ଭୁବନେଶ୍ବର: ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଟାର୍ଗେଟ କରିବା ପରେ ପୁଣି ତେରଚ୍ଛା ବାଣ ମାରିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ତାଙ୍କ ଦୈନିକ ଖବରକାଗଜରେ ସମ୍ପାଦକୀୟ ମାଧ୍ୟମରେ ସେହି ସଚିବଙ୍କ ସହ ପରୋକ୍ଷ ଭାବେ ନବୀନ ସରକାରକୁ ମଧ୍ୟ ଟାର୍ଗେଟ କରିଛନ୍ତି ସୌମ୍ୟ । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ସେପଟେ ଗଣତନ୍ତ୍ରରେ ୧ ପ୍ରତିଶତ ମଧ୍ୟ ବିଶ୍ବାସ କରୁଥିବା ବ୍ୟକ୍ତି ରାଜ୍ୟର ବିଚିତ୍ର ବ୍ୟବସ୍ଥାକୁ ସମାଲୋଚନା କରିବ, ତେଣୁ ସୌମ୍ୟ ବାବୁ କରିବା ସ୍ବାଭାବିକ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ।
ସୌମ୍ୟ ନିଜର ସମ୍ପାଦକୀୟରେ ଲେଖିଛନ୍ତି ଯେ, ଏବେ ଅନେକ ସ୍ଥାନରେ ବିଭାଗୀୟ ମନ୍ତ୍ରୀଙ୍କ ଜାଗାରେ ସଚିବ ଗସ୍ତ କରୁଛନ୍ତି । ଏହାକୁ ନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ମୁଖ୍ୟମନ୍ତ୍ରୀ ଯଦି ସଚିବଙ୍କୁ ଦାୟିତ୍ବ ଦେବେ, ଏଥିରେ ତାଙ୍କର ଦୋଷ କେଉଁଠି ରହିଲା ବୋଲି ଲେଖାଯାଇଛି । ପୁଣି ଜଣେ ଭଲ ଛାତ୍ର କେବେ କୌଣସି ପ୍ରଶ୍ନକୁ ଡରେ ନାହିଁ, ତେବେ ମୁଖମନ୍ତ୍ରୀ କାହିଁକି ଡରୁଛନ୍ତି ଏହାର ସ୍ପଷ୍ଟୀକରଣ ଦେଇ ଦିଅନ୍ତୁ ବୋଲି ଲେଖି ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ସୌମ୍ୟ । ସେପଟେ ବିଜେଡି ନେତା ଅନୁଭବ ପଟ୍ଟନାୟକ ଏହାର କଡ଼ା ଜବାବ ଦେଇଛନ୍ତି । ଅନୁଭବ କହିଛନ୍ତି, "ମନ୍ତ୍ରୀ ହେବା ଲାଳସାରେ ଏଭଳି ମନ୍ତବ୍ୟ ଦେଉଛନ୍ତି ସୌମ୍ୟ । ଜଣେ ବ୍ୟକ୍ତି ଜୀବନ ଅନେକ ଦଳ ପରିବର୍ତ୍ତନ କରିଛନ୍ତି ନିଜ ସ୍ବାର୍ଥ ହାସଲ କରିବା ପାଇଁ । ଆଉ ଏବେ ଗୋଟିଏ ମନ୍ତ୍ରୀପଦ ଖାଲି ଥିବାରୁ ତାହାକୁ ପାଇବା ପାଇଁ ଦଳକୁ ବ୍ଲାକ୍ମେଲ୍ କରୁଛନ୍ତି ।"