ଭୁବନେଶ୍ବର:ରାଜ୍ୟରେ ମେ’ ୧ରୁ ୨୭ତାରିଖ ପର୍ଯ୍ୟନ୍ତ ଓବିସି ଗଣନା ହେବ । ଏହା ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଦ୍ବାରା ଓଡ଼ିଶା ପାଇଁ ତାଲିକାଭୁକ୍ତ ୨୨ଟି ପଛୁଆ ବର୍ଗର ଜାତିକୁ ରାଜ୍ୟର ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ (SEBC) ତାଲିକାରେ ସାମିଲ କରିଛନ୍ତି । ଏ ସଂକ୍ରାନ୍ତରେ ଅଧ୍ୟାଦେଶ ଜାରି ପ୍ରସ୍ତାବକୁ ସୋମବାର କ୍ୟାବିନେଟ ଅନୁମୋଦନ ଦେଇଛି । ଗତ ଜାନୁଆରି ମାସରେ ବସିଥିବା କ୍ୟାବିନେଟ ବୈଠକରେ ୨୨ଟି ପଛୁଆ ବର୍ଗର ଜାତିକୁ ଏସଇବିସି ତାଲିକାରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ (ଓଏସସିବିସି) ଅଧିନିୟମ, ୧୯୯୩ରେ ସଂଶୋଧନ ଆଣିଥିଲେ ।
ଏହି ଅଧିନିୟମକୁ ଗତ ବିଧାନସଭା ଅଧିବେଶନରେ ଆଗତ ମଧ୍ୟ କରାଯାଇଥିଲା । ହେଲେ କୌଣସି କାରଣ ପାଇଁ ଏହି ଅଧିନିୟମକୁ ରାଜ୍ୟ ସରକାର ପ୍ରତ୍ୟାହାର କରି ନେଇଥିଲେ । ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ (ଓଏସସିବିସି) ଅଧିନିୟମ, ୧୯୯୩ର ଧାରା-୯ ଅଧୀନରେ ଉପଧାରା-୩କୁ ଅନ୍ତର୍ଭୁକ୍ତ କରିବା ସମ୍ବନ୍ଧୀୟ ଅଧ୍ୟାଦେଶ ଘୋଷଣା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି । ଏହାଦ୍ବାରା ବଢ଼େଇ, ବିନ୍ଧାଣୀ, ବିନ୍ଦାଣୀ, ବରାଜି, ବରୋଇ, ଶଙ୍ଖୁଆ ତନ୍ତି, ଗୋଳ ତନ୍ତି, ହଂସି ତନ୍ତି, କପାଡ଼ିଆ, ଗନ୍ଧମାଳି, ଥାନପତି, ପାଣ୍ଡରା ମାଳି, ପନିଅର ମାଳି, ପଣ୍ଡାରିଆ, ଓଡ଼-ଖଣ୍ଡାୟତ, ବୟାଳିଶ, ଓଡ, ଓଡ଼-ପାଇକ, ଓଡ଼-ପାଇକୋ, ହଳଦିଆ-ତେଲି ଏବଂ କାଳନ୍ଦୀ ଭଳି ଜାତି/ସମ୍ପ୍ରଦାୟର ଲୋକମାନେ ଏସଇବିସି ଭାବେ ଗଣତି ହେବେ ।