ଭୁବନେଶ୍ବର:ତେଜିଲା ଟ୍ବିଟର ୱାର । ସମୀରଙ୍କୁ ପାଲଟା ଜବାବ ଦେଲେ ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି । ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଟ୍ବିଟର ଜବାବରେ ବିଜେଡି କଲା କଟାକ୍ଷ । ରାଜନୀତିରେ ତିଷ୍ଠି ରହିବା ପାଇଁ ସମୀର ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ସଭାପତି ପଦରୁ ବିଦା ହେବା ପରେ ସ୍ଥିତି ହରାଇଛନ୍ତି । ସମୀର ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ ପାଇଁ ବୁଦ୍ଧିହୀନ ଟ୍ବିଟ କରୁଛନ୍ତି କହି ବିଜେଡି କଟାକ୍ଷ କରିଛନ୍ତି ।
ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି ନିଜ ଟ୍ବିଟର୍ ହ୍ୟାଣ୍ଡେଲରେ ପୋଷ୍ଟ କରି ଲେଖିଛନ୍ତି, "ଆମେ ତାଙ୍କର ନିରାଶା ଏବଂ ହତାଶାକୁ ବୁଝୁଛୁ । ପୂର୍ବତନ ରାଜ୍ୟ ବିଜେପି ସଭାପତି ତାଙ୍କର ଅର୍ଥହୀନ ଏବଂ ବୁଦ୍ଧିହୀନ ଟୁଇଟ୍ କରିଆରେ ରାଜନୀତିରେ ପ୍ରାସଙ୍ଗିକ ହୋଇ ରହିବା ପାଇଁ ଉଦ୍ୟମ କରୁଛନ୍ତି । ଓଡ଼ିଶା ବିଜେପି ରାଜନୀତିରେ ନିଜର ରାଜନୈତିକ ଅସ୍ଥିତ୍ବ ଖୋଜିବାକୁ ଚେଷ୍ଟା କରୁଥିବାରୁ ଆମେ ତାଙ୍କ ପ୍ରତି ସହାନୁଭୂତି ଦେଖାଇଛୁ । ଆମେ ଆଶା କରୁଛୁ ଯେ ତାଙ୍କର ଓଡିଶା ବିଜେପି ସହକର୍ମୀମାନେ ତାଙ୍କ ପ୍ରତି ଅନୁରୂପ ଭାବେ ଅଧିକ ଦୟା ଏବଂ ସହାନୁଭୂତି ଦେଖାଇବେ ।"
ସୂଚନା ଅନୁଯାୟୀ ଆଜି ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ନିଜ ହ୍ୟାଣ୍ଡେଲରେ ପୋଷ୍ଟ କରି ନବୀନଙ୍କ ଶାସନ କାଳର ରେକର୍ଡକୁ ନେଇ ଏକ ଟ୍ବିଟ୍ କରିଥିଲେ । ସମୀର ମହାନ୍ତି ଲେଖିଥିଲେ, "ଓଡ଼ିଶା ଗଣମାଧ୍ୟମରେ ଏକ ରେକର୍ଡ ଭଙ୍ଗ କରିବାର ଖବର ପଢିବାକୁ ପାଇଲି । ଯାହା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜ୍ୟୋତି ବସୁଙ୍କ ଶାସନ କାଳ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଶାସନ କାଳ ପାଖାପାଖି ସମାନ ଥିବା ଖବର ଉପରେ ପର୍ଯ୍ୟବେସିତ । ଓଡ଼ିଶାର ମୁଖ୍ୟମନ୍ତ୍ରୀ କେବଳ ନିଜ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ନିଜକୁ ପ୍ରମାଣିତ କରନ୍ତି । କାର୍ଯ୍ୟରେ ନୁହେଁ । ପ୍ରାୟୋଜିତ ପୁରସ୍କାର ଗ୍ରହଣ କରିବାରେ ମୁଖ୍ୟମନ୍ତ୍ରୀ ରେକର୍ଡ ସୃଷ୍ଟି କରିଛନ୍ତି ।"
"ତାଙ୍କ ଶାସନ କାଳରେ କିଛି ରେକର୍ଡ ସୃଷ୍ଟି ହୋଇଛି ତ ତାହା ହେଉଛି ପ୍ରତିଶ୍ରୁତି ଦେଇ ପାଳନ ନକରିବା । ଓଡ଼ିଶାର ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା ନକରିବା । ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ବାସହୀନଙ୍କୁ ପଟ୍ଟା ଓ ଘର ଦେବା, ଶିଳ୍ପାୟନ ମାଧ୍ୟମରେ ସ୍ଥାନୀୟ ଯୁବକଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ ତାହାକୁ ପାଳନ ନକରିବାର ସର୍ବଶ୍ରେଷ୍ଠ ରେକର୍ଡ ଅଛି । " ବୋଲି ଟାର୍ଗେଟ କରିଥିଲେ ସମୀର । ଯାହାର ଉତ୍ତରରେ ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି ସମୀରଙ୍କୁ ତାତ୍ସଲ୍ୟ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର