ଭୁବନେଶ୍ବର: ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବାଦ ପଡିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ମନ୍ତ୍ରୀମଣ୍ଡଳରୁ ବାଦ ଦେବାକୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିସ କରିଥିବା ସୂଚନା ମିଳିଛି । ବିଭାଗୀୟ ବାର୍ଷିକ ରିପୋର୍ଟ ଆଧାରରେ ପ୍ରଦର୍ଶନ ନୈରାଶ୍ୟଜନକ ଥିବାରୁ ମନ୍ତ୍ରୀମଣ୍ଡଳରୁ ତାଙ୍କୁ ବାଦ ଦେବାକୁ ସୁପାରିସ କରାଯାଇଛି ।
ବିଭାଗୀୟ ସମୀକ୍ଷାରେ ଉଚ୍ଚଶିକ୍ଷା ବିଭାଗର ଦୁର୍ବଳ ପ୍ରଦର୍ଶନ ପାଇଁ ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦେବା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । 23 ବର୍ଷର ଚତୁର୍ଥ ପାଳିର ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ସବୁ ବିଭାଗର ସମୀକ୍ଷା କରିଥିଲେ । ଏହି କ୍ରମରେ ନବୀନ ପ୍ରତ୍ୟେକ ବିଭାଗରେ କିଭଳି କାର୍ଯ୍ୟ କରାଯାଉଛି ତାହାର ଏକ ରିପୋର୍ଟ କାର୍ଡ ଦେବାକୁ କହିଥିଲେ । ଏହି ରିପୋର୍ଟ ମୁତାବକ ଉଚ୍ଚଶିକ୍ଷା ବିଭାଗର ପ୍ରଦର୍ଶନ ନୈରାଶ୍ୟଜନକ ଥିବା କୁହାଯାଉଛି । ତେବେ ଏହାକୁ ନେଇ ବିଧିବଦ୍ଧ ଭାବରେ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । କିନ୍ତୁ ଏହି କାରଣରୁ ଉଚ୍ଚଶିକ୍ଷା ମନ୍ତ୍ରୀପଦରୁ ରୋହିତ ପୂଜାରୀଙ୍କୁ ନବୀନ ପଟ୍ଟନାୟକ ମନ୍ତ୍ରୀ ମଣ୍ଡଳରୁ ଅପସାରଣ କରିଥିବା ଚର୍ଚ୍ଚା ଜୋର ଧରିଛି ।