ଭୁବନେଶ୍ବର: ଜାନୁଆରୀ 2ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ । ପରୀକ୍ଷା ସୁପରିଚାଳନା ପାଇଁ CHSE ପ୍ରସ୍ତୁତ । ସମସ୍ତ ପ୍ରକାରର ସୁରକ୍ଷାକୁ ଧ୍ୟାନ ଦେଇ କଲେଜର ଅଧ୍ୟକ୍ଷମାନଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚିଠି କରାଯାଇଛି । କିଭଳି ଭାବରେ ପ୍ରାକ୍ଟିକାଲ ପରୀକ୍ଷା ସୁପରିଚାଳନା କରାଯିବ ସେନେଇ ନିର୍ଦ୍ଦେଶ ଦିଆଯାଇଛି । କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଭୋକେସନାଲ ଷ୍ଟ୍ରିମର ପରିଚାଳନା କରାଯିବା ନେଇ ସଠିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହାସହ ସମସ୍ତ ପରୀକ୍ଷାର ମୂଲ୍ୟାଙ୍କନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ମଧ୍ୟ ଅନୁରୋଧ କରାଯାଇଛି ।
ତେବେ ଏହି ବିଷୟଗୁଡ଼ିକର ପ୍ରୋଜେକ୍ଟ କାର୍ଯ୍ୟ ମୂଲ୍ୟାଙ୍କନ ପାଇଁ CHSE ଦ୍ୱାରା ନିଯୁକ୍ତ ହୋଇଥିବା ପରୀକ୍ଷକମାନେ ଦୁଇ ଦିନ ପୂର୍ବରୁ ତାଙ୍କୁ ଦିଆଯାଇଥିବା ତାରିଖ ଏବଂ ପରୀକ୍ଷା ସମୟ ବିଷୟରେ ଜଣାଇବା ଆବଶ୍ୟକ । ଯଦି କୌଣସି ପରୀକ୍ଷକ ନଆସନ୍ତି, ତେବେ ଉକ୍ତ କଲେଜର ପ୍ରିନ୍ସିପାଲ ଏକ ସ୍ଥାନୀୟ ନିଯୁକ୍ତି କରିବେ । କିନ୍ତୁ ଉକ୍ତ ପରୀକ୍ଷକଙ୍କ ଘର ନିଜର ପରୀକ୍ଷା କେନ୍ଦ୍ରଠାରୁ ୫୦ କିଲୋମିଟର ଭିତରେ ହୋଇଥିବା ଆବଶ୍ୟକ ।
ତେବେ CHSEର ନିର୍ଦ୍ଦେଶାବଳୀ ଅନୁଯାୟୀ ଗୋଟିଏ ଟିମରେ ୨୪ ଜଣ ଛାତ୍ରଛାତ୍ରୀ ରହିବା ଆବଶ୍ୟକ । ଏପରିକି ଗୋଟିଏ ଦିନରେ ଜଣେ ଛାତ୍ରଛାତ୍ରୀଙ୍କ ୨ଟି ପ୍ରାକ୍ଟିକାଲ ପରୀକ୍ଷା କରାଯିବ ନାହିଁ ।
ଏହାସହ ପାନୀୟ ଜଳ ଏବଂ ପ୍ରାଥମିକ ସହାୟତା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିବା ଜରୁରୀ । ଲାବୋରେଟୋରୀ ଗୁଡିକ ଭଲ ଭାବରେ ଯାଞ୍ଚ କରିବା ଆବଶ୍ୟକ । ସମସ୍ତ କଲେଜରେ ଥିବା ଲାବୋରେଟୋରୀରେ ସିସିଟିଭି ବାଧ୍ୟତାମୂଳକ ଅଟେ । ବିଦ୍ୟାଳୟଗୁଡ଼ିକରେ ଯେଭଳି କୌଣସି ଅଗ୍ନିକାଣ୍ଡ ନହୁଏ ସେଥିପାଇଁ ଅଗ୍ନି ନିର୍ବାପକ ଯନ୍ତ୍ରକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପରୀକ୍ଷା ସମୟରେ ବୈଧ ଆଡମିଟ୍ କାର୍ଡ ଥିବା ଛାତ୍ରଛାତ୍ରୀଙ୍କୁ କେବଳ ପରୀକ୍ଷା ଆରମ୍ଭ ହେବାର 15 ମିନିଟ୍ ପୂର୍ବରୁ ଲାବୋରେଟୋରୀ ବା ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ ଅନୁମତି ଦିଆଯିବ । ବିଳମ୍ବରେ ପରୀକ୍ଷା ପାଇଁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ୩୦ ମିନିଟ୍ ପର୍ଯ୍ୟନ୍ତ ପରୀକ୍ଷା ପାଇଁ ବସିବାକୁ ଅନୁମତି ଦିଆଯାଇପାରେ ।