ପିଇଓଙ୍କ ଧାରଣାକୁ ନେଇ ବର୍ଷିଲା ବିଜେପି ଭୁବନେଶ୍ବର:ପିଇଓଙ୍କ ଧାରଣା ଯୋଗୁ ବିଭିନ୍ନ ସମସ୍ୟା ଭୋଗୁଛନ୍ତି ପଞ୍ଚାୟତବାସୀ । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଏନେଇ ପ୍ରେସମିଟ୍ କରି ବିଜେପି ମୁଖପାତ୍ର ତେଜେଶ୍ବର ପରିଡ଼ା କହିଛନ୍ତି, "ରାଜ୍ୟରେ ଥିବା ୬ ହଜାର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଝୁଲୁଛି । ୩୦ ପ୍ରତିଶତରୁ ଅଧିକ ଭତ୍ତା ଟଙ୍କା ରାଜ୍ୟରେ ମିଳିପାରିନାହିଁ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଲାଗି ପିଡ଼ିଏସ ଚାଉଳ ହିତାଧିକାରୀ ପାଉନାହାନ୍ତି । ହେଲେ ରାଜ୍ୟ ସରକାରଙ୍କୁ ଚିନ୍ତା ନାହିଁ ।"
"ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ସାରା ରାଜ୍ୟରେ ଅଗଷ୍ଟ ୭ରୁ ୧୭ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ୍ ପିନ୍ଧି ପ୍ରତିବାଦ କରିବା ପରେ ୧୮ ତାରିଖରୁ କଲମଛାଡ ଓ ୨୩ତାରିଖରୁ ରାଜଧାନୀରେ ବିକ୍ଷୋଭ କରୁଛନ୍ତି । ବିନା ପିଇଓରେ କେମିତି ପଞ୍ଚାୟତ ଚାଲିବ?" ତାକୁ ନେଇ ପ୍ରଶ୍ନ କରିଛି ବିଜେପି । ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ବର ପରିଡା କହିଛନ୍ତି, "ପଞ୍ଚାୟତ କାର୍ଯ୍ୟାଳୟ ବନ୍ଦ କାହିଁକି? ଏହାକୁ ନେଇ ରାଜ୍ୟ ସରକାର ଏହାର ଜବାବ ରଖିବା ଦରକାର । ପଞ୍ଚାୟତରେ ଲୋକେ ପାଣି ପାଉନାହାନ୍ତି । ୬ ହଜାର ୭୯୪ ପଞ୍ଚାୟତର ଅଧିକାଂଶ ଜାଗାରେ ପିଇଓ ନାହାନ୍ତି । ଜଣେ ଜଣେ ପିଇଓ ଏକାଧିକ ପଞ୍ଚାୟତ ଦାୟିତ୍ୱରେ ଅଛନ୍ତି । ବିଭିନ୍ନ ଜାଗାରେ ସ୍କୁଲ କାମ ବନ୍ଦ ହେଇ ପଡିଛି । ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ କାମ କରୁନାହିଁ ।"
ଏହା ବି ପଢନ୍ତୁ...2 ଦଫା ଦାବିରେ ପିଇଓଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା
ସେ ଆହୁରି ମଧ୍ୟ କହିଛନ୍ତି, "ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜୁଲାଇ ମାସରେ ଯେଉଁମାନେ ଘର ଲାଗି ପ୍ରଥମ କିସ୍ତି ପାଇଥିଲେ ସେମାନେ ଅଧା କାମ କରି ଦ୍ବିତୀୟ କିସ୍ତି ଟଙ୍କାକୁ ଅନାଇ ବସିଛନ୍ତି, ହେଲେ ଟଙ୍କା ମିଳୁନି । ସାରା ରାଜ୍ୟରେ କାମ ବନ୍ଦ ହେଇ ପଡିଛି । ଗ୍ରାମପଞ୍ଚାୟତ ଡେଭେଲପ୍ମେଣ୍ଟ୍ ପ୍ରୋଗ୍ରାମ ବନ୍ଦ ପଡିଛି । ରାଜ୍ୟରେ କେବେ ଖୋଲିବ ପଞ୍ଚାୟତ ? ତୁରନ୍ତ ସରାକର ଏହାର ଜବାବ ରଖନ୍ତୁ । ନହେଲେ ଆଗାମୀ ଆନ୍ଦୋଳନ ତେଜିବ ।"
ସେହିପରି, ଖରା ବର୍ଷାରେ ବୃଦ୍ଧ, ବୃଦ୍ଧା, ମହିଳା ଓ ଗରୀବ ଲୋକେ ଦୂରଦୂରାନ୍ତରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଫେରୁଥିବା ଦେଖିବାକୁ ମିଳୁଛି । ହରିଶଚନ୍ଦ୍ର ଯୋଜନାରେ ମୃତକଙ୍କ ପରିବାରକୁ ମିଳୁଥିବା ୩ ହଜାର ଟଙ୍କାର ତତ୍କାଳ ସହାୟତା ଗତ ୧୦ଦିନ ଧରି ସମ୍ପୂର୍ଣ୍ଣ ବନ୍ଦ ରହିଛି । ଓଡ଼ିଶାରେ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଭଳି ସହାୟତାର ପିଛିଲା ଓ ଚଳିତ ମାସର ପ୍ରାୟ ୩୦ ପ୍ରତିଶତରୁ ଅଧିକ ଭତ୍ତା ବଣ୍ଟନ ହୋଇପାରିନାହିଁ । ମନରେଗାରେ ବିଭିନ୍ନ ସ୍ଥାନରେ ହେବାକୁ ଥିବା ବୃକ୍ଷରୋପଣ କାମ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଫଳରେ ଓଡ଼ିଶାରୁ ବାହାର ରାଜ୍ୟକୁ ଯାଉଥିବା ଦାଦନ ଶ୍ରମିକଙ୍କ ସଂଖ୍ୟା ଗତକିଛି ଦିନ ହେବ ବ୍ୟାପକ ଭାବେ ବଢ଼ିଥିବା ଦେଖିବାକୁ ମିଳିଛି।
ଇଟିଭି ଭାରତ, ଭୁବନେଶ୍ବର