ଓଡିଶା

odisha

ETV Bharat / state

Bus strike in Odisha: ଆସନ୍ତା 31 ଯାଏଁ ଧର୍ମଘଟ ସ୍ଥଗିତ, ରାତିରୁ ଗଡିବ ବସ

ଘରୋଇ ବସ ମାଲିକ ସଂଘ ସହିତ ବୈଠକ ପରେ ପରିବହନ ମନ୍ତ୍ରୀ ଟୁକୁନୀ ସାହୁଙ୍କ ସୂଚନା । ବସ ମାଲିକ ସଂଘ ସହଯୋଗ କରିବେ । ମାଲିକ ସଂଘ ସହ ଆଲୋଚନା ହୋଇଛି । ଆସନ୍ତା 31 ପର୍ଯ୍ୟନ୍ତ ବସ ଧର୍ମଘଟକୁ ସ୍ଥଗିତ ରଖାଯାଇଛି ।

କାଲିଠୁ ଗଡିବ ଘରୋଇ ବସ
କାଲିଠୁ ଗଡିବ ଘରୋଇ ବସ

By ETV Bharat Odisha Team

Published : Oct 20, 2023, 9:00 PM IST

Updated : Oct 20, 2023, 10:40 PM IST

Bus strike in Odisha

ଭୁବନେଶ୍ବର: ପ୍ରତ୍ୟାହୃତ ହେଲା ଘରୋଇ ବସ ମାଲିକ ସଂଘର ଧର୍ମଘଟ । ପରିବହନ ମନ୍ତ୍ରୀ ଟୁକୁନୀ ସାହୁଙ୍କ ସହ ସଂଘର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କଲା ସଂଘ । ଆସନ୍ତା 31 ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ କଲା ଘରୋଇ ବସ ସଂଘ । ଏନେଇ ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଘୋଷଣା କରିଛନ୍ତି ।

ଏନେଇ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ‘‘ ସରକାର ସଂଘ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ରକ୍ଷା କରି ସଂଘ ଆସନ୍ତା 31 ପର୍ଯ୍ୟନ୍ତ ଧର୍ମଘଟକୁ ସ୍ଥଗିତ ରଖୁଛି । ଆଜି ରାତିରୁ ଘରୋଇ ବସ ଚଳାଚଳ କରିବ ।’’ ବସ ଧର୍ମଘଟକୁ ନେଇ ଆଜି ସଂଧ୍ୟାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ବାସଭବନରେ ସରକାର - ସଂଘ ମଧ୍ୟରେ ବୈଠକ ହୋଇଥିଲା । ବୈଠକରେ ପରିବହନ ମନ୍ତ୍ରୀ ସଂଘର ଦାବିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ । ବର୍ତ୍ତମାନ ପାର୍ବଣ ଥିବାରୁ ଯାତ୍ରୀଙ୍କ ସ୍ବାର୍ଥ ପାଇଁ ଧର୍ମଘଟକୁ ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ । ଏହାସହ ସଂଘ ଯେଉଁ ଦାବି ରଖିଛି ତାହାକୁ ସରକାର ସକରାତ୍ମକ ଭାବେ ବିଚାର କରିବେ ବୋଲି କହିଥିଲେ । ଏହା ସହ ଆସନ୍ତା 26 ଦିନ ପୁଣି ଥରେ ସରକାର ଓ ଘରୋଇ ବସ ସଂଘ ମଧ୍ୟରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ ।

