ହାଇଦ୍ରାବାଦ:ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ସବୁଠାରୁ ବଡ ପର୍ବ ଖ୍ରୀଷ୍ଟମାସ (Christmas)। ଏହାକୁ ବଡଦିନ ମଧ୍ୟ କୁହାଯାଏ । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ଖ୍ରୀଷ୍ଟମାସ ପାଳନ କରୁଛନ୍ତି ଖ୍ରୀଷ୍ଟ ସମ୍ପ୍ରଦାୟର ଆବଳ ବୃଦ୍ଧ ବନିତା । ଚିକମିକ ଆଲୁଅରେ ଝଲସୁଛି ଚର୍ଚ୍ଚ ଓ କେକ ମହକରେ କମ୍ପୁଛି ଚତୁର୍ଦିଗ । ଆଜିର ଦିନରେ ସମସ୍ତେ ସମସ୍ତଙ୍କୁ ମେରି ଖ୍ରୀଷ୍ଟମାସ କହି ଶୁଭେଚ୍ଛା ଜଣାଇଥାନ୍ତି । ଶାନ୍ତି ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଗତକାଲି ମଧ୍ୟରାତ୍ରୀରେ ଧରାବତାରଣ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ସମସ୍ତ ଚର୍ଚ୍ଚ ଗୁଡିକ । ଖ୍ରୀଷ୍ଟ ଧର୍ମରେ ସବୁଠାରୁ ପବିତ୍ର ମନେ କରାଯାଇଥାଏ ଏହି ଦିନକୁ । ଏହି ଦିନଟିକୁ ଇଉରୋପୀୟ ରାଷ୍ଟ୍ରରେ ଖୁବ ଜାକଜକମରେ ପାଳନ କରାଯାଉଥିବା ବେଳେ ଆଜି କାଲି ପ୍ରାୟତଃ ସବୁସ୍ଥାନରେ ଏହି ଦିବସ ପାଳନ କରାଯାଉଛି ।
ଯୀଶୁଖ୍ରୀଷ୍ଟଙ୍କ ଜିନ୍ମଦିନ ଖୁସିରେ ଏହି ପର୍ବ ପାଳିତ ହୋଇଥାଏ । ଏଥି ପାଇଁ ଚର୍ଚ୍ଚ ଗୁଡିକୁ ସାଜ ସଜ୍ଜା କରାଯିବା ସହ ସମସ୍ତେ ଘରେ ଘରେ ମଧ୍ୟ ସାଜସଜ୍ଜା କରିଥାନ୍ତି । ଖ୍ରୀଷ୍ଟାବଲମ୍ବୀଙ୍କ ପାଇଁ ଏହା ଏକ ବଡ ପର୍ବ ହୋଇଥିଲେ ମଧ୍ୟ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାରତବାସୀ ପାଳନ କରୁଛନ୍ତି ଖ୍ରୀଷ୍ଟମାସ । ବିଶେଷ କରି ପିଲାମାନେ ଏହି ଦିନକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥାନ୍ତି ।
ଖ୍ରୀଷ୍ଟମାସର ମୁଖ୍ୟ ଆକର୍ଷଣ ସାଣ୍ଟାକ୍ଲଜ ଓ ଖ୍ରୀଷ୍ଟମାସ ଟ୍ରି
ଆଜିର ଦିନରେ ମୁଖ୍ୟ ଆକର୍ଷଣ ପାଲଟିଥାଏ ସାଣ୍ଟାକ୍ଲଜ ଓ ଖ୍ରୀଷ୍ଟମାସ ଟ୍ରି । ଚର୍ଚ୍ଚ ଗୁଡିକରେ ସାଣ୍ଟାକ୍ଲଜ ଆସି ପିଲାମାନଙ୍କୁ ଉପହାର ଦେଇଥାନ୍ତି । ଅନେକ ଛୋଟ ଛୋଟ ପିଲା ମଧ୍ୟ ନାଲି ରଙ୍ଗର ସାଣ୍ଟକ୍ଲଜ ପିନ୍ଧି ଖୁସିର ବାର୍ତ୍ତା ବାଣ୍ଟିଥାନ୍ତି । ସେହିପରି ଖ୍ରୀଷ୍ଟମାସ ଟ୍ରିର ମଧ୍ୟ ବେଶ ଗୁରୁତ୍ବ ରହିଛି । ଚର୍ଚ୍ଚ ଗୁଡିକରେ ଖ୍ରୀଷ୍ଟମାସଟ୍ରିକୁ ଆଲୋକରେ ସାଜସଜ୍ଜା କରାଯାଇଥାଏ । ଏଥି ଘରେ ଘରେ ମଧ୍ୟ ସମସ୍ତେ ଖ୍ରୀଷ୍ଟମାସଟ୍ରିକୁ ସଜାଇ ଖ୍ରୀଷ୍ଟମାସ ପାଳନ କରିଥାନ୍ତି । ୟୁରୋପୀୟଙ୍କ କହିବା ଅନୁଯାୟୀ ଯୀଶୁ ଜନ୍ମ ନେବା ସମୟରେ ଜଙ୍ଗଲରେ ସବୁ ଗଛ ଚିକମିକ କରିବା ସହ ଫଳରେ ପରିପୂର୍ଣ୍ଣ ହୋଇଯାଇଥିଲା । ଏଥି ପାଇଁ ଏହି ଦିନ ଟ୍ରିକୁ ସାଜସଜ୍ଜା କରାଯାଇଥାଏ ।