ଓଡିଶା

odisha

ETV Bharat / state

Krushi Odisha 2023: କୃଷି ଯାନ୍ତ୍ରିକୀକରଣ, ରୋଜଗାର ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ - ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ରାଜ୍ୟସ୍ତରୀୟ ବାର୍ଷିକ କୃଷି ମହୋତ୍ସବ ‘କୃଷି ଓଡିଶା ୨୦୨୩’ର ଉଦଘାଟନ କରି ମୁଖ୍ୟମନ୍ତ୍ରୀ କୃଷି କ୍ଷେତ୍ରରେ ଟେକ୍ନୋଲୋଜି ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି । ଟେକ୍ନୋଲୋଜି ବ୍ୟବହାର କରି ଅଣଧାନ ଅର୍ଥକରୀ ଫସଲ ଚାଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

CM Naveen
CM Naveen

By

Published : Feb 16, 2023, 3:50 PM IST

କୃଷି ଓଡ଼ିଶା ୨୦୨୩

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ବାର୍ଷିକ କୃଷି ମହୋତ୍ସବ ‘କୃଷି ଓଡିଶା ୨୦୨୩’ ଉଦଘାଟନ କରିଛନ୍ତି । ଆସନ୍ତା ୩ ଦିନ ଧରି ବରମୁଣ୍ଡା ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଜାରି ରହିବ । ତେବେ ମୁଖ୍ୟମନ୍ତ୍ରୀ ଫାର୍ମ ମେକାନାଇଜେସନ ଓ ଫସଲ ବିବିଧତା ଉପରେ ଗୁରୁତ୍ବ ଦେଇଛନ୍ତି । ଚାଷୀଙ୍କୁ ନୂଆ ନୂଆ ଟେକ୍ନୋଲୋଜିର ବ୍ୟବହାର କରିବା ସହିତ ଅଧିକ ପରିମାଣରେ ଅଣଧାନ ଅର୍ଥକରୀ ଫସଲ ଚାଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପରାମର୍ଶ ଦେଇଛନ୍ତି ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ କୃଷି ଓଡିଶା-୨୦୨୩ ଗୁରୁବାରଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଟେକ୍ନୋଲୋଜି ହେଉଛି ବିକାଶର ଆଧାର । କୃଷି କ୍ଷେତ୍ରରେ ମଧ୍ୟ ଟେକ୍ନୋଲୋଜିର ବହୁତ ଆବଶ୍ୟକତା ରହିଛି । ଏ ବର୍ଷ ମେଳାରେ କୃଷି କ୍ଷେତ୍ରରେ ନୂଆ ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି । ସେଥିପାଇଁ ମୁଁ ବହୁତ ଖୁସି । ଚାଷୀମାନେ ସମସ୍ତେ ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣିବା ସହ ଏହାର ବ୍ୟବହାର ମଧ୍ୟ କରିବେ । କୃଷି କ୍ଷେତ୍ରରେ ସଫଳ ହୋଇ ନିଜର ଓ ନିଜ ରାଜ୍ୟର ଉନ୍ନତିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିବେ।"

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, "କୃଷି ଓ କୃଷକମାନଙ୍କ ଉନ୍ନତି ମୋ ସରକାରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ । କୃଷି କ୍ଷେତ୍ରରେ ଓଡ଼ିଶା ଆଜି ଏକ ଆଗୁଆ ରାଜ୍ୟ ହୋଇପାରିଛି । ଖାଦ୍ୟରେ ଅଭାବ ଥିବା ରାଜ୍ୟରୁ ଆଜି ଖାଦ୍ୟଶସ୍ୟରେ ଏକ ବଳକା ରାଜ୍ୟ ହୋଇ ସାରା ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଇ ପାରୁଛୁ । କାଳିଆ ଯୋଜନା ଦ୍ବାରା ଚାଷୀ ମାନଙ୍କୁ ରୋଜଗାର ସୁରକ୍ଷା ମିଳିପାରିଛି । ଫାର୍ମ ମେକାନାଇଜେସନ ଉପରେ ଗୁରୁତ୍ବ ଦିଆଯାଇ ଫସଲ ଉତ୍ପାଦକତା ବଢାଇବା ପାଇଁ ଉଦ୍ୟମ ଜାରି ରହିଛି ।"

