ଓଡିଶା

odisha

ETV Bharat / state

ସମୂହ ଛୁଟିରେ ଗଲେ ଖୋର୍ଦ୍ଧାର ୧୪୦୦ ଅମଲା, ସରକାରୀ କାର୍ଯ୍ୟ ଠପ୍ - ଦାବି ପୂରଣ ନହେବାରୁ ଅମଲାଙ୍କ ସମୂହ ଛୁଟି

ଦାବି ପୂରଣ କଲେନି ସରକାର । ନିରାଶ ହୋଇ ସମୂହ ଛୁଟିରେ ଗଲେ ଖୋର୍ଦ୍ଧା ଜିଲ୍ଲାର ୧୪୦୦ ଅମଲା । ଅଧିକ ପଢନ୍ତୁ

Bureaucrafts go on mass leave
Bureaucrafts go on mass leave

By

Published : Jun 1, 2023, 2:00 PM IST

ସମୂହ ଛୁଟିରେ ଗଲେ ଖୋର୍ଦ୍ଧାର ୧୪୦୦ ଅମଲା

ଖୋର୍ଦ୍ଧା: ଓଡ଼ିଶାରେ କାର୍ଯ୍ୟରତ ଜିଲ୍ଲା ସ୍ତରୀୟ ଅମଲାମାନଙ୍କ ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ କ୍ରମାଗତ ଉଦାସୀନତା ପ୍ରତିବାଦରେ ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ୧୪୦୦ ଅମଲାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅମଲାମାନେ ସମୂହ ଛୁଟିରେ ଯାଇଛନ୍ତି । ଏହାସହିତ ଆଜି(ଗୁରୁବାର) ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅମଲାମାନେ ଏକତ୍ରିତ ହୋଇ ଦାବି ପୂରଣ ପାଇଁ ନାରବାଜି କରିଛନ୍ତି । ଦାବି ପୂରଣ ସମ୍ପର୍କରେ ପୂର୍ବରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ନପାଇବାରୁ ଗତ ମେ' ମାସ ପହିଲାରେ ଜିଲ୍ଲା ସ୍ତରୀୟ ମିଳିତ ମଞ୍ଚ ରାଜ୍ୟ ଶାଖା ପକ୍ଷରୁ ଏକ ଚରମ ପତ୍ର ମୁଖ୍ୟ ଶାସନ ସଚିବଙ୍କୁ ଦିଆଯାଇଥିଲା । ସରକାରଙ୍କୁ ମେ' ୨୧ ତାରିଖ ସୁଦ୍ଧା ଜିଲ୍ଲା ସ୍ତରୀୟ ଅମଲାଙ୍କ ଦାବି ପୂରଣ କରିବା ପାଇଁ ଅନୁରୋଧ କରାଯାଇଥିଲା ।

ଦାବି ପୂରଣ ଲାଗି ସେମାନେ ୨୨ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ୍ ପରିଧାନ କରି କାର୍ଯ୍ୟ କରିଥିଲେ । ହେଲେ ସରକାର କୌଣସି ନିଷ୍ପତ୍ତି ଗ୍ରହଣ ନ କରିବାରୁ ଆଜି ଠାରୁ ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୁହ ଛୁଟିରେ ଯାଇଛନ୍ତି । ଦୀର୍ଘ ବର୍ଷ ହେଲା ଜିଲ୍ଲା ସ୍ତରୀୟ ଅମଲାମାନଙ୍କର ବେତନରେ ଥିବା ଅସଙ୍ଗତିକୁ ଦୂର କରିବାରେ ରାଜ୍ୟ ସରକାର ଜାଣିଶୁଣି ଅଣଦେଖା ଓ ଅବହେଳା କରି ଚାଲିଛନ୍ତି । ଏହାଦ୍ଵାରା ଏହି ଅମଲାମାନଙ୍କ ମନରେ ବହୁତ ନୈରାଶ୍ୟ ଓ ଅସନ୍ତୋଷ ଦେଖାଦେଇଛି । ଯାହାର ଫଳସ୍ବରୂପ ଆଗାମୀ ଦିନରେ ଏକ ବିଶାଳକାୟ ଅମଲା ଆନ୍ଦୋଳନ ମୁଣ୍ଡ ଟେକିବାକୁ ଯାଉଥିବା କହିଛନ୍ତି ଜିଲ୍ଲା ଅମଲା ସଂଘ ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡା ।

ଏହାର ପରିଣାମ ନିଶ୍ଚିତ ଭାବରେ ସରକାରଙ୍କ କ୍ଷତି କରିବା ସହିତ ଜନସାଧାରଣ ମଧ୍ୟ ଘୋର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏଥିପାଇଁ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ସେ ପ୍ରକାଶ କରିଛନ୍ତି । ଆଜି ଖୋର୍ଦ୍ଧା ଉପଖଣ୍ଡରେ ଥିବା ବିଭିନ୍ନ ବିଭାଗର ୪୦୦ ଓ ଭୁବନେଶ୍ବର ଏକ ହଜାର ମୋଟ ୧୪୦୦ ଅମଲା ସମୂହ ଛୁଟିରେ ଯିବା କାରଣରୁ ସରକାରୀ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇପଡିଛି । ସଂଘ ପକ୍ଷରୁ ଦାବି ଅନୁଯାୟୀ ରାଜ୍ୟ ସରକାର ୨୦୧୭ ମସିହା ଠାରୁ ଜିଲ୍ଲା ସ୍ତରୀୟ ଅମଲାମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ କରିଥିଲେ ମଧ୍ୟ ବେତନରେ କୌଣସି ପ୍ରକାର ଅଭିବୃଦ୍ଧି କରି ନାହାଁନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ବିଭିନ୍ନ ଅମଲା ସଂଘମାନଙ୍କ ପକ୍ଷରୁ ପତ୍ରାଳାପ ସହିତ ଆଲୋଚନା ହୋଇସାରିଛି । କିନ୍ତୁ ଉପରୋକ୍ତ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନାରୁ କିଛି ଫଳ ମିଳିନଥିବା ଜଣାପଡିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details