ଓଡିଶା

odisha

By

Published : May 30, 2023, 10:48 PM IST

ETV Bharat / state

ସିଏସଙ୍କ ନିର୍ଦ୍ଦେଶ; ‘ମୋ ଘର' ଯୋଜନାର ସଫଳ ରୂପାୟନ ପାଇଁ ପ୍ରତିଦିନ କର ତଦାରଖ

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ମୋ ଘର ଯୋଜନା ରାଜ୍ୟ ସରକାରଙ୍କର ଏକ ମହତ୍ବକାଂକ୍ଷୀ ଯୋଜନା । ରାଜ୍ୟରେ ବଳକା ରହିଥିବା କଚ୍ଚା ଘରକୁ ପକ୍କା ଘରରେ ପରିବର୍ତ୍ତନ କରିବା ଏହାର ଲକ୍ଷ୍ୟ । ନିମ୍ନ ଓ ନିମ୍ନ ମଧ୍ୟବିତ୍ତଙ୍କ ଉପକୃତ ପାଇଁ ଉଦ୍ଦିଷ୍ଟ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଅଧିକ ପଢନ୍ତୁ

ମୋ ଘର' ଯୋଜନାର ସଫଳ ରୂପାୟନ ପାଇଁ ପ୍ରତିଦିନ କର ତଦାରଖ
ମୋ ଘର' ଯୋଜନାର ସଫଳ ରୂପାୟନ ପାଇଁ ପ୍ରତିଦିନ କର ତଦାରଖ

ଭୁବନେଶ୍ବର: କ୍ୟାବିନେଟରେ ଅନୁମୋଦନ ଲାଭ କରିଥିବା ମୋ ଘର ଯୋଜନା । ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀ​‌ରେ ଆଜି ଲୋକସେବା ଭବନରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟ ଶାସନ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଉନ୍ନୟନ କମିଶନର ଅନୁ ଗର୍ଗ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ବିଭାଗର ବରିଷ୍ଠ ପଦାଧିକାରୀ, ସମସ୍ତ ଜିଲ୍ଲାପାଳ ‘ଓସ୍ବାନ’ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉପସ୍ଥିତ ଥିଲେ ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ମୋ ଘର ଯୋଜନା ରାଜ୍ୟ ସରକାରଙ୍କର ଏକ ମହତ୍ବକାଂକ୍ଷୀ ଯୋଜନା । ରାଜ୍ୟରେ ବଳକା ରହିଥିବା କଚ୍ଚା ଘରକୁ ପକ୍କା ଘରରେ ପରିବର୍ତ୍ତନ କରିବା ଏହାର ଲକ୍ଷ୍ୟ । ନିମ୍ନ ଓ ନିମ୍ନ ମଧ୍ୟବିତ୍ତଙ୍କ ଉପକୃତ ପାଇଁ ଉଦ୍ଦିଷ୍ଟ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଯୋଜନାର ସଫଳ ରୂପାୟନ ପାଇଁ ଅନୁଷ୍ଠିତ ବୈଠକରେ ସବୁ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ନିଜ ଜିଲ୍ଲାର ବିଡିଓ, ତହସିଲଦାର, ସବ ରେଜିଷ୍ଟ୍ରାର ଓ ସଂପୃକ୍ତ ସମସ୍ତ ଅଧିକାରୀମାନଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବା ଓ କାର୍ଯ୍ୟର ନିୟମିତ ତଦାରଖ କରିବାକୁ ସେ କହିଛନ୍ତି । ଯୋଜନାର କାର୍ଯ୍ୟକାରିତା ସଂପର୍କିତ କାର୍ଯ୍ୟ ଅଗ୍ରଗତି ବିବରଣୀ ପ୍ରତିଦିନ ପଠାଇବାକୁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଏହାବି ପଢନ୍ତୁ- Cabinet Meeting: ନୂଆ ଆବାସ ଯୋଜନା ‘ମୋ ଘର’; ଋଣ ନେଲେ ମିଳିବ ସବସିଡି, ଉପକୃତ ହେବେ ନିମ୍ନ ମଧ୍ୟବିତ୍ତ ପରିବାର

‘ମୋ ଘର’ ଯୋଜନାରେ ଆସନ୍ତା ଜୁନ ମାସ ୧୬ ତାରିଖରୁ ଆବେଦନ ଅନଲାଇନରେ ଗ୍ରହଣ କରାଯିବ । ଏହି ସୁବିଧା ପ୍ରଦାନ ପାଇଁ ଆବଶ୍ୟକ ବ୍ୟବସ୍ଥା ସଂପର୍କରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ସବିଶେଷ ସୂଚନା ଦେଇଛନ୍ତି । ଏ ସଂପର୍କରେ ଜାଣିବା ପାଇଁ ମାର୍ଗଦର୍ଶିକା https://rhodisha.gov.in/moghara ପୋର୍ଟାଲରେ ଉପଲବ୍ଧ ରହିଛି । ‘ମୋ ଘର’ ଯୋଜନାରେ ହିତାଧିକାରୀ ଚୟନ ପାଇଁ ଯୋଗ୍ୟତା, ବ୍ୟାଙ୍କରୁ ଋଣ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ତରଫରୁ ସହାୟତା, ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କରୁ ଗୃହଋଣ ବାବଦରେ ସରକାରୀ ସବସିଡି, ଅନଲାଇନ ଆବେଦନ ପ୍ରକ୍ରିୟା ବ୍ୟବସ୍ଥା କରିଛନ୍ତି । ଆବେଦନ ପାଇଁ ହିତାଧିକାରୀଙ୍କର ଆବଶ୍ୟକ ହେଉଥିବା ପ୍ରମାଣପତ୍ର ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛି ।