ଏହା ବି ପଢନ୍ତୁ- ଚାଷୀଙ୍କ ସହଯୋଗରୁ ଆନ୍ଦୋଳନରେ ପରିଣତ ହୋଇଛି ପାଣି ପଞ୍ଚାୟତ: ମୁଖ୍ୟମନ୍ତ୍ରୀ

ପଣସ ମିଶନ, ଛତୁ ମିଶନ ଆଦି ସ୍ବତନ୍ତ୍ର ମିଶନ ଜରିଆରେ ଚାଷୀଙ୍କ ରୋଜଗାର ସହିତ ପୁଷ୍ଟି ନିରାପତ୍ତା ପାଇଁ ମଧ୍ୟ ଗୁରୁତ୍ବ ଦିଆଯାଉଛି । ମିଲେଟ ମିଶନ ଆଜି ସାରା ଦେଶ ଓ ବିଶ୍ବର ଦୃଷ୍ଟି ଆକର୍ଷଣ କରିପାରିଛି । ଏହା ମିଶନ ଶକ୍ତି ମାଆମାନଙ୍କର ରୋଜଗାର ବଢାଇବାରେ ମଧ୍ୟ ସହାୟକ ହୋଇପାରିଛି। 'କୃଷି ଓଡ଼ିଶା'ରେ ଉପସ୍ଥିତ ଥିବା WFP, IFAD ଏବଂ FAO ପରି ସଂସ୍ଥାର ପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି । କୃଷି କ୍ଷେତ୍ରରେ ସେମାନଙ୍କ ନିରନ୍ତର ସହଯୋଗ ପାଇଁ ସେ ଧନ୍ୟବାଦ ଅର୍ପଣ କରିଛନ୍ତି ।

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ କୃଷି ବିଭାଗ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି । କୃଷକମାନଙ୍କ ଆୟବୃଦ୍ଧିରେ କୃଷି ଆନୁସଙ୍ଗିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦିଆଯାଇଛି । ଗତ ୨ ଦଶନ୍ଧି ମଧ୍ୟରେ ଓଡିଶା ମାଛ, ମାଂସ, ଅଣ୍ଡା ଓ ଦୁଗ୍ଧ ଉତ୍ପାଦନରେ ସ୍ବାବଲମ୍ବୀ ହୋଇପାରିଛି । ଏହା ସହିତ ଚାଷୀ ମାନଙ୍କ ରୋଜଗାର ମଧ୍ୟ ବୃଦ୍ଧି କରାଯାଇପାରିଛି ।" ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତୋ ବାଗଚୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଛନ୍ତି ।

କୃଷି ଓ କୃଷକ ସଶକ୍ତିକରଣ ବିକାଶ ପ୍ରମୁଖ ସଚିବ ଡଃ ଅରବିନ୍ଦ ପାଢୀ ସ୍ବାଗତ ଭାଷଣ ଦେଇଛନ୍ତି । ସେ କହିଛନ୍ତି ଯେ ଋତୁକାଳୀନ ଫସଲକୁ ସୁରକ୍ଷିତ ରଖିବାକୁ ରାଜ୍ୟରେ ପ୍ରତିଷ୍ଠା ହେବ ୧୦୦୦ ଶୀତଳ ଭଣ୍ଡାର । ଏଥିରେ ୧୦ରୁ ୧୫ ମେଟ୍ରିକ ଟନ ଫସଲ ରଖାଯାଇପାରିବ । ଏସବୁ ଶୀତଳ ଭଣ୍ଡାର ସୌର ଶକ୍ତିରେ ପରିଚାଳିତ ହେବ । ଏନେଇ ପ୍ରକ୍ରିୟା ଅରମ୍ଭ ହୋଇଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details