ଓଡିଶା

odisha

ETV Bharat / state

ଆମେ ଶପଥ ନେଇଛୁ, ବିଜେଡି ସରକାରକୁ ହଟାଇବୁ: ମନମୋହନ ସାମଲ

ନବ ନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଲେ ବରିଷ୍ଠ ନେତା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବ ନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଅଧିକ ପଢ଼ନ୍ତୁ

ନବ ନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ନବ ନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

By

Published : Mar 26, 2023, 10:54 PM IST

ନବ ନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଭୁବନେଶ୍ବର:ନବ ନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଦଳ ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନୂଆ ସଭାପତି ମନମୋହନ ସାମଲଙ୍କୁ ରବିବାର ଅପରାହ୍ନରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ବିଜେପି ପକ୍ଷରୁ ଆୟୋଜିତ ଭବ୍ୟ ସମାରୋହରେ ଦଳୀୟ କର୍ମୀମାନେ ନୂତନ ସଭାପତି ମନମୋହନ ସାମଲଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବ ନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓଡ଼ିଶାରେ ରାଜ୍ୟ ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ମନମୋହନ ସାମଲଙ୍କୁ ନିଯୁକ୍ତି ଦେଇଛନ୍ତି । ତେବେ ଦଳର ନୂତନ ସଭାପତିଙ୍କୁ ସ୍ବାଗତ କରିବା ପାଇଁ ଭୁବନେଶ୍ବରରେ ବିଜେପି ବିଶାଳ ରାଲିର ଆୟୋଜନ କରିଥିଲା । ଏଥିରେ ଶହଶହ କର୍ମୀ ଓ ନେତୃମଣ୍ଡଳୀ ରାମ ମନ୍ଦିର ଛକରେ ଏକତ୍ରିତ ହେଇଥିଲେ । ଏହା ପୂର୍ବରୁ ଭଦ୍ରକରୁ ଆସିବା ବାଟରେ ପାଣିକୋଇଲି, କଟକ ଓ ଅନ୍ୟସ୍ଥାନରେ ତାଙ୍କୁ ଦଳୀୟ କର୍ମୀମାନେ ବିପୁଳ ସ୍ବାଗତ ଜଣାଇଛନ୍ତି । ତେବେ ଭୁବନେଶ୍ବରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦଶ୍ବରୀ, ସହପ୍ରଭାରୀ ବିଜୟପାଲ ସିଂ ତୋମାର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଜୁଏଲ ଓରାମ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ସାଂସଦ ବସନ୍ତ ପଣ୍ଡା ଓ ସଙ୍ଗୀତା ସିଂହଦେଓଙ୍କ ସମେତ ଦଳର ସମସ୍ତ ବିଧାୟକ ଉପସ୍ଥିତ ଥିଲେ ।

ତେବେ ସମ୍ବର୍ଦ୍ଧନା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମନମୋହନ । କହିଛନ୍ତି, "ମହାନଦୀରେ ବହୁତ ପାଣି ବୋହି ଗଲାଣି । ସାଢେ ୪ କୋଟି ଓଡ଼ିଆଙ୍କ ସ୍ବର ସହ ସ୍ବର ମିଳାଇବାକୁ ପଡ଼ିବ । ଲୋକଙ୍କ ଅସନ୍ତୋଷ ସହ ସ୍ବର ମିଶାଇବାକୁ ପଡ଼ିବ । ଲୋକ ଏହି ନିର୍ବାଚନ ଲଢ଼ିବେ । ଏହା ଏକ ଐତିହାସିକ ନିର୍ବାଚନ ହେବ । ଲୋକ ତାତିକି ଅଛନ୍ତି, ମାତିକି ଅଛନ୍ତି । ସଂଘର୍ଷରୁ ଏହି ଦଳ ଏହି ଜାଗାରେ ପହଞ୍ଚିଛି । ୯୦ ମସିହାରେ ୧ ପ୍ରତିଶତ ଭୋଟ, ୯୧ ମସିହାରେ ୧୦ ପ୍ରତିଶତ ଭୋଟ ମିଳିଥିଲା । ଏବେ ୩୮ ପ୍ରତିଶତ ଭୋଟ ମିଳିଛି । ଆଉ ପଛକୁ ଫେରିକି ଦେଖିନାହିଁ ବିଜେପି । ଏହା ଏକ କାର୍ଯ୍ୟକର୍ତ୍ତା ଆଧାରିତ ଦଳ । ପଦ ଥାଉ ନଥାଉ କର୍ମୀ କାମ କରୁଛନ୍ତି । ଆମେ ଶପଥ ନେଇଛୁ, ବିଜେଡି ସରକାରକୁ ହଟାଇବୁ । ସବୁଥିପାଇଁ ଆମେ ପ୍ରସ୍ତୁତ ଅଛୁ । ସମାଜର ତଳ ପାହାଚର ଲୋକଙ୍କ ପାଇଁ ଆମେ କାମ କରୁଛୁ । କେନ୍ଦ୍ରୀୟ ନେତା ଓଡିଶା ଉପରେ ବିଶ୍ବାସ ରଖିଛନ୍ତି । ଏଠାରେ ସରକାର ଗଠନ ପାଇଁ ସମସ୍ତଙ୍କୁ କାମ କରିବାକୁ ପଡ଼ିବ । ଆମ ଦଳର ୨୩ ଜଣ ଯୁବମୋର୍ଚ୍ଚା ଭାଇ ଜେଲରେ ଅଛନ୍ତି । ଜେଲରେ ଜାଗା ହେବ ନାହିଁ । ଜେଲ ଭରୋ ଆନ୍ଦୋଳନ କରିବୁ । ମୁଖମନ୍ତ୍ରୀ କେତେ ଜେଲ ତିଆରି କରିବେ । ରାଜ୍ୟରେ ଜଣେ ମନ୍ତ୍ରୀଙ୍କୁ ଦିନ ଦ୍ବିପ୍ରହରେ ଗୁଳି କରି ମାରିଦେଲେ, ଲୋକମାନେ ଜାଣିଛନ୍ତି କିଏ ମାରିଲା ମନ୍ତ୍ରୀଙ୍କୁ । ନବୀନ ବାବୁ କେବଳ ଇସୁ ଡାଇଭର୍ଟ କରିବା ଜାଣିଛନ୍ତି । ଓଡ଼ିଶାରେ ସବୁ ଅଛି କିନ୍ତୁ ବିକାଶ କାହିଁକି ହେଉନି । ବିଜେଡିର ମନ୍ତ୍ରୀ ମାନଙ୍କୁ ଆହ୍ବାନ, କେତେ ଦିନ ମନ୍ତ୍ରୀ ହୋଇ ରହିବ । ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରୁନାହାନ୍ତି । ଏ କେମିତି ସରକାର ।" ନବୀନ ବାବୁଙ୍କ ସରକାର ଏକ ରିଏଲ ଫିଲ୍ମ ବୋଲି କହି କଟାକ୍ଷ କରିଛନ୍ତି ମନମୋହନ ।

