ଭୁବନେଶ୍ବର: 'ଜାଗା ମିଶନ'କୁ ନେଇ ପୁଣି ପ୍ରତିବାଦ କରିଛି ଭୁବନେଶ୍ଵର ଜିଲ୍ଲା ବିଜେପି। ଏନେଇ ବିଏମସି କମିଶନର ଏବଂ ମେୟରଙ୍କ ନାଁରେ କ୍ୟାପିଟାଲ ଥାନାରେ ବିଜେପି ଏଫଆଇଆର ଦେଇଛି । 2 ଦିନ ତଳେ ପ୍ରେସମିଟ୍ କରି ଜାଗା ମିଶନକୁ ନେଇ ବର୍ଷିଥିଲା ଭୁବନେଶ୍ଵର ଜିଲ୍ଲା ବିଜେପି। ତେବେ ଆଜି ବିଏମସି କମିଶନର ଏବଂ ମେୟରଙ୍କ ନାଁରେ କ୍ୟାପିଟାଲ ଥାନାରେ ବିଜେପି ଏତଲା ଦେଇଛି।
ରାଜଧାନୀରେ 'ଜାଗା ମିଶନ' ପ୍ରହସନ ପାଲଟିଛି ବୋଲି ବିଜେପି ଅଭିଯୋଗ ଆଣିଛି। ଏନେଇ ଭୁବନେଶ୍ଵର ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି, " ଆଗକୁ ଅଛି ସାଧାରଣ ନିର୍ବାଚନ। ଏହି ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ଏପରି କରୁଛି । ବସ୍ତି ବାସିନ୍ଦାଙ୍କୁ ଖାଲି କାଗଜ ଦେଇ କହୁଛନ୍ତି ଏହା ଜମି ପଟ୍ଟା। ଲୋକଙ୍କୁ ଭୁଆଁ ବୁଲାଇ ମିଛ ପଟ୍ଟା ବାଣ୍ଟୁଛି। 'ଜାଗା ମିଶନ' ନାଁରେ ବସ୍ତି ବାସିନ୍ଦାଙ୍କୁ ଭୁଆଁ ବୁଲାଉଛନ୍ତି ବିଏମସି । ସରକାର ତା'ର ନୈତିକତା ହରାଇଛି। ସେଥିପାଇଁ ପ୍ରଶାସନ, ମେୟର ଓ କମିଶନରଙ୍କ ନାଁରେ କ୍ୟାପିଟାଲ ଥାନାରେ ବିଜେପି ଏତଲା ଦେଇଛି।"
ସେହିପରି ବାବୁ ସିଂ ଆହୁରି ମଧ୍ୟ କହିଛନ୍ତି, "ପ୍ରତି ବର୍ଷ ନିର୍ବାଚନ ପୂର୍ବରୁ ସର୍ଭେ ହେଉଛି। ପୂର୍ବରୁ 3ଟି ସର୍ଭେ କରି ବସ୍ତିବାସିନ୍ଦାଙ୍କୁ ଟୋକନ ବାଣ୍ଟିଲେ । ଏବେ ପୁଣି ଡ୍ରୋନ ସର୍ଭେ କରି ପ୍ରମାଣ ପତ୍ର ବାଣ୍ଟିଲେ। ଯଦି ଏହି ସର୍ଭେ ଠିକ ତାହେଲେ ପୂର୍ବରୁ 3ଟି ସର୍ଭେର ଆବଶ୍ୟକତା କ'ଣ ଥିଲା ? ଅର୍ଥାତ ସର୍ଭେ ନାଁରେ ପ୍ରଚୁର ଟଙ୍କା ଅପଚୟ କଲେ । ପଟ୍ଟା ନା ଜମି ଅଧିକାର ପ୍ରମାଣ ପତ୍ର ଏବେ ଯାଏଁ ସ୍ପଷ୍ଟ କଲାନି ବିଏମସି । ସେପଟେ ଏହି ପଟ୍ଟାକୁ ବ୍ଯାଙ୍କରେ ରଖି ଲୋନ୍ ନେଇପାରିବେ ବୋଲି ବିଏମସି କହିଥିଲା କିନ୍ତୁ ଲୋକମାନେ ଏହି କାଗଜକୁ ବ୍ୟାଙ୍କରେ ଦେଲେ ବ୍ୟାଙ୍କ ଲୋନ୍ ଦେବାକୁ ମନା କରୁଛି। ସେ କାଗଜଟା କ'ଣ? ବିଏମସି କମିଶନର ଉତ୍ତର ରଖନ୍ତୁ।"
ଏହା ବି ପଢନ୍ତୁ...'ଜାଗା ମିଶନ' ନେଇ CMCକୁ ଟାର୍ଗେଟ୍, ଜମି ପଟ୍ଟା ବଣ୍ଟନରେ ସତ୍ୟାସତ୍ୟ ନଥିବା ଅଭିଯୋଗ