ଓଡିଶା

odisha

ETV Bharat / state

CSଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ, OSOU ସୃଷ୍ଟି ହେବ ପ୍ରାଧ୍ୟାପକ ଓ କର୍ମଚାରୀ ପଦବୀ

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟରେ ପ୍ରାଧ୍ୟାପକ ଓ କର୍ମଚାରୀଙ୍କ ଅଭାବକୁ ପୂରଣ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

By

Published : Apr 12, 2023, 11:24 AM IST

src holds meeting
src holds meeting

ଭୁବନେଶ୍ବର:ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟରେ ପ୍ରାଧ୍ୟାପକ ଓ କର୍ମଚାରୀଙ୍କ ଅଭାବ ରହିଛି । ଫଳରେ ପାଠ ପଢ଼ାରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ଅନେକ ଅଭିଯୋଗ ହୋଇଥିଲା । ତେଣୁ ଅଧିକ ପ୍ରାଧ୍ୟାପକ ଓ କର୍ମଚାରୀଙ୍କ ପଦବୀ ସୃଷ୍ଟି ଏବଂ ନିଯୁକ୍ତିର ଆବଶ୍ୟକତା ରହିଛି । ଏହି ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ଆଇନ -୨୦୧୪ ଅନୁସାରେ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ, ସମ୍ବଲପୁର ଏକ ସରକାରୀ ବିଶ୍ୱ ବିଦ୍ୟାଳୟ ଭାବେ ସ୍ଥାପିତ ହୋଇଥିଲା । ୨୦୧୯ରେ ଏହି ଆଇନର ଆବଶ୍ୟକ ସଂଶୋଧନ ଅଣାଯାଇ ଏହା କାର୍ଯ୍ୟ କରିବା ସହ ଦୂରଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପ୍ରତିଷ୍ଠା ଲାଭ କରିଛି । ଏବେ ଏହି ବିଶ୍ୱ ବିଦ୍ୟାଳୟ ଅଧିନରେ ୯୦ଟି ଅଧ୍ୟୟନ କେନ୍ଦ୍ର ରହିଥିବାବେଳେ ୫ ଟି ଆଞ୍ଚଳିକ କେନ୍ଦ୍ର ବାଲେଶ୍ୱର, ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଓ ଜୟପୁର ଠାରେ ସ୍ଥାପିତ ହୋଇଛି ।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିୟମାବଳୀ-୨୦୨୦ ଅନୁସାରେ ମୁକ୍ତ ବିଶ୍ୱବିଦ୍ୟାଳୟରେ ଆବଶ୍ୟକ ପ୍ରାଧ୍ୟାପକ ଓ କର୍ମଚାରୀ ପଦବୀ ସୃଷ୍ଟି ଓ ପଦବୀ ପୂରଣ ନିମନ୍ତେ ପଦକ୍ଷେପ ନିଆଯିବ । ଏ ସଂକ୍ରାନ୍ତରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ତରଫରୁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଜରିଆରେ ରାଜ୍ୟ ସରକାରଙ୍କ ଠାରେ ଆଗତ ପ୍ରସ୍ତାବକୁ ମୁଖ୍ୟ ଶାସନ ସଚିବ ସବିଶେଷ ଅନୁଧ୍ୟାନ କରିଛନ୍ତି ।

ବିଶ୍ୱବିଦ୍ୟାଳୟରେ ସ୍କୁଲ୍ ଅଫ ସୋସିଆଲ ସାଇନ୍ସ ଆଣ୍ଡ ହ୍ୟୁମାନିଟିକ୍ସ, ସ୍କୁଲ୍‌ ଅଫ ବିଜନେସ ଆଣ୍ଡ ମ୍ୟାନେଜମେଣ୍ଟ ଏବଂ ସ୍କୁଲ ଅଫ କମ୍ପ୍ୟୁଟର ଆଣ୍ଡ ଇନଫରମେସନ ସାଇନ୍ସ ଆଦି କାର୍ଯ୍ୟ କରୁଛି । ଯେଉଁଥିରେ ରାଜନୀତି ବିଜ୍ଞାନ, ଓଡ଼ିଆ, ଇତିହାସ, ଅର୍ଥନୀତି, ଇଂରାଜୀ, ମନସ୍ତତ୍ତ୍ୱ ବିଜ୍ଞାନ, ବାଣିଜ୍ୟ, ବିବିଏ ଏବଂ ସାଇବର ସିକ୍ୟୁରିଟି ଆଦି ବିଷୟରେ ଶିକ୍ଷାଲାଭ ବ୍ୟବସ୍ଥା ରହିଛି । ଏମ୍‌ବିଏ ଏବଂ ସ୍ନାତକୋତ୍ତୋର କମ୍ପ୍ୟୁଟର ବିଜ୍ଞାନ ପାଠ୍ୟକ୍ରମ ପ୍ରସ୍ତାବରେ ରହିଛି । ଏବେ ଏହି ମୁକ୍ତ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ଜିଲ୍ଲାରୁ ୫୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇ ଶିକ୍ଷାଗ୍ରହଣ କରୁଛନ୍ତି ।