ସେ ଆହୁରି କହିଛନ୍ତି, "ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ବିଭାଗ ଦାୟିତ୍ବରେ ଅଛନ୍ତି । ସବୁଠୁ ବଡ଼ ବିଭାଗ । ସବୁ କର୍ମୀ ମାନଙ୍କୁ ଆହ୍ଵାନ ଦେଉଛି କଠିନ ପରିଶ୍ରମ, ତ୍ୟାଗ କରନ୍ତୁ । ଘର ଦ୍ବାର ଛାଡ଼ନ୍ତୁ । ନିର୍ବାଚନ ଜିତିବା ପରେ ଘରକୁ ଫେରିବେ । ଏହି ସଂକଳ୍ପ ନେବାକୁ ପଡ଼ିବ । ଯାହା ଦାୟିତ୍ବ ନେବା, ତାକୁ ସୂଚାରୁ ଭାବେ କରିବାକୁ ପଡ଼ିବ । ଏକ ହେବା, ସରକାର ବନିବ । ପଜିଟିଭ ଭୋଟରେ ସରକାର ହେବ । ରାଜ୍ୟର ସାମୁହିକ ବିକାଶ ହେବ । ୭୫ ବର୍ଷରେ ହୋଇନଥିବା କାମ ପାଇଁ ନକ୍ସା ତିଆରି ହେବ । ସବୁ କ୍ଷେତ୍ରରେ ଭାଲ୍ୟୁ ଆଡିସନ ହେବ । ଲୋକ ଦାଦନ ଖଟିବାକୁ ଯିବେନାହିଁ । ଚାଷୀଙ୍କର ବିକାଶ ହେବ । ବିଜେପି ହେଉଛି ବିକାଶ । ଅସନ୍ତୋଷର ବିସ୍ଫୋରଣ ହେବ । ୨୦୨୩ରେ ନିର୍ବାଚନ ହେଲେ ଏକ ପାଖିଆ ଭୋଟ ହେବ । ଆମ ଦଳରେ ସାଧାରଣ ପୋଷ୍ଟର୍ ମରା କର୍ମୀ ବି ନବୀନ ବାବୁଙ୍କ ଠାରୁ ଭଲ ମୁଖ୍ୟମନ୍ତ୍ରୀ ହୋଇପାରିବେ । ନବୀନ ବାବୁ ଓଡିଶାକୁ ୧୦୦ ବର୍ଷ ପଛକୁ ନେଇଯାଇଛନ୍ତି । ଆମେ ଶୋଇବା ନାହିଁ, ନବୀନ ବାବୁ ମଧ୍ୟ ଶୋଇ ପାରିବେ ନାହିଁ । ତଳ ପାହାଚର ଲୋକ ଯେପର୍ଯ୍ୟନ୍ତ ନ୍ୟାୟ ନପାଇଛନ୍ତି, ନବୀନ ବାବୁଙ୍କୁ ଶୁଆଇ ଦିଆଯିବ ନାହିଁ । କଥା ବାର୍ତ୍ତା ମାଧ୍ୟମରେ ନିଜ ଭିତରର ଥିବା ସମସ୍ୟାର ସମାଧାନ ହେବ । ଗୋଟିଏ ଲକ୍ଷ୍ୟ ବିଜେଡିକୁ ହଟାଇବାକୁ ପଡ଼ିବ । ବିଜେପି ସରକାର ଗଠନ କରିବ । ଏବେ ସରକାର କିଏ ଚଳାଉଛି ଜଣା ପଡୁନାହିଁ । ବିଜେପି ସରକାର ଆସିଲେ ଏସବୁ ଚଳିବ ନାହିଁ । କୌଣସି ନିଷ୍ପତି ବ୍ଲକ ଓ ଜିଲ୍ଲା ଉପରେ ଲଦି ଦିଆଯିବ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details