ଭୁବନେଶ୍ବର:କାଳିଆ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲା ବିଜେପି । ରାଜ୍ୟ ସରକାର ଚାଷୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ କାଳିଆ ଯୋଜନାରେ ୭୫ ଲକ୍ଷ ଚାଷୀଙ୍କୁ ରାଜ୍ୟ ସରକାର ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବେ ବୋଲି ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାରେ ଘୋଷଣା କରିଥିଲେ । ଏଥିସହ କାଳିଆ ଯୋଜନା ହିତାଧିକାରୀଙ୍କ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି କୃଷିଭିତ୍ତିକ ପର୍ବ ନୂଆଖାଇରେ ୭୫ ଲକ୍ଷ ଚାଷୀରୁ ୪୪ ଲକ୍ଷରୁ କମ୍ ଚାଷୀଙ୍କୁ କାଳିଆ ସହାୟତା ଦେଇଛନ୍ତି । ବାକି ୩୧ ଲକ୍ଷ ଚାଷୀ ଗଲେ କୁଆଡେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।
ଆହୁରିମଧ୍ୟ ସେ ଅଭିଯୋଗ କରିଛନ୍ତି ଯେ, ଚାଷୀ ପିଲାଙ୍କୁ ଛାତ୍ରବୃତ୍ତି ଦେବାକୁ କହି ମୁଖ୍ୟମନ୍ତ୍ରୀ ପ୍ରତାରିତ କରିଛନ୍ତି । ନବୀନ ସରକାରରେ ଚାଷୀଙ୍କ ଆୟ କମି କମି ଯାଉଛି । ୨୪ ବର୍ଷର ଶାସନରେ ଚାଷୀମାନେ ତଳିତଳାନ୍ତ ହୋଇଗଲେଣି । କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ୧୦ ହଜାର ଟଙ୍କା ଘୋଷଣା କରିଥିଲେ ହେଁ ପାଞ୍ଚ ହଜାର ଟଙ୍କା ଦେଉଛନ୍ତି । ସେମିତି କେତେ ଚାଷୀଙ୍କ ପିଲାଙ୍କୁ ଛାତ୍ର ବୃତ୍ତି ଦେଲେ ତାହା ଦେଖାନ୍ତୁ ବୋଲି ବିଜେପି ନେତା କହିଛନ୍ତି ।