ଓଡିଶା

odisha

ETV Bharat / state

ହକି ବିଶ୍ୱକପ ପରେ ଆରମ୍ଭ ହେବ ତିନି ଲେନ ବିଶିଷ୍ଟ ଆରଓବିର କାର୍ଯ୍ୟ

ବାଣୀବିହାର ଆରଓବି ଏବଂ ଭୁବନେଶ୍ୱର ରେଳ ଷ୍ଟେସନର ଉନ୍ନୟନ କାର୍ଯ୍ୟର ସମୀକ୍ଷା । ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର (Chief Secretary Suresh Mahapatra ) । ଅଧିକ ପଢନ୍ତୁ

By

Published : Dec 23, 2022, 10:50 PM IST

ହକି ବିଶ୍ୱକପ ପରେ ଆରମ୍ଭ ହେବ ତିନି ଲେନ ବିଶିଷ୍ଟ ଆରଓବିର କାର୍ଯ୍ୟ
ହକି ବିଶ୍ୱକପ ପରେ ଆରମ୍ଭ ହେବ ତିନି ଲେନ ବିଶିଷ୍ଟ ଆରଓବିର କାର୍ଯ୍ୟ

ଭୁବନେଶ୍ବର: ବାଣୀବିହାର ଆରଓବି ଏବଂ ଭୁବନେଶ୍ୱର ରେଳ ଷ୍ଟେସନର ଉନ୍ନୟନ କାର୍ଯ୍ୟର ସମୀକ୍ଷା । ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର (Chief Secretary Suresh Mahapatra ) । ଲୋକସେବା ଭବନରେ ଭିସି ଜରିଆରେ ସମୀକ୍ଷା କରିଛନ୍ତି ସିଏସ । ହକି ବିଶ୍ୱକପ୍ ପରେ ତିନି ଲେନ୍ ବିଶିଷ୍ଟ ବାଣୀବିହାର ଆରଓବିର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ହକି ବିଶ୍ୱକପ ପରେ ଆରମ୍ଭ ହେବ ପ୍ରସ୍ତାବିତ ତିନି ଲେନ ବିଶିଷ୍ଟ ବାଣୀବିହାର ଆରଓବିର କାର୍ଯ୍ୟ । ଏନେଇ ସିଏସ ରେଳ ବିକାଶ ନିଗମ ଲିମିଟେଡର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହକି ବିଶ୍ୱକପ ସମୟରେ ଟ୍ରାଫିକ୍ ଭିଡ଼କୁ ଦୃଷ୍ଟିରେ ରଖି ଏହି ନିର୍ମାଣ କାର୍ଯ୍ୟକୁ ଆସନ୍ତା ଫେବୃଆରୀ ମାସରେ ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି । ପୂର୍ବରୁ ଥିବା ଦୁଇ ଲେନ୍ ବିଶିଷ୍ଟ ଆରଓବି ସ୍ଥାନରେ ଏହି ତିନି ଲେନ ବିଶିଷ୍ଟ ଆରଓବି ନିର୍ମାଣ କରାଯିବ । ଖୋର୍ଦ୍ଧା-ବାରଙ୍ଗ ରେଳପଥରେ ତୃତୀୟ ପଥ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପୂର୍ବରୁ ଥିବା ଆରଓବିକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଏହି ପୁରୁଣା ଆରଓବିକୁ ଲାଗି ଆଉଏକ ନୂତନ ଦୁଇ ଲେନ୍ ବିଶିଷ୍ଟ ଆରଓବି ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଚଳିତ ମାସ ୧୫ ତାରିଖରୁ ଏହାମଧ୍ୟ ଦେଇ ଯାନ ବାହାନ ଚଳପ୍ରଚଳ କରୁଛି ।

ଖୋର୍ଦ୍ଧା-ବାରଙ୍ଗ ସେକ୍ସନରେ ସମ୍ପ୍ରସାରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉ ଥିବାରୁ ପୂର୍ବରୁ ଥିବା ଦୁଇ ଲେନ ବିଶିଷ୍ଟ ଆରଓବିକୁ ଭାଙ୍ଗିବାର ଆବଶ୍ୟକତା ରହିଛି । ମୋଟ ୫୮୧ କୋଟି ଟଙ୍କା ବ୍ୟୟ ବରାଦରେ ଦୀର୍ଘ ୩୨ କିଲୋମିଟର ତୃତୀୟ ରେଳପଥ ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିମଧ୍ୟରୁ ୨୬ କିଲୋମିଟର କାମ ଶେଷ ହୋଇଥିବା ବେଳେ ଭୁବନେଶ୍ୱର-ମଞ୍ଚେଶ୍ୱର ମଧ୍ୟରେ ଥିବା ୬ କିଲୋମିଟର କାର୍ଯ୍ୟ ଏହି ଆରଓବି ଭାଙ୍ଗିବା ପରେ ଆରମ୍ଭ କରାଯିବ ବୋଲି ରେଳ ବିକାଶ ନିଗମ ଲିଃ ର ମୁଖ୍ୟ ପ୍ରକଳ୍ପ ମ୍ୟାନେଜର ପ୍ରଦୀପ କୁମାର ମହାନ୍ତି କହିଛନ୍ତି । ଏହି ସ୍ଥାନରେ ପ୍ରସ୍ତାବିତ ତିନି ରେଳ ବିଶିଷ୍ଟ ଆରଓବି କାର୍ଯ୍ୟ ଏକ ବର୍ଷ ମଧ୍ୟରେ ଶେଷ ହେବ ବୋଲି ସେ କହିଛନ୍ତି ।ତିନିଲେନ ବିଶିଷ୍ଟ ଆରଓବି କାର୍ଯ୍ୟ ଶେଷ ହେଲେ ଏହା ସବୁଦିନିଆ ରାସ୍ତା ଭାବେ ବ୍ୟବହୃତ ହେବ । ନୂତନ ଭାବେ ନିର୍ମିତ ଦୁଇ ଲେନ ଆରଓବି ରସୁଲଗଡ଼କୁ ସଂଯୋଗ କରୁଥିବା ରାସ୍ତା ଭାବେ ବ୍ୟବହାର କରାଯିବ ।

ସେହିଭଳି ଭୁବନେଶ୍ୱର ରେଳ ଷ୍ଟେସନରେ ଉଭୟ କଳ୍ପନା ଏବଂ ମାଷ୍ଟର କ୍ୟଣ୍ଟିନ ପାର୍ଶ୍ୱକୁ ଆଧୁନିକକରଣ କାର୍ଯ୍ୟର ମଧ୍ୟ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଛନ୍ତି । ନୂତନ ନିର୍ମାଣ ପୂର୍ବରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ କରିବାକୁ ସିଏସ ପୂର୍ବତଟ ରେଳବାଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରେଳବାଇ ସମନ୍ୱୟ କମିଶନର ମନୋଜ କୁମାର ମିଶ୍ର, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଏମ୍ସି କମିଶନର ବିଜୟ ଅମୃତ କୁଲାଙ୍ଗେ, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ, ଖୋର୍ଦ୍ଧା ରୋଡ ଡିଭିଜନ ଡିଆରଏମ ରିଙ୍କେଶ ରୟ, ପୂର୍ବତଟ ରେଳ ବିଭାଗର ମୁଖ୍ୟଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details