ଭୁବନେଶ୍ୱର : ୮ମ ଦିନରେ ଭୁବନେଶ୍ୱର ଜିଲ୍ଲା ବିଜେପିର ସତ୍ୟାଗ୍ରହ। ଗାଡକଣସ୍ଥିତ ‘କୃତ୍ରିମ ଅଳିଆ ପାହାଡ’ ଯେ ପଯ୍ୟନ୍ତ ଉଚ୍ଛେଦ ହୋଇନାହିଁ ସେ ପଯ୍ୟନ୍ତ ଏହି ସତ୍ୟାଗ୍ରହ ଚାଲିବ ବୋଲି କହିଛି ବିଜେପି । ସ୍ଵଛ ସୁନ୍ଦର ସବୁଜ ଭୁବନେଶ୍ୱରର ନାରା ଦେଉଥିବା ବିଏମସିର ଅପାରଗତାରୁ ରାଜଧାନୀରେ ଗାଡକଣସ୍ଥିତ କୃତ୍ରିମ ଅଳିଆ ପାହାଡକୁ ନେଇ ଗନ୍ଧରେ ଫାଟୁଛି ସାରା ସହର । ଅଳିଆ ଗନ୍ଧରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ସାରା ସହର ଗନ୍ଧମୟ ହୋଇଗଲାଣି । ହଜାର ହଜାର ଲୋକ ଡେଙ୍ଗୁରେ ମୃତ୍ୟୁବରଣ କରିଛନ୍ତି ତଥାପି ବିଏମସିର ନିଘା ନାହିଁ । ବିଏମସିର ଏହି ଅପାରଗତାକୁ ନେଇ ଅଳିଆ ଗଦାକୁ ସହରରୁ ଉଛେଦ ପାଇଁ ବିଜେପି ଦାବି କରିଥିବା ବେଳେ ଏଥିପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ଦାୟୀ କରିଛି ବିଜେପି ।
ବିଜେପି ମୁଖପାତ୍ର ଦିଲୀପ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଜୀବନ ଦେବାର ଅଧିକାର ନାହିଁ କିନ୍ତୁ ଜୀବନ ନେବାର ଅଧିକାର କେଉଁଠୁ ଆସିଲା ? ରାଜ୍ୟ ସରକାର ସାମାଜିକ ଅପରାଧ କରିଛନ୍ତି ଏବଂ ବିଧିବ୍ୟବସ୍ଥା ଅନୁଯାୟୀ ଦଣ୍ଡିତ ହେବା ଉଚିତ୍ । ସରକାର ତୁରନ୍ତ ଏହି ଗାଡକଣସ୍ଥିତ କୃତ୍ରିମ ଅଳିଆ ପାହାଡ ସ୍ଥାୟୀ ସମାଧାନ କରନ୍ତୁ । ଓଡିଶାବାସୀଙ୍କ ଜୀବନ ନେଇ ଯେଉଁ ଖେଳ ଖେଳୁଛନ୍ତି ତାହାକୁ ବନ୍ଦ କରନ୍ତୁ । ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଯୋଜନାରେ କୋଟି କୋଟି ଟଙ୍କା ଦେଉଛନ୍ତି, କିନ୍ତୁ ଓଡ଼ିଶାରେ ତାହାର କୌଣସି ସୁଫଳ ମିଳୁନାହିଁ । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରେ ଅଳିଆ ପାହାଡ ଛିଡା କରାଇଛନ୍ତି । ନବୀନ ଶାସନ ଓ ଅଳିଆ ଗନ୍ଧରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ଏହାକୁ ବିରୋଧ କରି ବିଜେପି ସତ୍ୟାଗ୍ରହ କରିଛି । ହେଲେ ସତ୍ୟାଗ୍ରହକୁ ୮ଦିନ ବିତି ସାରିଥିଲେ ମଧ୍ୟ ରାଜ୍ୟ ସରକାର, ମେୟର, ବିଧାୟକ ଏବଂ ଭୁବନେଶ୍ୱର ମହାନଗର ନିଗମ ନିଦା ବିଷ୍ଣୁ ସାଜିଛନ୍ତି ।
ଓଡ଼ିଶାରେ ସରକାର ନାହିଁ ଏଠାକାର ନିର୍ବାଚିତ ଶାସକ ଦଳର ନେତାଙ୍କର ଦେଖା ମିଳୁନି । ମେୟର ଦୃଶ୍ୟମାନ ହେଉନାହାନ୍ତି । ଭଗବାନ ଭରସାରେ ଭୁବନେଶ୍ୱର ମହାନଗର ନିଗମ ଚାଲିଛି । ମେୟର ମହୋଦୟା ଯଦି ଶାସନ ଚଳାଇବାରେ ସକ୍ଷମ ନୁହନ୍ତି, ତାହେଲେ ଗାଦି ଛାଡିଦେବା ଉଚିତ୍ । ଯେଉଁ ସରକାରଙ୍କ ନିଜ ସ୍ୱାସ୍ଥ୍ୟ ଖରାପ୍, ସେ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ଚିନ୍ତା କରିବାରେ ଅକ୍ଷମ । ସ୍ମାର୍ଟ ସିଟିର ଆଖ୍ୟା ପାଇଥିବା ରାଜଧାନୀ ଭୁବନେଶ୍ୱରର ମଧ୍ୟବର୍ତୀ ଅଞ୍ଚଳରେ ଅଳିଆ ଗଦାର ପାହାଡ ସୃଷ୍ଟି କରାଯାଇ ପରିବେଶକୁ ଦୁଷିତ ଓ ଗନ୍ଧମୟ କରାଯାଉଛି । ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ଚର୍ମ, ଶ୍ୱାସ ଭଳି ବିଭିନ୍ନ ରୋଗ ବ୍ୟାପକ ଭାବେ ବଢିଚାଲିଛି । ଅଳିଆ ଅବର୍ଜନାପୂର୍ଣ୍ଣ ପାହାଡର ଦୁର୍ଗନ୍ଧ ଧୀରେ ଧୀରେ ସମଗ୍ର ରାଜଧାନୀ ତଥା ଏହାର ଆଶ୍ୱପାଶ୍ୱର୍କୁ ବ୍ୟାପିଗଲାଣି । ଘରୁ ବାହାରିବା ଅସହ୍ୟ ହୋଇପଡିଲାଣି । ଆଖପାଖ ମନ୍ଦିରକୁ ଭକ୍ତ ଯାଉନାହାନ୍ତି । ଶିକ୍ଷାନୁଷ୍ଠାନ, ଡାକ୍ତରଖାନାକୁ ଆସୁଥିବା ଛାତ୍ରଛାତ୍ରୀ ଓ ରୋଗୀ ହନ୍ତସନ୍ତ ହେଉଛନ୍ତି । ବୃଦ୍ଧବୃଦ୍ଧାଙ୍କ ସମେତ ସମସ୍ତଙ୍କ ଜୀବନ ଅଭିଶପ୍ତ ହୋଇଲାଣି । ରାଜ୍ୟ ତଥା ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ନାକରେ ହାତ ଦେଇ, ମୁହଁରେ ମାସ୍କ ପିନ୍ଧି ବୁଲୁଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଭାବେ ସହରରେ ପ୍ରତିପାଦିତ ହେଲାଣି ଏଭଳି ସ୍ଥଳେ ଏହାକୁ ଉଠାଇଦେବା ଉଚିତ ବୋଲି କହିଛନ୍ତି ଦିଲୀପ ମହାନ୍ତି ।