ଭୁବନେଶ୍ବର: ଜାନୁଆରୀ ୧୭ରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନ । ଏହି ଉଦ୍ଘାଟନୀ ଉତ୍ସବରେ ଓଡ଼ିଶାବାସୀଙ୍କର ସହଭାଗିତାକୁ ନେଇ ଗୁଆ ଏବଂ ଅରୁଆ ଚାଉଳ ସଂଗ୍ରହ କରୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅର୍ପଣ ରଥ । ରାଜ୍ୟ ସରକାରଙ୍କ ପକ୍ଷରୁ ଗଡ଼ୁଥିବା ଏହି ରଥ ଗାଁରୁ ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ସବୁଠି ବୁଲି ଲୋକଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରୁଛି । ଯାହା ୧୨ ତାରିଖରୁ ଆରମ୍ଭ ହେଉଥିବା ଭବ୍ୟ ଯଜ୍ଞରେ ଲାଗିବ । ହେଲେ ଏହି ଅର୍ପଣ ରଥକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଜୋର ଧରିଛି । ବାରମ୍ବାର କଂଗ୍ରେସ ଏହାକୁ ବିଜେଡି ପ୍ରଚାର ବୋଲି ଅଭିଯୋଗ କରି ଆସୁଥିବାବେଳେ ଅର୍ପଣ ରଥକୁ ନେଇ ପ୍ରଶ୍ନ ଉଠାଇଛି ଭୁବନେଶ୍ବର ବିଜେପି ।
ବିଏମ୍ସିର କର୍ପୋରେଟର ଜୀବନ ରାଉତ କହିଛନ୍ତି, "ରଥ ବୁଲୁଛି ମହାପ୍ରଭୁ ଜଗନ୍ନାଥଙ୍କ ଭବ୍ୟ ମହୋତ୍ସବ ପାଇଁ । ଯିଏ କୋଟି ଓଡିଆଙ୍କ ମଉଡମଣୀ, ତାଙ୍କ ପ୍ରତି ଥିବା ଆସ୍ଥାକୁ ନେଇ ଲୋକେ ସ୍ଵତଃ ଖୁସିରେ ଗୁଆ ଓ ଅରୁଆ ଚାଉଳ, ନଡ଼ିଆ ଦେଉଛନ୍ତି । କିନ୍ତୁ ରଥକୁ ପରିଚାଳନା କରିବା ପାଇଁ ସରକାର ୫ ଲକ୍ଷ ପ୍ରତି ୱାର୍ଡକୁ ଦେଉଛନ୍ତି । ୱାର୍ଡ ଅଫିସରଙ୍କୁ ଦେଉଛନ୍ତି ଆଉ କର୍ପୋରେଟରଙ୍କୁ କହୁଛନ୍ତି ଲୋକଙ୍କୁ ଖାଇବାକୁ ଦିଅ ଆଉ ଲୋକଙ୍କ ଠାରୁ ଅର୍ପଣ ଗ୍ରହଣ କର । ଯାହା ଗ୍ରହଣୀୟ ନୁହେଁ । ଏଠି ମହାପ୍ରଭୁଙ୍କୁ ନେଇ ରାଜନୀତି କରାନଯାଉ ବା ଲୋକଙ୍କୁ ବାଧ୍ୟ କରାନଯାଉ କି ଖାଇବାକୁ ଦେବା ବାହାନାରେ ନିଜ ଦଳର ପ୍ରଚାର ପ୍ରସାର କରାନଯାଉ । କାରଣ ରଥଟିଏ ବୁଲିବା ପାଇଁ ସରକାର ଯେଉଁ ଅର୍ଥରାଶି ଦେଉଛନ୍ତି, ସେତିକି ଖର୍ଚ୍ଚ ହେଉନାହିଁ । ଅତ୍ ବେଶୀରେ ଏକ ଲକ୍ଷ ହିଁ ଖର୍ଚ୍ଚ ହେଉଛି ।" ବାକି ୪ ଲକ୍ଷ କଣ ଛେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ଟଙ୍କା ବିଜେଡି କର୍ମୀମାନେ ଖର୍ଚ୍ଚ କରୁଛନ୍ତି ବୋଲି ସେ ଅଭିଯୋଗ କରିଥିବାବେଳେ ସାଧାରଣ ଲୋକଙ୍କ ଟାକ୍ସ ଟଙ୍କା ଜଗନ୍ନାଥଙ୍କ ନାଁରେ ଦଳୀୟ ଲୋକଙ୍କୁ ଦେଇ ଦଳର ପ୍ରଚାର ପ୍ରସାର କରୁଛନ୍ତି ବୋଲି କହିଛନ୍ତି ।