ପ୍ରାପ୍ତ ଆବେଦନ ଆଧାରରେ ସଂପୃକ୍ତ ବ୍ଲକ ପ୍ରଶାସନ ଦ୍ବାରା ଆବେଦନର କ୍ଷେତ୍ରୀୟ ଅନୁସନ୍ଧାନ କରାଯିବ । ନିର୍ମାଣ ପାଇଁ ବର୍ତ୍ତମାନର ଘର ଏବଂ ପ୍ରସ୍ତାବିତ ସ୍ଥାନର ଜିଓ ଟ୍ୟାଗିଂ, ଆବେଦନକାରୀଙ୍କ ଦ୍ବାରା ଘୋଷଣାର ସଂକ୍ଷିପ୍ତ ଅନୁସନ୍ଧାନ, ଜିଓ ଟ୍ୟାଗ ହୋଇଥିବା ଫଟୋର ଯାଞ୍ଚ ଏବଂ ଯୋଜନା ଓ ଆକଳନର ଅନୁମୋଦନ ବ୍ଲକ ସ୍ତରରେ କରାଯିବା ନେଇ ଆଲୋଚନା କରାଯାଇଛି । ଯାଞ୍ଚ ପରେ ଆବଶ୍ୟକ ସ୍ଥଳେ ଆଇନ ପରାମର୍ଶ ଦାତାଙ୍କ ଠାରୁ ମତାମତ ନେଇ ସଂପୃକ୍ତ ବ୍ୟାଙ୍କ ଆବେଦନ ପ୍ରାପ୍ତିର ୩୦ ଦିନ କାର୍ଯ୍ୟ ଦିବସ ମଧ୍ୟରେ ଋଣ ମଞ୍ଜୁର ପାଇଁ ବ୍ୟବସ୍ଥା ଗ୍ରହଣ କରିବେ । ଯୋଜନାରେ ଉପକୃତ ହେବା ପାଇଁ ଆବଶ୍ୟକ ହେଉଥିବା ପ୍ରମାଣ ପତ୍ର ସଂପୃକ୍ତ ତହସିଲଦାରମାନେ ଶୀଘ୍ର ପ୍ରଦାନ କରିବା ପାଇଁ ପଦକ୍ଷେପ ନେବେ । ଯୋଜନାର କାର୍ଯ୍ୟକାରିତାରେ ଅଧିକାରୀ ଓ କର୍ମଚାରୀମାନଙ୍କର ଦକ୍ଷତା ବିକାଶ, ସଚେତନତା ସୃଷ୍ଟି, ସମନ୍ବୟ ଏବଂ ତଦାରଖ ପାଇଁ ପ୍ରତ୍ୟେକ ପର୍ଯ୍ୟାୟରେ ବିଡିଓମାନେ ସମ୍ପୂର୍ଣ୍ଣ ଭାବରେ ଜଡିତ ହେବା ପାଇଁ ବୈଠକରେ ଗୁରୁତ୍ବ ଦିଆଯାଇଛି । ଏସଂପର୍କରେ ଜିଲ୍ଲାପାଳମାନେ ଜିଲ୍ଲାସ୍ତରରେ ବୈଠକ କରି ସବିଶେଷ ଅବଗତ କରିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ବିଡିଓମାନେ ବ୍ଲକ ସ୍ତରରେ ଗ୍ରାମାଞ୍ଚଳ ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀ,ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଜିଆରଏସ, ମିଶନ ଶକ୍ତି ଏବଂ ଓଏଲଏମର କର୍ମକର୍ତ୍ତାଙ୍କୁ ନେଇ ବ୍ଲକସ୍ତରୀୟ ବୈଠକ ଆୟୋଜନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୋର୍ଟାଲରେ ବ୍ୟାଙ୍କ ଲଗଇନ ସକ୍ରିୟ କରିବା ପାଇଁ ବ୍ୟାଙ୍କରମାନଙ୍କୁ ନେଇ ବ୍ଲକସ୍ତରୀୟ ସ୍ବତନ୍ତ୍ର ବୈଠକ ଆୟୋଜନ କରାଯିବ । ସେହିପରି କମ୍ପ୍ୟୁଟର ପ୍ରୋଗ୍ରାମର ଏବଂ ଅନ୍ୟ ବୈଷୟିକ କର୍ମଚାରୀଙ୍କ ଦ୍ବାରା ବ୍ଲକସ୍ତରରେ ଥିବା ସମସ୍ତ ମୋ-ସେବା କେନ୍ଦ୍ରଗୁଡିକରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ବିବିଧ ପ୍ରମାଣପତ୍ର ଶୀଘ୍ର ପ୍ରଦାନ ଓ ଗୃହ ନିର୍ମାଣ ପାଇଁ ଜମି ରେକର୍ଡର ପରିବର୍ତନ ନିମନ୍ତେ ତହସିଲଦାର, ସବ ରେଜିଷ୍ଟ୍ରାର ଓ ରାଜସ୍ବ ନିରୀକ୍ଷକଙ୍କ ସହ ସମନ୍ବୟ ବୈଠକ ଓ ରାଜସ୍ବ ଶିବିରର ଆୟୋଜନ ସହିତ ନିର୍ମାଣର ପ୍ରତ୍ୟେକ ପର୍ଯ୍ୟାୟରେ ଜିଓ-ଟ୍ୟାଗିଂକୁ ସୁନିଶ୍ଚିତ କରିବା ଏବଂ ପରବର୍ତ୍ତୀ କିସ୍ତି/ ପୁଞ୍ଜି ସବସିଡି ପ୍ରଦାନ ପାଇଁ ବ୍ୟାଙ୍କକୁ ସୁପାରିଶ କରିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details