ଭୁବନେଶ୍ବର: ସାଧାରଣ ନିର୍ବାଚନ 2024କୁ ନେଇ ସରଗରମ ହେଲାଣି ରାଜନୀତି । ଓଡ଼ିଶାରୁ ଶଙ୍ଖ ହଟାଇ ପଦ୍ମ ଫୁଟାଇବାକୁ ପ୍ରୟାସ ଆରମ୍ଭ କଲାଣି ବିଜେପି । ଏହାରି ମଧ୍ୟରେ ବିଧାନସଭା ନିର୍ବାଚନରେ ତିନି ରାଜ୍ୟର ବିଜେପି କ୍ଷମତାକୁ ଆସିଥିବା ବେଳେ ଓଡିଶାରେ ଦଳର ମନୋବଳ ଆହୁରି ଦୃଢ଼ ହୋଇଛି । ତେବେ ଓଡିଶାରେ ମଧ୍ୟ ସରକାର ଗଢ଼ିବାକୁ ବିଜେପି ତୟାର ହେଉଥିବା ବେଳେ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ତେବେ ମନମୋହନ କହିଛନ୍ତି, "ଓଡ଼ିଶାରେ ପ୍ରବଳ ମାତ୍ରାରେ ସରକାର ବିରୋଧୀ ହାୱା ଅଛି । ଜନ ଆକ୍ରୋଶର ବିସ୍ଫୋରଣ ହେବ । ବିଜେପି ଲୋକଙ୍କ ଆତ୍ମ ବିଶ୍ୱାସକୁ ଆହୁରି ଦୃଢ଼ କରିବ । ମହିଳାମାନଙ୍କ ମନରେ ପରିବର୍ତ୍ତନ ଆସିଲାଣି । ବିଜେଡ଼ି ବହୁତ ଦିନ ଧରି ମହିଳାମାନଙ୍କୁ ଭୁଲ ତଥ୍ୟ ଦେଉଥିଲା । କେନ୍ଦ୍ର ସରକାରଙ୍କ ଯୋଜନାକୁ ବିଜେଡ଼ି ମହିଳାମାନଙ୍କ ଆଗରେ ଅଲଗା ଚିତ୍ରଣ କରୁଥିଲେ । ହେଲେ ଏବେ ସମସ୍ତେ ସଚେତନ ହେଲେଣି । କେନ୍ଦ୍ରରୁ ମହିଳାଙ୍କ ବିକାଶ ପାଇଁ ଆସୁଥିବା ହଜାର ହଜାର କୋଟି ଟଙ୍କା ଶୋଷଣ କରୁଛି ବିଜେଡ଼ି ସରକାର । ସେମାନଙ୍କ ଅର୍ଥକୁ ରାକେଟ ମାଧ୍ୟମରେ ଆତ୍ମସାତ କରାଯାଉଥିବା ମହିଳାମାନେ ବୁଝି ସାରିଲେଣି । ତେଣୁ ଆଉ ବିଜେଡ଼ି ସହ ନାହାଁନ୍ତି ମହିଳା । ଆଉ ମହିଳା ଭୋଟ ବ୍ୟାଙ୍କ ବିଜେଡ଼ି ସପକ୍ଷରେ ନାହିଁ । 3 ମାସ ନୁହେଁ 3 ଦିନରେ ବି ପରିବର୍ତ୍ତନ ସମ୍ଭବ । ଓଡ଼ିଶାରେ ମୋଦିଙ୍କ ପ୍ରତି ଲୋକଙ୍କର ସମର୍ଥନ ଅଛି । ମୋଦି ଲୋକଙ୍କ ବିଶ୍ୱାସର କେନ୍ଦ୍ର ବିନ୍ଦୁ ।"
ମନମୋହନ ଏହା ମଧ୍ୟ କହିଛନ୍ତି ଯେ, ଯେଉଁ ଲୋକମାନେ ବିକାଶରେ ସାମିଲ ହୋଇନହାନ୍ତି, ସେମାନଙ୍କ ପାଇଁ ସୁଯୋଗ ଅଛି । ସେଥିରେ କେନ୍ଦ୍ରୀୟ ଯୋଜନାର ବହି, କ୍ୟାଲେଣ୍ଡର ସେ ସବୁ ରହୁଛି । ଲୋକେ ସେ ବିଷୟରେ ଜାଣନ୍ତୁ । ବିକାଶର ସାଥିରେ ରୁହନ୍ତୁ । ବିକଶିତ ଭାରତର ଗାଡି ପଞ୍ଚାୟତରୁ ପଞ୍ଚାୟତ ବୁଲୁଛି । ସେହିପରି ଗତକାଲି ବିଜେପି ସଭାପତି କହିଥିଲେ, ଅନ୍ୟ ରାଜ୍ୟର ଫଳାଫଳ ଦେଖି ଓଡିଶା ରାଜନୀତି ୨୦୨୪ରେ ୟୁ ଟର୍ଣ୍ଣ ନେବ । ଜନ ସାଧାରଣଙ୍କ ଆଶୀର୍ବାଦ ବିଜେପି ଉପରେ ଅଛି । ଏଥର ସରକାର ଗଢ଼ିବ ବିଜେପି । ଲଢେଇ ଜୋରଦାର ହେବ। ଆଟାକିଙ୍ଗ ମୁଡରେ ଲଢ଼ି ସିଟ ହାତେଇବ ବିଜେପି ।