ଅଧିକ ପଢନ୍ତୁ- ଆଜିଠୁ ବସ ମାଲିକ ସଂଘର ଧର୍ମଘଟ, ରାଜ୍ୟରେ ଗଡୁନି ଘରୋଇ ବସ୍‌

ସେପଟେ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଅସନ୍ତୁଷ୍ଟ ଘରୋଇ ବସ ମାଲିକ ସଂଘର କୋର କମିଟି ବୈଠକ ବସିଥିଲା । ଗୋଟିଏ ଘଣ୍ଟା ମଧ୍ୟରେ ସଂଘ ନିଷ୍ପତ୍ତି ଜଣାଇବ ବୋଲି ସାଧାରଣ ସମ୍ପାଦକ କହିଥିଲେ । କୋର କମିଟି ବୈଠକରେ ସରକାରଙ୍କ ଅନୁରୋଧ ଓ ପ୍ରସ୍ତାବକୁ ନେଇ ଆଲୋଚନା ହୋଇଥିଲା । ଏହାସହ ସଂଘ ଜିଲ୍ଲା ଶାଖା ମାନଙ୍କ ସହିତ ଆଲୋଚନା କରିଥିଲା । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ ଆସନ୍ତା 31 ପର୍ଯ୍ୟନ୍ତ ବସ ଧର୍ମଘଟ ରଖିବାକୁ ନିଷ୍ପତ୍ତି ହୋଇଥିଲା । ଏହା ପରେ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଘୋଷଣା କରାଯାଇଛି ଯେ ଆଜି ରାତିରୁ ବସ ଚଳାଚଳ କରିବ ।

ଘରୋଇ ବସ ମାଲିକ ସଂଘ ସହିତ ବୈଠକ ପରେ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ କହିଥିଲେ ବସ ମାଲିକ ସଂଘ ସହିତ ଆଲୋଚନା ହୋଇଛି । ସଂଘ ସହଯୋଗ କରିବେ । ଆସନ୍ତା ୨୬ ତାରିଖରେ ପୁଣି ଥରେ ମାଲିକ ସଂଘ ସହ ଆଲୋଚନା ହେବ । ସଂଘର ଦାବିକୁ ନେଇ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରାଯିବ । ସଂଘର ସମସ୍ତ ଦାବି ଉପରେ ବିଚାର କରାଯିବ ।

ଅଧିକ ପଢନ୍ତୁ- Bus Strike In Odisha: ପାର୍ବଣରେ ବସ ଧର୍ମଘଟ ଡାକରା, ଯାତ୍ରୀଙ୍କ ଦୁଃଖ ବୁଝିବ କିଏ ?

ସୂଚନାଯୋଗ୍ୟଯେ ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ଲକ୍ଷ୍ମୀ ଯୋଜନା ଓ ସହର ବାହାରେ ମୋ ବସ ଚଳାଚଳକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ଆଜିଠୁ ରାଜ୍ୟବ୍ୟାପୀ ବସ ଧର୍ମଘଟ ଡାକରା ଦେଇଥିଲା । ଫଳରେ ମଧ୍ୟ ରାତ୍ରରୁ ସାରା ରାଜ୍ୟରେ ଘରୋଇ ବସ ଚଳାଚଳ ପୁରା ଠପ ହୋଇଯାଇଥିଲା । ଫଳରେ ରାଜଧାନୀରୁ ରାଜରାସ୍ତା, ଉପକୂଳରୁ ଉପାନ୍ତ ସମ୍ବଲପୁରରୁ ନବରଙ୍ଗପୁର ସାରା ରାଜ୍ୟରେ ଦହଗଞ୍ଜ ହୋଇଥିଲେ ସାଧାରଣ ଲୋକ ଓ ବସ ଯାତ୍ରୀ । ପାର୍ବଣ ବେଳେ ଏଭଳି ଧର୍ମଘଟକୁ ନେଇ ଯାତ୍ରୀଙ୍କ ମଧ୍ୟରେ ବଢିବାରେ ଲାଗିଥିଲା ଅସନ୍ତୋଷ । ସାରା ରାଜ୍ୟର ବିଭିନ୍ନ ବସଷ୍ଟାଣ୍ଡରେ ଫସି ରହିଥିଲେ ହଜାର ହଜାର ଯାତ୍ରୀ । ଯାହାକୁ ନେଇ ଜନଅସନ୍ତୋଷ ବଢିବାରେ ଲାଗିଥିଲା । ବାଧ୍ୟ ହୋଇ ସରକାର ସଂଘକୁ ପୁଣି ଥରେ ଆଜି ସଂଧ୍ୟାରେ ଆଲୋଚନା ପାଇଁ ଡାକିଥିଲେ । ଧର୍ମଘଟ ପ୍ରତ୍ୟାହୃତ ହୋଇଥିବାରୁ ପାର୍ବଣ ବେଳେ ବସ ଯାତ୍ରୀ ଆଶ୍ବସ୍ତି ଅନୁଭବ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 20, 2023, 10:40 PM IST

ABOUT THE AUTHOR

...view details