ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ 5T ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଯୋଜନାରେ ରହିଛି ୧୬ଟି କାର୍ଯ୍ୟକ୍ରମ । ଚଳିତ ବର୍ଷ ଖର୍ଚ୍ଚ ହେବ ୪୪୮ କୋଟି । ଏଥିରେ ଉପକୃତ ହେବେ ଏକ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ, ୫୦ ହଜାରରୁ ଅଧିକ ମତ୍ସ୍ୟଚାଷୀ ଓ ୧୧ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ।
ଆଜି ବିଶ୍ବ ମତ୍ସ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ମତ୍ସ୍ୟଜୀବୀମାନଙ୍କ ପାଇଁ ୧୬ଟି କାର୍ଯ୍ୟକ୍ରମ ରହିଛି । ଏ ବର୍ଷ ଏଥିପାଇଁ ୪୪୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା । ସେମାନଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବା । ମା'ମାନଙ୍କୁ ସଶକ୍ତ କରିବା ଏବଂ ସର୍ବୋପରି ରାଜ୍ୟର ଆର୍ଥିକ ବିକାଶ କରିବା । ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ, ମତ୍ସ୍ୟଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନିବେଦନ କରିଛନ୍ତି । କହିଛନ୍ତି ଯେ, ଆପଣମାନଙ୍କ କଲ୍ୟାଣ ଓ ବିକାଶ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି । ଆପଣମାନେ ଏହାର ସୁଯୋଗ ନେଇ ନିଜର ଓ ରାଜ୍ୟର ସମୃଦ୍ଧିରେ ଯୋଗଦାନ ରଖନ୍ତୁ । ରାଜ୍ୟରେ ପ୍ରଚୁର ଜଳସମ୍ପଦ ରହିଛି । ଅର୍ଥନୀତିର ବିକାଶ ପାଇଁ ଜଳସମ୍ପଦର ପୂର୍ଣ୍ଣ ବିନିଯୋଗ ଆମର ଲକ୍ଷ୍ୟ ।
ଅଧିକ ପଢନ୍ତୁ- ବସ୍ତିବାସିନ୍ଦା ପାଇଁ 3 ସୁଲଭ ବାସଗୃହ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ୧୭୨୨ ହିତାଧିକାରୀ ଉପକୃତ
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଆମର 5T ନୀତିରେ କାର୍ଯ୍ୟକାରୀ କରାଯିବ । ଏଥିରେ ୧୧ ହଜାରରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ୫୦ ହଜାର ମାଛ ଚାଷୀ ଓ ଏକ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ଉପକାର ପାଇବେ । ଗତ ୨୦ ବର୍ଷ ଭିତରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ଚାରି ଗୁଣ ବୃଦ୍ଧି ପାଇଛି । ସାମୁଦ୍ରିକ ମତ୍ସ୍ୟ ରପ୍ତାନୀ ୪୫୦୦ କୋଟି ଟଙ୍କାରେ ପହଞ୍ଚିଛି । ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ଓଡିଶା ମତ୍ସ୍ୟନୀତି-୨୦୧୫ ଏବଂ ଓଡ଼ିଶା ଜଳଭଣ୍ଡାର ମତ୍ସ୍ୟନୀତି-୨୦୧୨ ଆଣିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ଓଡ଼ିଶା ଆଜି ମାଛ ଯାଆଁଳ ଉତ୍ପାଦନରେ ଆତ୍ମନିର୍ଭର ହୋଇପାରିଛି । ମତ୍ସ୍ୟଜୀବୀମାନଙ୍କ କଲ୍ୟାଣ ପାଇଁ ଗରିବ ଲୋକଙ୍କ କଲ୍ୟାଣ ପଇଁ ମୋ ସରକାର କାମ କରୁଛନ୍ତି । ଆପଣମାନଙ୍କ ସାମାଜିକ ସୁରକ୍ଷା, ଖାଦ୍ୟ ସୁରକ୍ଷା, ରୋଜଗାର ଓ ପୁଷ୍ଟିକୁ ଅଧିକ ଗୁରୁତ୍ୱ ଦେଇ ଅନେକ ପଦକ୍ଷେପ ନିଆଯାଇଛି ।
ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଜନତାଙ୍କ ମୁଖ୍ୟମନ୍ତ୍ରୀ । ଜନତାଙ୍କ କଲ୍ୟାଣ ପାଇଁ ସେ ସବୁବେଳେ ନୂଆ ନୂଆ ଯୋଜନା କରିଆସିଛନ୍ତି । ଆଜି ବିଶ୍ୱ ମତ୍ସ୍ୟ ଦିବସରେ ଏହି ଯୋଜନା ରାଜ୍ୟର ମତ୍ସ୍ୟ କ୍ଷେତ୍ରରେ ରୂପାନ୍ତର ଆଣିବାରେ ସହାୟକ ହେବ । ଏହି ଯୋଜନାର ବିଭିନ୍ନ ଆଭିମୁଖ୍ୟ ସମ୍ପର୍କରେ ମନ୍ତ୍ରୀ ବିସ୍ତୃତ ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ସମବାୟ ସଚିବ ଅରବିନ୍ଦ ଅଗ୍ରୱାଲ, କୃଷି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଓ ମତ୍ସ୍ୟଜୀବୀମାନେ ଅନ୍ଲାଇନ୍ ଜରିଆରେ ଯୋଡ଼ି ହୋଇଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ସ୍ବାଗତ ଭାଷଣ ଦେଇଥିବାବେଳେ ମତ୍ସ୍ୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର