ଓଡିଶା

odisha

ETV Bharat / state

ନୂଆବର୍ଷରେ କଣ ରହିବ 3 ରାଜନୈତିକ ଦଳ ପାଇଁ ଚ୍ୟାଲେଞ୍ଜ ? ମତ ରଖିଲେ ରାଜନୀତି ସମୀକ୍ଷକ - ବିଜେଡିର ଦ୍ବିତୀୟ ପୀଢି

ରାଜନୀତି ସମୀକ୍ଷକ କହିଛନ୍ତି ବିଜେଡିରେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢିଚାଲିଛି । ଯେଉଁମାନେ ଟିକେଟ ନପାଇବେ ସେମାନଙ୍କୁ ଥଇଥାନ କରିବା ଦଳ ପାଇଁ ବଡ ଚ୍ୟାଲେଞ୍ଜ ହେବ । କାରଣ ବ୍ରାଣ୍ଡ ନବୀନ ଓ ବ୍ରାଣ୍ଡ ଶଙ୍ଖକୁ ଆଧାର କରି ସହଜରେ ନିର୍ବାଚନୀ ବୈତରଣୀ ପାର ହେଉଛନ୍ତି ନେତା । ତେଣୁ ଟିକେଟ ନପାଇଲେ ଅନେକ ରାଜୁ ଦାସ ତିଆରି ହୋଇଯିବେ । ବିଦ୍ରୋହୀଙ୍କ ସଂଖ୍ୟା ବଢିବ । ଯାହାକି ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ । ଅଧିକ ପଢନ୍ତୁ

ODISHA POLITICS
ODISHA POLITICS

By

Published : Jan 2, 2023, 7:11 PM IST

ଚଳିତ ବର୍ଷ କଣ ରହିବ 3 ରାଜନୈତିକ ଦଳ ପାଇଁ ଚ୍ୟାଲେଞ୍ଜ? କଣ କହୁଛନ୍ତି ରାଜନୀତି ସମୀକ୍ଷକ

ଭୁବନେଶ୍ବର: ଆସନ୍ତା ବର୍ଷ ହେବ ଓଡିଶା ବିଧାନସଭା ନିର୍ବାଚନ ସମେତ ଦେଶରେ ସାଧାରଣ ନିର୍ବାଚନ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ଗୁଡିକ ପାଇଁ ଚଳିତ ବର୍ଷ ହେଉଛି ବେଶ ଗୁରୁତ୍ବପୂର୍ଣ୍ଣ । ଏହି ବର୍ଷ ସମସ୍ତ ଦଳ ନିଜର ସଂଗଠନର ଶକ୍ତି ବୃଦ୍ଧି ପାଇଁ ପୁରା ଶକ୍ତି ଲଗାଇବେ । ବିଜେଡି, ବିଜେପି ଓ କଂଗ୍ରେସ ନୂଆ ରଣନୀତି ସହ ନୂଆବର୍ଷରୁ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ କେଉଁ ଦଳର କଣ ରହିଛି ଦୁର୍ବଳତା, କେଉଁଦଳର ଶକ୍ତି କେତେ? ତାହାକୁ ନେଇ ରାଜନୀତି ସମୀକ୍ଷକ ମାନେ ମତ ରଖିଛନ୍ତି ।

ଏହାବି ପଢନ୍ତୁ - ବିପତ୍ତି ସାଜିଛି ପଥର ଖାଦନ: ବ୍ଳାଷ୍ଟିଂରେ ଫାଟୁଛି ଘର, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

ରାଜନୀତି ସମୀକ୍ଷକ ରବି ଦାସଙ୍କ ମତରେ ବିଜେଡିରେ ସବୁସ୍ତରରେ ଅର୍ନ୍ତକନ୍ଦଳ ରହିଛି । ଏହାକୁ 2023ରେ ଦୂର କରିବାକୁ ପଡିବ । ଆଉ ଏକ ପ୍ରସଙ୍ଗ ହେଲା ଭ୍ରଷ୍ଟାଚାର । ଠିକା କାମକୁ ନେଇ ଗୋଷ୍ଠୀ ବିବାଦ ଦେଖାଯିବା ସହିତ ଭ୍ରଷ୍ଟାଚାର ବଢିଛି । ଏହାକୁ ବିଜେଡି ଗୁରୁତ୍ବ ଦେବା ଦରକାର । ତୃତୀୟରେ ବିଦ୍ରୋହୀ ସୃଷ୍ଟି ହେଲେ ଏହା ଦଳ ପାଇଁ ଅଡୁଆ ସୃଷ୍ଟି କରିବ । 2024ରେ ଧାମନଗର ମଡେଲ କାମ କଲେ ଏହା ବିରୋଧିଙ୍କୁ ସୁହାଇବ । ସେହିପରି ବିଜେପି ପାଇଁ ବଡ ଚ୍ୟାଲେଂଜ ହେଲା ସାଂଗଠନିକ ଦୁର୍ବଳତା । କାହା ନେତୃତ୍ବରେ ଦଳ ନିର୍ବାଚନ ଲଢିବ, ଦଳର କିଏ ଚେହେରା ତାହା ସ୍ପଷ୍ଟ ହେବା ଦରକାର । ଦଳ ତରଫରୁ ଏନେଇ କୌଣସି ଘୋଷଣା କରାଯାଇନାହିଁ । ସାଧାରଣ ଲୋକ କାହାକୁ ବିଶ୍ବାସ କରିବେ ଜାଣିପାରୁନାହାନ୍ତି । ନବୀନ ପଟ୍ଟନାୟକଙ୍କ ବିକଳ୍ପ କିଏ ? ବିଜେପି ଶୀର୍ଷ ନେତୃତ୍ବ ଏହାକୁ ବୁଝିବା ଦରକାର । ତଳ ସ୍ତରରେ ବିଜେପିର ସାଂଗଠନିକ ଦୁର୍ବଳତା ରହିଛି । ଯାହାକୁ ସଜାଡିବାକୁ ପଡିବ । ସରକାର ବିରୋଧୀ ମାହୋଲକୁ ଭୋଟରେ ପରବର୍ତ୍ତନ କରିବା ଦାୟିତ୍ବ ବିଜେପି ନେବା ଦରକାର । ଅନ୍ୟପଟେ କଂଗ୍ରେସ ତୃତୀୟ ପକ୍ଷ ଭାବେ ନେତୃତ୍ବ ନେବା ଦରକାର । ଏଥିପାଇଁ ତୃଣମୂଳ ସ୍ତରରେ କାମ କରିବା ଜରୁରୀ । କାରଣ ଯେଉଁମାନେ ବିଜେଡି କିମ୍ବା ବିଜେପିକୁ ଭୋଟ ଦେବେ ନାହିଁ ସେମାନଙ୍କ ପାଇଁ କଂଗ୍ରେସ ବିକଳ୍ପ ହେବା ଦରକାର । ଏଥିପାଇଁ କଂଗ୍ରେସକୁ ରଣନୀତି କରିବାକୁ ପଡିବ ।

ଏହାବି ପଢନ୍ତୁ- କଳିଙ୍ଗନଗର ଗୁଳିକାଣ୍ଡକୁ 17 ବର୍ଷ, ମୃତକଙ୍କୁ ଝୁରୁଛନ୍ତି ସମ୍ପର୍କୀୟ

ଅନ୍ୟପଟେ ବରିଷ୍ଠ ସାମ୍ବାଦିକ ତଥା ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ବିଜେଡିରେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢିଚାଲିଛି । ଯେଉଁମାନେ ଟିକେଟ ନପାଇବେ ସେମାନଙ୍କୁ ଥଇଥାନ କରିବା ଦଳ ପାଇଁ ବଡ ଚ୍ୟାଲେଞ୍ଜ ହେବ । କାରଣ ବ୍ରାଣ୍ଡ ନବୀନ ଓ ବ୍ରାଣ୍ଡ ଶଙ୍ଖକୁ ଆଧାର କରି ସହଜରେ ନିର୍ବାଚନୀ ବୈତରଣୀ ପାର ହେଉଛନ୍ତି ନେତା । ତେଣୁ ଟିକେଟ ନପାଇଲେ ଅନେକ ରାଜୁ ଦାସ ତିଆରି ହୋଇଯିବେ । ବିଦ୍ରୋହୀଙ୍କ ସଂଖ୍ୟା ବଢିବ । ଯାହାକି ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ । ବିଜେଡିର ଦ୍ବିତୀୟ ପୀଢି (Second-Generation) ଓ ତୃତୀୟ ପୀଢି (Third Generation) ନେତାଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ମଧ୍ୟ ଆଉ ଏକ ଚ୍ୟାଲେଞ୍ଜ ହେବ । ନଚେତ ଧାମନଗର ପରି ପରିସ୍ଥିତି ସୃଷ୍ଟି ହେବ । 2023ରେ ବିଜେପି ସରକାର ବିରୋଧୀ ଫ୍ୟାକ୍ଟରକୁ ଜୋରଦାର କରିବାକୁ ଯାଉଛି । ଏହାକୁ ଭୋଟରେ ପରବର୍ତ୍ତନ କରିବାକୁ ବିଜେପି ଚେଷ୍ଟା କରିବ କାରଣ ବିଜେପି ପାଇଁ 2024 ନିର୍ବାଚନ ହେବ କର ବା ମର । ଯଦି ବିଜେପି ଫେଲ ମାରୁଛି ତେବେ ଦଳ ରାଜ୍ୟରେ ଅପ୍ରାସଙ୍ଗିକ ହୋଇ ରହିଯିବ ।"

ସେ ପୁଣି କହିଛନ୍ତି, ଗ୍ରହଣୀୟ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯଦି ବିଜେପି ଯିବ ତେବେ ସଫଳ ହେବାର ସମ୍ଭାବନା ଅଧିକ ରହିଛି । ଦଳର ବିଧାୟକ, ସାଂସଦ ଏବଂ ମନ୍ତ୍ରୀ ମାନେ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିବା ବା ଏକତା ପ୍ରଦର୍ଶନ କରିବା ଜରୁରୀ ହୋଇପଡିଛି । ବିଶେଷ କରି ଉପକୂଳ ଏବଂ ଦକ୍ଷିଣ ଓଡିଶାରେ ସଂଗଠନକୁ ମଜବୁତ କରିବାକୁ ପଡିବ ଦଳକୁ ।

ସେହିପରି କଂଗ୍ରେସ ଗୋଟିଏ ରାଜନୈତିକ ଶକ୍ତି ବୋଲି ଲୋକଙ୍କୁ ବୁଝାଇବାକୁ ପଡିବ କଂଗ୍ରେସ ନେତାଙ୍କୁ । କଂଗ୍ରେସର ବିଚାରଧାରା କଣ, ନୀତି କଣ, ଅନ୍ତଦୃଷ୍ଟି କଣ ଏବଂ ସ୍ବପ୍ନ କଣ ସେକଥା ସ୍ପଷ୍ଟ ଭାବେ କଂଗ୍ରେସ ଜନତାଙ୍କ ପାଖରେ ରଖିବା ଉଚିତ । ତାହା ହେଲେ ଯାଇ ରାଜ୍ୟରେ କଂଗ୍ରେସ ପାଇଁ କୌଣସି ସମ୍ଭାବନ ସୃଷ୍ଟି ହୋଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details