ମୁଖ୍ୟ ଶାସନ ସଚିବ ମୁକ୍ତ ବିଶ୍ୱବିଦ୍ୟାଳୟରେ ଦିଆଯାଉଥିବା ସମସ୍ତ ଶିକ୍ଷା ବ୍ୟବସ୍ଥା ସଂପର୍କରେ ବୁଝିଛନ୍ତି । ଏହା ସହିତ ବିଶେଷ କରି ଇତିହାସ ପାଠ୍ୟକ୍ରମରେ ଓଡ଼ିଶାର ଐତିହ୍ୟ, ସଂସ୍କୃତି, ଭାସ୍କର୍ଯ୍ୟ ଆଦି ବିଷୟକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ନିଯୁକ୍ତିଭିତ୍ତିକ ଔଦ୍ୟୋଗିକ ବିକାଶ ସଂପର୍କିତ ପାଠ୍ୟକ୍ରମକୁ ମଧ୍ୟ ସାମିଲ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ବିଭିନ୍ନ ପାଠ୍ୟକ୍ରମ ପାଇଁ ପ୍ରାଧ୍ୟାପକ ପଦବୀ ସୃଷ୍ଟି ଓ ନିଯୁକ୍ତି ଆବଶ୍ୟକତାକୁ ଉପଲବ୍ଧ କରି ମୁଖ୍ୟ ଶାସନ ସଚିବ ଏ ଦିଗରେ ସବିଶେଷ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର, ବିଶ୍ୱଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ମାନସ ରଂଜନ ପୂଜାରୀ, ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାନ୍ତନୁ କୁମାର ସାହୁ ଏବଂ ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ବିରେନ୍ଦ୍ର କୋରକୋରା ପ୍ରମୁଖ ଉପସ୍ଥିତ ଥିଲେ ।

lambodar pradhan
ଲମ୍ବୋଦରଙ୍କୁ ପ୍ରଶଂସା: ଅନ୍ୟପଟେ ପୋଲିସ ଚାକିରି ଛାଡି ଅଧ୍ୟାପକ ହୋଇଛନ୍ତି ପୋଲିସ କନେଷ୍ଟବଳ ଲମ୍ବୋଦର ପ୍ରଧାନ । ତେବେ ଦୀର୍ଘ ୧୬ ବର୍ଷର ପୋଲିସ ଚାକିରି ଛାଡି ଅଧ୍ୟାପକ ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଲମ୍ବୋଦର ପ୍ରଧାନ । ଏ କଥା ପାୱାର କରିଡ଼ରରେ ଆଲୋଚନାର ବିଷୟ ପାଲଟିଛି । ଲମ୍ବୋଦର ୨୨ ଡିସେମ୍ବର ୨୦୦୨ ରେ ପୋଲିସ କନେଷ୍ଟବଳ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ଦୀର୍ଘ ୧୬ ବର୍ଷ ଚାକିରି ପରେ ଓଡ଼ିଶା ମୁକ୍ତ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ଲମ୍ବୋଦର । ଓଡ଼ିଶା ମୁକ୍ତ ବିଶ୍ୱ ବିଦ୍ୟାଳୟରୁ କୃତକାର୍ଯ୍ୟ ହୋଇ ନେଟ ଯୋଗ୍ୟତା ହାସଲ ପୂର୍ବକ ଅଧ୍ୟାପକ ଭାବରେ ଲମ୍ବୋଦର ଯୋଗଦାନ କରିଛନ୍ତି । ବର୍ତ୍ତମାନ ସେ ଡୁଙ୍ଗୁରିପାଲି ବ୍ଲକର ଶ୍ରୀରାମ ଡିଗ୍ରୀ କଲେଜରେ ଓଡ଼ିଆ ଅଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି । ଲମ୍ବୋଦର ପ୍ରଧାନଙ୍କ ସଂପର୍କରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ବାବଦରେ ବସିଥିବା ବୈଠକରେ ଆଲୋଚନା କରାଯାଇଛି । ଲମ୍ବୋଦରଙ୍କ ଏହି ସଫଳତାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏବଂ ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ପ୍ରଶଂସା କରିଛନ୍ତି । ଏହା ସହିତ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ଶିକ୍ଷାଲାଭ କରୁଥିବା ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରେରଣାଦାୟକ ହୋଇଛି।ସେହିପରି ଚଳିତବର୍ଷ ଏହି ବିଶ୍ୱବିଦ୍ୟାଳୟରୁ ଅରୂପାନନ୍ଦ ରାଉତ, ଲକ୍ଷ୍ମୀନାରାୟଣ ମାଝି, ପ୍ରଭାତୀ ଧଳ, ଦେବାଶିଷ ଦାଶ, ସଂଯୁକ୍ତା ମହାନ୍ତି, ଅନିତା ବେହେରା ଓ ସୂଜାତା ସେଠୀ ପ୍ରମୁଖ ନେଟରେ କୃତକାର୍ଯ୍ୟ ହୋଇ ଅଧ୍ୟାପକ ଓ ଜୁନିଅର ରିସର୍ଚ୍ଚ ଫେଲୋସିପ ଯୋଗ୍ୟତା ହାସଲ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details