜିଲ୍ଲାରେ ଆରମ୍ଭ ହେଲା "ଆମ ଓଡିଶା ନବୀନ ଓଡିଶା" କାର୍ଯ୍ୟକ୍ରମ । ଭର୍ଚୁଆଲ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଖୋର୍ଦ୍ଧାର 7ଟି ନିର୍ବାଚନମଣ୍ଡଳୀ ପାଇଁ ୯୫ କୋଟି ଟଙ୍କାର ୨୭୬୩ଟି ପ୍ରକଳ୍ପ ଏବଂ ଜଗତସିଂହପୁରର ୪ଟି ନିର୍ବାଚନ ମଣ୍ଡଳୀ ପାଇଁ ୯୯ କୋଟି ଟଙ୍କାର ୨୯୨୨ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ପ୍ରତି ପଞ୍ଚାୟତ ଏହି ଯୋଜନା ମାଧ୍ୟମରେ ୫୦ ଲକ୍ଷ ଟଙ୍କା ପାଇବେ।
ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ ଭର୍ଚୁଆଲ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ପଞ୍ଚମ ଦିନରେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।
ଏହାମଧ୍ୟ ପଢନ୍ତୁ..ଆମ ଓଡ଼ିଶା ନବୀନ ଓଡିଶାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଖୋର୍ଦ୍ଧାରେ 2763 ପ୍ରକଳ୍ପର ଶିଳାନ୍ୟାସ
ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀକୁ ୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଖୋର୍ଦ୍ଧାର ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା ଜୟଦେବ, ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା ଓ ଚିଲିକା । ଏହିସବୁ ନିର୍ବାଚନମଣ୍ଡଳୀର ୧୦ଟି ବ୍ଲକ୍ରେ ୧୯୦ଟି ଗ୍ରାମ ପଞ୍ଚାୟତରେ ୨୭୬୩ଟି ପ୍ରକଳ୍ପ ହେବ। ସେହିପରି ଜଗତସିଂହପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୯ କୋଟି ଟଙ୍କା ମଂଜୁର ହୋଇଛି। ଏହିସବୁ ନିର୍ବାଚନମଣ୍ଡଳୀ ଗୁଡିକ ହେଲା ପାରାଦୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା ଓ ଜଗତସିଂହପୁର। ଏଥିରେ ୮ଟି ବ୍ଲକ୍ର ୧୯୮ଟି ଗ୍ରାମପଞ୍ଚାୟତରେ ୨୯୨୨ ଟି ପ୍ରକଳ୍ପ କରାଯିବ।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି,'ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ । ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ । ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।'
ଏହାମଧ୍ୟ ପଢନ୍ତୁ..CM Visit to Kalahandi: କଳାହାଣ୍ଡି ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ, ତେଜିଲା ରାଜନୀତି
ସେ ଆଉ ମଧ୍ୟ କହିଛନ୍ତି, "ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । ବ୍ୟାଙ୍କିଂ ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର ପ୍ରାଥମିକ ବିଦ୍ୟାଳୟଗୁଡିକ ମଧ୍ୟ ସାମିଲ ହେବ । ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ। ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ସୁଦୃଢ ହେବ ଓ ଡେଣା ଶକ୍ତ ହେବ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ସାକାର ହେବ ।"
ଅନ୍ୟପଟେ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ଦୁଇଟି ଜିଲ୍ଲାର ୯୨ଟି ଗୁରୁତ୍ବପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୩୨୧.୬୭ କୋଟି ମଞ୍ଜୁର କରିଥିବା ନେଇ ମଧ୍ୟ ସୂଚନା ଦେଇଥିଲେ । ଏଥିରେ ଅନେକ ମଠ, ମନ୍ଦିର, ଶିକ୍ଷାନୁଷ୍ଠାନ ସାମିଲ ରହିଛି । ତେବେ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ୭ଟି ଓ ଜଗତସିଂହପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା । 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ ।
ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହିତ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ୮ଟି ପ୍ରକଳ୍ପ ପାଇଁ ୩୪.୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହା ସହିତ ବେଗୁନିଆ ହସ୍ପିଟାଲକୁ ଉପଖଣ୍ଡ ହସ୍ପିଟାଲ ଭାବେ ଉନ୍ନିତ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି ବୋଲି ସେ ସୂଚନା ଦେଇଥିଲେ ।